34.1 C
Bhubaneswar
Tuesday, May 6, 2025
Homeଦେଶ ବିଦେଶକଙ୍ଗୋ ବୋଟ୍ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୧୪୮କୁ ବୃଦ୍ଧି, ଏବେ ବି ଶତାଧିକ ନିଖୋଜ

କଙ୍ଗୋ ବୋଟ୍ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୧୪୮କୁ ବୃଦ୍ଧି, ଏବେ ବି ଶତାଧିକ ନିଖୋଜ

କଙ୍ଗୋ/କିନ୍‌ଶାସା: ଅନ୍ୟତମ କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରୁ ଏକ ବଡ଼ ଅଘଟଣ ସମ୍ପର୍କରେ ସୂଚନା ମିଳିଛି। ଏଠାରେ ପ୍ରବାହିତ କଙ୍ଗୋ ନଦୀ ଦେଇ ଯାଉଥିବା ଏକ ତୈଳ (ପେଟ୍ରୋଲ/ଡିଜେଲ) ବୋଝେଇ ବୋଟ୍ ମଝି ନଦୀରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୪୮ଜଣଙ୍କ ପ୍ରାଣ ହାନୀ ହୋଇଥିବା ବେଳେ ଏବେ ବି ଶତାଧିକ ନିଖୋଜ ରହିଛନ୍ତି। ଗତ ୫ଦିନ ଧରି ଏମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ କୌଣସି ସଫଳତା ମିଳିପାରିନାହିଁ। ବିଶ୍ୱର ସବୁଠାରୁ ଗଭୀର ନଦୀ କଙ୍ଗୋ ନଦୀର ସଙ୍ଗମ ସ୍ଥଳରେ ଇକ୍ୱାଟୁର ପ୍ରଦେଶର ରାଜଧାନୀ ମ୍ବାଣ୍ଡାକା ନିକଟରେ ଏହି ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁସାରେ ବୋଟ୍‌ରେ ବିପୁଳ ପରିମାଣର ଉଚ୍ଚଦହନଶୀଳ ପେଟ୍ରୋଲିୟମ୍ ତୈଳ ପରିବହନ କରାଯାଉଥିବା ବେଳେ ଏହି ସମୟରେ ବୋଟ୍‌ର କିଛି କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ମଧ୍ୟ ସବାର ଥିଲେ। ତେବେ ବୋଟ୍ କର୍ମଚାରୀଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ କୌଣସି କାରଣରୁ ନିଆଁ ସଂସ୍ପର୍ଶରେ ଏହି ପେଟ୍ରୋଲ ଡିଜେଲ୍ ବ୍ୟାରେଲଗୁଡ଼ିକ ଆସିଯାଇଥିଲା। ଫଳରେ ବୋଟ୍‌ରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ନଦୀକୁ ଡେଇଁପଡିଥିଲେ, ଯେତେବେଳେ କି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭଲଭାବେ ପହଁରିବା ଜାଣିନଥିଲେ। ସେହିପରି ଯେଉଁମାନେ ପହଁରିବା ଜାଣିଥିଲେ ସେମାନଙ୍କୁ ନଦୀରେ ଯାତ୍ରା କରୁଥିବା ଅନ୍ୟ ବୋଟ୍‌, ଜାହାଜ ତଥା ଡଙ୍ଗାରେ କାମ କରୁଥିବା ଲୋକେ ବଞ୍ଚାଇପାରିଥିଲେ। ଏହି ଘଟଣା ମଙ୍ଗଳବାର ଘଟିଥିଲେ ମଧ୍ୟ କଙ୍ଗୋ ସରକାର ଶନିବାର ଏସମ୍ପର୍କରେ ସୂଚନା ଦେଇଛନ୍ତି। ଅଞ୍ଚଳର ଜାତୀୟ ପ୍ରତିନିଧିଙ୍କ ପ୍ରତିନିଧିମଣ୍ଡଳର ମୁଖ୍ୟ ଜୋସେଫାଇନ୍‌-ପାସିଫିକ୍ ଲୋକୁମୁ କହିଛନ୍ତି, ମଙ୍ଗଳବାର ଦିନ ଉତ୍ତର-ପଶ୍ଚିମ ଡିଆରସିର କଙ୍ଗୋ ନଦୀରେ ପେଟ୍ରୋଲ, ଡିଜେଲ୍ ବ୍ୟାରେଲଗୁଡ଼ିକ ସହ ୫ଶହରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ, ଏହି ସମୟରେ ଅଘଟଣ ଘଟିଥିଲା।

୨.୩ ନିୟୁତ ବର୍ଗ କିଲୋମିଟର (୯୦୦,୦୦୦ ବର୍ଗ ମାଇଲ) ପରିବ୍ୟାପ୍ତ ଏକ ବିଶାଳ କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର, କଙ୍ଗୋରେ ଆଜି ସମୟରେ ମଧ୍ୟ ବ୍ୟବହାରିକ ରାସ୍ତା, ଟ୍ରେନ୍‌, ବସ୍ ସୁବିଧା ଉପଲବ୍ଧ ହୋଇପାରିନାହିଁ। ଆଉ ଯାହା କିଛି ବି ସୁବିଧା ଉପଲବ୍ଧ ହୋଇପାରିଛି ସେସବୁ କେବଳ ସୀମିତ ସଂଖ୍ୟକ ସହର ପର୍ଯ୍ୟନ୍ତ ସୀମିତ। ଫଳସ୍ୱରୂପ, ପ୍ରାନ୍ତୀୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ପ୍ରାୟତଃ କଙ୍ଗୋ ନଦୀ (ନୀଲ ନଦୀ ପରେ ଆଫ୍ରିକାର ଦ୍ୱିତୀୟ ଦୀର୍ଘତମ ନଦୀ) ଏବଂ ଏହାର ଉପନଦୀ ବା ଶାଖାନଦୀଗୁଡ଼ିକରେ ବୋଟ, ଡଙ୍ଗା ମାଧ୍ୟମରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି ବିପଦପୂର୍ଣ୍ଣ ଯାତ୍ରା ଅଧିକାଂଶ ସମୟରେ ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ଗଭୀର ଜଳରାଶି ବିଶିଷ୍ଟ ଏହି ନଦୀଗୁଡ଼ିକରେ ଜାହାଜଗୁଡ଼ିକ ପ୍ରାୟତଃ ବୁଡ଼ିଯାଏ ଏବଂ ମୃତ୍ୟୁ ସଂଖ୍ୟା ପ୍ରାୟତଃ ଅଧିକ ଥାଏ। ପ୍ରକାଶ, ଅକ୍ଟୋବର ୨୦୨୩ରେ, ବିଷୁବ ରେଖାରେ କଙ୍ଗୋରେ ଏକ ଡଙ୍ଗା ବୁଡ଼ି ଯିବାରୁ ଅତିକମରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ବର୍ଷ ଅକ୍ଟୋବରରେ ପୂର୍ବ ଡିଆରସିର କିଭୁ ହ୍ରଦରେ ଏକ ଡଙ୍ଗା ବୁଡ଼ିଯିବାରୁ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ ମସିହାରେ, କିଭୁ ହ୍ରଦରେ ଆଉ ଏକ ଜାହାଜ ଦୁର୍ଘଟଣାରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking