-“ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ’ ଯୋଜନାକୁ ମଞ୍ଜୁରୀ
– ରାଜ୍ୟ ସରକାର ପୁଣି ଆରମ୍ଭ କଲେ ନୂଆ ଯୋଜନା
– ପ୍ରାୟ ୫,୫୦୦ ଏକର ଜମି ପର୍ଯ୍ୟାୟକ୍ରମେ ଚିହ୍ନଟ କରାଯିବ
– ବାର୍ଷିକ ୩୦୦ କୋଟି ହାରରେ ମୋଟ୍ ୧,୫୦୦ କୋଟି ବ୍ୟୟ
– ଚିଲିକା, ହୀରାକୁଦ, କୋଣାର୍କ, ଶିମିଳିପାଳ ଭଳି ୧୫ ସ୍ଥାନ ଚିହ୍ନଟ
ଭୁବନେଶ୍ୱର: ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର “ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ’ ନାମରେ ଏକ ଐତିହାସିକ ଯୋଜନାକୁୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ପ୍ରାୟ ୫,୫୦୦ ଏକର ଜମି ପର୍ଯ୍ୟାୟକ୍ରମେ ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ କରାଯିବ। ଏଥିରେ ଚିଲିକା, କୋଣାର୍କ, ପୁରୀ (ଶାମୁକା), ଧଉଳି, ହୀରାକୁଦ, ସାତକୋଶିଆ, ଶିମିଳିପାଳ, ଭିତରକନିକା, ଦାରିଙ୍ଗବାଡ଼ି, ଦେଓମାଳି, ବୌଦ୍ଧ ସର୍କିଟ୍, ଜିରାଙ୍ଗ, ତଳସାରି ଏବଂ ଟାମ୍ପରା-ଆର୍ଯ୍ୟପଲ୍ଲୀ ଭଳି ଗୁରୁତ୍ୱପୂର୍ଣ ପର୍ଯ୍ୟଟନ କ୍ଷେତ୍ର ସାମିଲ ରହିବ। ୨୦୨୬-୨୭ରୁ ୨୦୩୦-୩୧ ଆର୍ôଥକ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ୩୦୦ କୋଟି ଟଙ୍କା ହାରରେ ମୋଟ୍ ୧,୫୦୦ କୋଟି ଟଙ୍କା ବ୍ୟୟବରାଦ ହେବ। ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏମିତି ୫ ବିଭାଗର ୧୦ ପ୍ରସ୍ତାବରେ ମଞ୍ଜୁରୀ ମିଳିଛି। ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ୱ ୧ଟି ଓ ପର୍ଯ୍ୟଟନ ବିଭାଗର ୧ଟି ଅନ୍ତର୍ଭୁନ୍ତ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟନ-ନେତୃତ୍ୱାଧୀନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିଭିଭୂମି ସୃଷ୍ଟି କରିବା ତଥା ଆତିଥ୍ୟ କ୍ଷେତ୍ରରେ ବଡ଼ ପରିମାଣର ନିବେଶକୁ ଆକର୍ଷିତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ “ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ’ ଶୀର୍ଷକ ଏକ ଐତିହାସିକ ଯୋଜନାକୁ ଅନୁମୋଦନ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଆଞ୍ଚଳିକ ବିକାଶର ଏକ ପ୍ରମୁଖ ଚାଳକ ଭାବେ ପର୍ଯ୍ୟଟନ କ୍ଷେତ୍ର ଉଭା ହୋଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, ସଂସ୍କୃତି, ବନ୍ୟଜନ୍ତୁ ଏବଂ ସମୁଦ୍ରତଟ ସମ୍ପଦରେ ସମୃଦ୍ଧ ଓଡ଼ିଶା ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ଅନୁସାରେ ଦେଶ ଏବଂ ଏସିଆର ଅଗ୍ରଣୀ ସାଂସ୍କୃତିକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ସଂକଳ୍ପବଦ୍ଧ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଉନ୍ନତ ପର୍ଯ୍ୟଟନ ତ୍ତିଭିଭୂମି ସୃଷ୍ଟିରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ନିବେଶ ଉପଯୋଗୀ, ଜବରଦଖଲମୁକ୍ତ, ସଂଲଗ୍ନ ଏବଂ ସ୍ପଷ୍ଟ ଜମିର ଅଭାବ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ କ୍ୟାବିନେଟରେ ପର୍ଯ୍ୟଟନ ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ‘ପର୍ଯ୍ୟଟନ ଭୂମି ବ୍ୟାଙ୍କ’ ଗଠନ କରିବାକୁ ନିଷ୍ପରି ନିଆଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୫,୫୦୦ ଏକର ଜମି