ଗୁଆହାଟୀ: ନାଗରିକ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଭାରତୀୟ ମୁସଲମାନଙ୍କ ପ୍ରତି କୌଣସି ପ୍ରକାର କ୍ଷତି ପହଞ୍ଚାଇବ ନାହିଁ ବୋଲି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ । ବୁଧବାର ଏଠାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ସେ ଆହୁରି କହିଛନ୍ତି ଯେ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରୁ ଭାରତ ଆସୁଥିବା ଅଣମୁସଲମାନଙ୍କ ନିମନ୍ତେ ୨୦୧୯ରେ ସିଏଏ ଆଇନ ପ୍ରଣୟନ ହୋଇଥିଲା । ତେବେ କେତେକ ରାଜନୈତିକ ଦଳ ଏହି ଆଇନକୁ କଦର୍ଥଭାବେ ବ୍ୟାଖ୍ୟା କରୁଥିବାରୁ ଭାରତୀୟ ମୁସଲମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିବା ସେ କହିଛନ୍ତି ।
ଏଭଳି ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଭାଗବତ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସିଏଏ ଆଇନ ୧୯୮୫ ଆସାମ ରାଜିନାମାକୁ ଉଲ୍ଲଘଂନ କରୁଛି ବୋଲି ଯେଉଁ ଅଭିଯୋଗ ହେଉଛି, ତାହା ଅମୂଳକ ବୋଲି ଭାଗବତ କହିଛନ୍ତି । ସିଏଏ କାର୍ଯ୍ୟକାରୀ ହେବାଫଳରେ ଆସାମର ୨୦ ଲକ୍ଷ ଲୋକ ଭାରତୀୟ ନାଗରିକତ୍ୱରୁ ବଞ୍ଚିତ ହୋଇଛନ୍ତି ।
ଏହାଦ୍ୱାରା ଅ।।ସାମର ମୂଳ ବାସିନ୍ଦା ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ ବୋଲି ଆଶା କରାଯାଉଛି । ଏହି ପ୍ରସଙ୍ଗରେ ସେ ୧୯୫୦ରେ ତତ୍କାଳୀନ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଲିଆକଥ ଅଲ୍ଲୀ ଖାନ୍ଙ୍କ ମଧ୍ୟରେ ହୋଇଥିବା ରାଜିନାମା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଉଭୟ ଭାରତ ଓ ପାକିସ୍ତାନ ନିଜ ଦେଶରେ ଥିବା ସଂଖ୍ୟାଲଘୁଙ୍କ ପ୍ରତି କୌଣସି ବିରୋଧାଭାସ କରିବେ ନାହିଁ ବୋଲି ରାଜିନାମାରେ ଉଲ୍ଲେଖ କରାଯାଇଥିଲା ।