ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ସଫଳତା ହାସଲ କରିଥିବା ରାଜ୍ୟର ଦୁଇ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରୂପା ତାରକସି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଛାତ୍ରୀ ଭବିଷ୍ୟତରେ ଡାକ୍ତର ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଟିନା ଭବିଷ୍ୟତରେ କାର୍ଡିଓଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଲିଶା ନ୍ୟୁରୋଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି। ନିଷ୍ଠା ଓ ପରିଶ୍ରମ ଜାରି ରଖିଲେ ଲକ୍ଷ୍ୟରେ ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ କହିଥିଲେ। ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।