ପର୍ଯ୍ୟାୟକ୍ରମେ ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ କରାଯିବ। ଏଥିରେ ଚିଲିକା, କୋଣାର୍କ, ପୁରୀ (ଶାମୁକା), ଧଉଳି, ହୀରାକୁଦ, ସାତକୋଶିଆ, ଶିମିଳିପାଳ, ଭିତରକନିକା, ଦାରିଙ୍ଗବାଡ଼ି, ଦେଓମାଳି, ବୌଦ୍ଧ ସର୍କିଟ୍, ଜିରାଙ୍ଗ, ତଳସାରି ଏବଂ ଟାମ୍ପରା-ଆର୍ଯ୍ୟପଲ୍ଲୀ ଭଳି ଗୁରୁତ୍ୱପୂର୍ଣ ପର୍ଯ୍ୟଟନ କ୍ଷେତ୍ର ସାମିଲ ରହିବ। ଆବଶ୍ୟକତା ଅନୁଯାୟୀ ଅନ୍ୟ ପର୍ଯ୍ୟଟନ ସମ୍ଭାବ୍ୟ ଗନ୍ତବ୍ୟସ୍ଥଳୀଗୁଡ଼ିକୁ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ଆର୍ôଥକ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଅବଧରେ କାର୍ଯ୍ୟକାରୀ ହେବ। ଏଥିପାଇଁ ବାର୍ଷିକ ୩୦୦ କୋଟି ଟଙ୍କା ହାରରେ ମୋଟ୍ ୧,୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରସ୍ତାବିତ ‘ପର୍ଯ୍ୟଟନ ଭୂମି ବ୍ୟାଙ୍କ’ ଗନ୍ତବ୍ୟସ୍ଥଳ ସ୍ତରୀୟ ମାଷ୍ଟର ପ୍ଲାନିଂକୁ ସହଜ କରିବ। ନିବେଶକମାନଙ୍କୁ ପୂର୍ବ ପ୍ରସ୍ତୁତ ବ୍ୟବହାରଯୋଗ୍ୟ ଜମି ଉପଲବ୍ଧ କରାଇବ, ଯାହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଅବଧୂ ହ୍ରାସ ପାଇବ ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି ପାଇବ। ଏହି ଯୋଜନା ଦ୍ୱାରା ହୋଟେଲ, ରିସର୍ଟ, ୱେଲ୍ନେସ୍ ସେଣ୍ଟର, ଇକୋ-ଟୁରିଜମ୍ ପ୍ରକଳ୍ପ, କନଭେନ୍ସନ ସେଣ୍ଟର ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ଭିଭିଭୂମିରେ ବୃହତ୍ତ ନିବେଶର ସୁଯୋଗ ସୃଷ୍ଟି ହେବ। ଏହି ଯୋଜନା ରାଜ୍ୟର ସମସ୍ତ ଅଞ୍ଚଳରେ ସନ୍ତୁଳିତ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବ। ବିଶେଷକରି ଉଦୀୟମାନ ଓ ଅନାବିଷ୍କୃତ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ଆର୍ôଥକ କାର୍ଯ୍ୟକଳାପ ବୃଦ୍ଧି ସହିତ ସ୍ଥାନୀୟ ଯୁବକ-ଯୁବତୀ, କାରିଗର, ପର୍ଯ୍ୟଟନ ସେବା ପ୍ରଦାନକାରୀ ଏବଂ ଛୋଟ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ନିଯୁକ୍ତି ଓ ଜୀବିକା ସୁଯୋଗ ସୃଷ୍ଟି ହେବ।
ଶ୍ରୀମତୀ ଗର୍ଗ ଆହୁରି କହିଛନ୍ତି ଯେ,ନୋଡାଲ ବିଭାଗ ଭାବେ ପର୍ଯ୍ୟଟନ ବିଭାଗ କାର୍ଯ୍ୟ କରିବ ଏବଂ ଇଡ୍କୋ, ଓଟିଡିସି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହଯୋଗ କରି ଯୋଜନାକୁ କାର୍ଯ୍ୟକାରୀ କରାଇବ। ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶା ପର୍ଯ୍ୟଟନର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ କରିବାରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ନିବେଶ ପାଇଁ ପ୍ରସ୍ତୁତ ପ୍ରକୃଷ୍ଟ ଜମି ଏବଂ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମିର ଏକ ସଂରଚିତ ଲ୍ୟାଣ୍ଡ୍ ବ୍ୟାଙ୍କ ସୃଷ୍ଟି କରି, ସରକାର, ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଘରୋଇ ନିବେଶକୁ ଆକର୍ଷିତ କରିବା ସହିତ ପର୍ଯ୍ୟଟକଙ୍କ ଆଗମନକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି, ଉଚ୍ଚ ମାନର ରହଣି ସୁବିଧାର କ୍ଷମତା ବୃଦ୍ଧି, ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ ଏବଂ ସର୍ବୋପରି ଓଡ଼ିଶାକୁ ଏସିଆର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ପଷ୍ଟ କରିଛନ୍ତି।










