ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ଓ ଅପବ୍ୟବହାର ସାମଗ୍ରୀସମ୍ପର୍କିତ ବିଜ୍ଞାପନ ଦେଖାଯାଉଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ମେଟାକୁ ନୋଟିସ ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଏହି ନୋଟିସରେ ମେଟାକୁ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି।।ନୋଟିସରେ ଉଲ୍ଲେଖ କରାଯାଇଛି ଯେ ଇନଷ୍ଟାଗ୍ରାମରୁ ସମସ୍ତ ବିଜ୍ଞାପନ ଓ ବିଷୟବସ୍ତୁକୁ ତୁରନ୍ତ ହଟାଇବା ସହ ଅକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଶିଶୁ ଯୌନ ଶୋଷଣକୁ ପ୍ରୋତ୍ସାହିତ କରୁଛି କିମ୍ବା ସେହିପରି ବିଷୟବସ୍ତୁକୁ ପ୍ରବେଶ ସୁବିଧା ଦେଉଛି। ଏହି ମାମଲା ବିବିସି ଓ ବିବିସି ଓର୍ଲ୍ଡ ସର୍ଭିସର ଏକ ତଦନ୍ତ ପରେ ସାମ୍ନାକୁ ଆସିଛି। ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଇନଷ୍ଟାଗ୍ରାମରେ ଭାରତରେ ଏପରି ବିଜ୍ଞାପନ ଚଲାଯାଉଛି, ଯେଉଁଥିରେ “ବଳାତ୍କାର ଭିଡିଓ” ଓ “ଶିଶୁ ଭିଡିଓ” ଭଳି ଉପଭୋକ୍ତାଙ୍କୁ ଟେଲିଗ୍ରାମ ଭଳି ଆପ୍ରେ ନେଇ ଅବୈଧ ସାମଗ୍ରୀ ବିକ୍ରି କରାଯାଉଥିଲା। ତଦନ୍ତ ପ୍ରକାଶ ପରେ ସରକାର ମେଟା ପ୍ରତିନିଧିଙ୍କୁ ସମନ କରାଯାଇଥିବା ମଧ୍ୟ ସୂଚନା ମିଳିଛି। ଏହାପୂର୍ବରୁ ମଧ୍ୟ ୧ ଜୁଲାଇରେ ମେଟାକୁ ହ୍ୱାଟସଆପ୍ ୟୁଜରନେମ୍ ଫିଚର୍ ସମ୍ପର୍କରେ ନୋଟିସ ଦିଆଯାଇଥିଲା। ଏପଟେ ମେଟା ପକ୍ଷରୁ କୁହାଯାଇଛି ଯେ କମ୍ପାନୀର CSAM ସମ୍ପର୍କିତ ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହିପରି ବିଷୟବସ୍ତୁ ବିରୋଧରେ ସକ୍ରିୟ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଉନ୍ନତ ଏଆଇ ପ୍ରଯୁକ୍ତି, ସୁରକ୍ଷା ଟିମ୍ ଏବଂ ସହଯୋଗୀ ଏଜେନ୍ସିମାନଙ୍କ ସହ ମିଶି ଏପରି ବିଷୟବସ୍ତୁ ଚିହ୍ନଟ ଓ ଅପସାରଣ କରାଯାଉଥିବା ମେଟା ଦାବି କରିଛି।










