32.1 C
Bhubaneswar
Sunday, April 28, 2024
Homeଓଡିଶାଆଜି ଚନ୍ଦନ ଯାତ୍ରା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ଆଜି ଚନ୍ଦନ ଯାତ୍ରା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପ୍ରମୁଖ ପଞ୍ଚମହାଦେବ ନରେନ୍ଦ୍ର ସରୋବରକୁ ଯାଇ ୨୧ଦିନ ବ୍ୟାପି ଜଳକ୍ରୀଡ଼ା କରିବେ । ଏଥିସହିତ ଅକ୍ଷୟ ତୃତୀୟାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ । ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ପାଇଁ ସଂପ୍ରତି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ଘର । ଚନ୍ଦନ ଘରକୁ ଧଉଳା ଯିବା ସହ ସୁସଜ୍ଜିତ କରାଯାଇଛି । ସେହିଭଳି ଠାକୁରମାନେ ଜଳକ୍ରୀଡ଼ା କରୁଥିବା ନନ୍ଦା ଓ ଭଦ୍ରା ଚାପ ପ୍ରସ୍ତୁତ ହୋଇ ରହିଛି । ଚାପକୁ ରଙ୍ଗ କରାଯିବା ସହିତ ସୁସଜ୍ଜିତ କରାଯାଇଛି । କୋଭିଡ଼ କଟକଣା ପାଳନ ପୂର୍ବକ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଚନ୍ଦନଯାତ୍ରା ପରିପ୍ରେକ୍ଷୀରେ ଯାତ୍ରା ସହିତ ସଂଶ୍ଳିଷ୍ଟ ସେବାୟତମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ଏ ମଧ୍ୟରେ ୨୫୦ଜଣ ସେବାୟତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହୋଇଛି ।

ସେମାନଙ୍କ ମଧ୍ୟରୁ କିଛି ସେବାୟତ କରୋନା ପଜିଟିଭ ଅଛନ୍ତି । ସେମାନେ ହୋମ ଆଇସୋଲେସନରେ ରହିବେ ଓ ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ । ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯାଇଛି । କୌଣସି ସାଧାରଣ ଭକ୍ତ ସେଠାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ଏଥିପାଇଁ ୧୪୪ ଧାରା ଜାରି କରାଯାଇଛି । ସକାଳୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ସେବାୟତମାନେ ପାସ ଦେଖାଇ ନୀତିକାନ୍ତିରେ ଭାଗ ନେଇ ପାରିବେ । ଜନସାଧାରଣ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି । ପୁନର୍ବାର କୋଭିଡ଼ ମହାମାରୀ ସଂକ୍ରମଣ ଯୋଗୁଁ ମହାପଭୁଙ୍କ ଏହି ଯାତ୍ରା ଦେଖିବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ । କେବଳ ସୀମିତ ସଂଖ୍ୟକ ସେବାୟତ ଓ ପ୍ରଶାସନ ଠାରୁ ପାସ ପାଇଥିବା ବ୍ୟକ୍ତିଙ୍କୁ ନୀତିକାନ୍ତି ସମ୍ପାଦନ ପାଇଁ ଅନୁମତି ଦିଆଯିବ ।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସଓପିକୁ କାର୍ଯ୍ୟକାରୀ କରିବା ଓ କୋଭିଡ଼-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂ ପ୍ରକାଶ କରିଛନ୍ତି । ଚନ୍ଦନଯାତ୍ରା ପାଇଁ ମୁତୟନ ହେବେ ମୋଟ ୧୦ପ୍ଲାଟୁନ ଫୋର୍ସ । ଜଣେ ଅତିରିକ୍ତ ଏସପି, ୪ଜଣ ଡ଼ିଏସପି, ୧୦ଜଣ ଇନ୍ସପେକ୍ଟର, ୨୮ଜଣ ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ, ୪୮ଜଣ ହାବିଲଦାର ଓ କନଷ୍ଟେବଳ ନିୟୋଜିତ ହେବେ । ଠାକୁରମାନେ ସୁବିଧାରେ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯିବା ପାଇଁ ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯିବ । ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ଗହଳି ନହେବା ପାଇଁ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ଶ୍ରୀମନ୍ଦିର ସମ୍ମୁଖରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ।

ଜରୁରୀ ଅବସ୍ଥାରୁ ମୁକାବିଲା ପାଇଁ ଦମକଳ ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ପୁଲିସ ଓ ପୌରସଂସ୍ଥା ପକ୍ଷରୁ କୋଭିଡ଼ ଏନଫୋର୍ସମେଣ୍ଟ ପାଇଁ ୬ଟି ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ କଡ଼ାକଡ଼ି ଭାବେ ଏସଓପି ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସଙ୍ଗେ ସଙ୍ଗେ ନିୟମ ଉଲଂଘନକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking