ଆସାମ: ଆସାମର ଗୁଆହାଟୀ ନିକଟରେ ବୁଧବାର ସକାଳେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ଡିଗାରୁ ଅଞ୍ଚଳରେ ସାଇରାଙ୍ଗ- କୋଲକାତା ଏକ୍ସପ୍ରେସର ଇଞ୍ଜିନ ସମେତ ୭ଟି ବଗି ଲାଇଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ଏହି ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇବା ମାତ୍ରେ ରେଳ ପ୍ରଶାସନ ଓ ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଦୁର୍ଘଟଣାର ସମ୍ପର୍କରେ ସୂଚନା ମିଳିବା ପରେ ରେଳବାଇର ଉଦ୍ଧାରକାରୀ ଟିମ ତୁରନ୍ତ ରିଲିଫ ଓ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା । ଦୁର୍ଘଟଣାଗ୍ରସ୍ତ ବଗି ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରିବା ପାଇଁ ଘଟଣାସ୍ଥଳକୁ ଏକ ରିଲିଫ ଟ୍ରେନ ମଧ୍ୟ ପଠାଯାଇଛି । ଏହି ରେଳ ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଥିବା ଉଦ୍ଧାରକାରୀଦଳ ଯାତ୍ରୀଙ୍କୁ ସହାୟତା କରିବା ସହ ପ୍ରଭାବିତ ବଗିଗୁଡିକ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କରିଥିଲେ । ଏହି ରେଳ ଦୁର୍ଘଟଣାର ପ୍ରଭାବ ଉତ୍ତର- ପୂର୍ବ ଭାରତର ରେଳ ସେବା ଉପରେ ମଧ୍ୟ ପଡିଛି । ଉପର ଆସାମ ଆଡକୁ ଯାଉଥିବା ଟ୍ରେନଗୁଡିକର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ମିଜୋରାମ, ମଣିପୁର ଓ ତ୍ରିପୁରା ଆଡକୁ ଯାଉଥିବା ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି । ଅନେକ ଟ୍ରେନର ଚଳାଚଳ ମାର୍ଗରେ ପରିବର୍ତ୍ତନ କରିବାକୁ ପଡିଛି ।










