ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭରୁ ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ନେଇଛି ଭୟଙ୍କର ରୂପ । ବିଶ୍ୱର ସବୁଠାରୁ ପ୍ରଦୂଷିତ ୫୦ଟି ସହର ମଧ୍ୟରୁ ୪୯ଟି କେବଳ ଭାରତରେ ଥିବା ଏକ୍ୟୁଆଇ ତଥ୍ୟରୁ ଜଣାପଡ଼ିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ ୮୨୧ ରେକର୍ଡ ହୋଇଥିବା ବେଳେ ଭାରତ ବାହାରୁ କେବଳ ପାକିସ୍ତାନର ଲାହୋର ୧୪ତମ ସ୍ଥାନରେ ସ୍ଥାନ ପାଇଛି । ତଥ୍ୟ ଅନୁସାରେ, ପଞ୍ଜାବର ଭଟିଣ୍ଡା ୬୨୯ ଏକ୍ୟୁଆଇ ସହ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ହରିୟାଣାର ସିର୍ସା ତୃତୀୟ, ହିସାର ଚତୁର୍ଥ ଏବଂ ଫରିଦକୋଟ ପଞ୍ଚମ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀ ୩୯୩ ଏକ୍ୟୁଆଇ ସହ ୨୪ତମ ସ୍ଥାନରେ ଥିବା ବେଳେ ଲୁଧିଆନା, ପଟିଆଲା, ବଦାୟୁଁ, ଜୌନପୁର ଓ ଗୋରଖପୁର ଭଳି ସହରଗୁଡ଼ିକରେ ମଧ୍ୟ ବାୟୁମାନ ବିଷାକ୍ତ ସ୍ତରରେ ପହଞ୍ଚିଛି । ଦୀପାବଳି ପରଦିନ ଦିଲ୍ଲୀରେ ଏକ୍ୟୁଆଇ ୬୬୩ ଛୁଇଁଥିଲା, ଯାହା ଗତବର୍ଷ ତୁଳନାରେ ୬୯ ପ୍ରତିଶତ ଅଧିକ । ଏପଟେ ପ୍ରଦୂଷଣକୁ ନେଇ ରାଜନୈତିକ ଟଣାଓଟରା ମଧ୍ୟ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ର ପଞ୍ଜାବରେ ନଡ଼ାପୋଡ଼ି ବୃଦ୍ଧିକୁ ଦାୟୀ କରିଥିବା ବେଳେ ଆମ୍ ଆଦ୍ମୀ ପାର୍ଟି ଏହାକୁ ଖଣ୍ଡନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ବର୍ଷାର କୌଣସି ସମ୍ଭାବନା ନଥିବାରୁ ପ୍ରବଳ ପବନ କିମ୍ବା ବର୍ଷା ବିନା ଲୋକଙ୍କୁ ଏହି ବିଷାକ୍ତ ବାୟୁରୁ ମୁକ୍ତି ମିଳିବା କଷ୍ଟକର ହୋଇପଡ଼ିଛି ।










