29.1 C
Bhubaneswar
Monday, May 6, 2024
Homeଓଡିଶା*କଳିଙ୍ଗନଗର ଗୁଳିକାଣ୍ଡରେ ପ୍ରାଣବଳି ଦେଇଥିବା ୧୬ ଜଣ ଆଦିବାସୀ ଭାଇଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି*

*କଳିଙ୍ଗନଗର ଗୁଳିକାଣ୍ଡରେ ପ୍ରାଣବଳି ଦେଇଥିବା ୧୬ ଜଣ ଆଦିବାସୀ ଭାଇଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି*

ଭୁବନେଶ୍ୱର : ଜାନୁଆରୀ ୨, ୨୦୦୬ ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡରେ ୧୬ ଜଣ ନିରୀହ ଆଦିବାସୀ ପ୍ରାଣବଳି ଦେଇଥିବା ଘଟଣାର ୧୫ ବର୍ଷ ପୁରିଗଲା । ପ୍ରାଣବଳି ଦେଇଥିବା ଆଦିବାସୀମାନଙ୍କ ଉପଲକ୍ଷେ ଆଜି ଭୁବନେଶ୍ୱର ସବ୍‌କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାସଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏବଂ ଜାତୀୟ ଟ୍ରେଡ ୟୁନିୟନ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ ଏହି ସଭାରେ ତାଙ୍କ ବକ୍ତବ୍ୟରେ କଳିଙ୍ଗନଗରର ସେହି ଲୋମହର୍ଷଣକାରୀ ଘଟଣା ଉପରେ ଆଲୋକପାତ କରି କହିଥିଲେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ସାରା ରାଜ୍ୟ ଏବଂ ଦେଶରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସର୍ବଭାରତୀୟ କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ନିଜେ କଳିଙ୍ଗନଗରକୁ ଆସି ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ତତ୍‌କ୍ଷଣାତ ୧ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ପ୍ରତ୍ୟେକ ଆହତ ବ୍ୟକ୍ତିମାନଙ୍କୁ ୨୦ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଖାଲି ସେତିକି ନୁହେଁ ଯେଉଁ ୫ ଜଣ ନିରୀହ ଆଦିବାସୀଙ୍କର ହାତ ପାପୁଲି କଟାଯାଇଥିଲା, ସେ ବାବଦରେ କମିଶନ ଦେଇଥିବା ରିପୋର୍ଟକୁ ବିଜେଡି-ବିଜେପି ଭାଗୁଆଳି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କଲେନାହିଁ । ଆଜି ପର୍ଯ୍ୟନ୍ତ ମୃତକଙ୍କ ପରିବାର କିମ୍ବା ରାଜ୍ୟବାସୀ ଜାଣିପାରିଲେ ନାହିଁ କେଉଁମାନେ କାହା ନିର୍ଦ୍ଦେଶରେ ଏବଂ କେଉଁ ପରିସ୍ଥିତିରେ ହାତ ପାପୁଲି କାଟିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବରଂ ସେ ସମୟରେ ଯାଜପୁର ଜିଲ୍ଲାର ଏସ୍‌.ପି. ଏବଂ ଜିଲ୍ଲାପାଳଙ୍କୁ ପରବର୍ତୀ ପର୍ଯ୍ୟାୟରେ ଭାଗୁଆଳୀ ସରକାର ଗେହ୍ଲାପୁଅ କରି ପୋଷିଲେ । ଏ ହେଉଛି ବିଜେଡି-ବିଜେପି ସରକାରର ଅସଲ ଚରିତ୍ର ଓ ଚିତ୍ର । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ବକ୍ତବ୍ୟ ରଖି କହିଥିଲେ ବିଜେପି ବିଜେଡି ସରକାର ଆଦିବାସୀ, ପଛୁଆବର୍ଗ, କୃଷକ ଏବଂ ଶ୍ରମିକମାନଙ୍କ ବିରୋଧି । କେନ୍ଦ୍ରରେ ମନମୋହନ ସିଂହଙ୍କ ସମୟରେ ଉପା ସରକାର ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ହସ୍ତାନ୍ତର କରିବାକୁ ନିଷ୍ପତି ନେଇଥିଲେ ଏବଂ ସେହି ଅନୁସାରେ ଯେଉଁ ଆଦିବାସୀମାନେ ଯେଉଁ ଜଙ୍ଗଲ ଭିତରେ ରହିଛନ୍ତି ସେହି ଜଙ୍ଗଲରେ ରହିବା ପାଇଁ ତାଙ୍କୁ ପଟ୍ଟା ଦେବାରେ ଆଇନ୍‌ର ବ୍ୟବସ୍ଥା କରାଗଲା । ରାଜ୍ୟରେ ବହୁ ବଡ ବଡ ଶିଳ୍ପ ପ୍ରତିଷ୍ଠା ହୋଇଛି, ବହୁ ବଡ ବଡ ନଦୀ ବନ୍ଧ ଯୋଜନା କରାଯାଇଛି କିନ୍ତୁ ବନ୍ଧୁକ ମୁନରେ ଆଦିବାସୀମାନଙ୍କର ରକ୍ତରେ ହୋଲି ଖେଳି କଂଗ୍ରେସ ଓଡିଶାରେ ଶିଳ୍ପ ସ୍ଥାପନ କରିନାହିଁ । ନବୀନ ବାବୁଙ୍କର ଯଦି ସାମାନ୍ୟତମ ରାଜ୍ୟର ଆଦିବାସୀ, ହରିଜନ ଏବଂ ପଛୁଆବର୍ଗ ପ୍ରତି ନିଷ୍ଠା ଅଛି ତାହେଲେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ । ଶ୍ରୀଯୁକ୍ତ ଦେବୀ ପୃଷ୍ଟି କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ଏ ସରକାର କିଭଳି ଭାବରେ ଶିଳ୍ପପତିମାନଙ୍କ ସ୍ୱାର୍ଥରେ କାମ କରେ ତାହା ଉଲ୍ଲେଖ କରିଥିଲେ । ପୂର୍ବତନ ଉପସଭା ଶିବାନନ୍ଦ ରାୟ ଏବଂ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହି ଗୁଳିକାଣ୍ଡ ପାଇଁ ସରକାର ସଂପୂର୍ଣ୍ଣ ଦାୟୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ବିରୋଧି ବୋଲି କହିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ରାଜକିଶୋର ବାରିକ, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, କୁସୁମ ପ୍ରଧାନ, ଚୈତାଳୀ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ସୁବ୍ରତ ମହାପାତ୍ର, ନିରୁପମା ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, କନକଲତା ମଲିକ, ଜୟକୃଷ୍ଣ ମଲିଆ, ଦୀପକ ମହାପାତ୍ର, ମନୋଜ ନାୟକ, ମୋହନ ଜେନା, ପ୍ରମେଶ ଜେନା, ଜ୍ୟୋତିଷ ସାହୁ, ଏସ୍‌.କେ ଅଫତାବ ଅଲ୍ଲୀ, ଏମ୍‌.ଡି ଶାହାଦୁଲ୍ଲା, ଏସ୍‌.ଡି ତାକ୍ୱିମ୍ ଅହମ୍ମଦ, କୁଳମଣି ସାହୁ, ଖଗେଶ୍ୱର ମଲିକ ଏବଂ ବହୁ ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking