ଭୁବନେଶ୍ୱର: ରାଜ୍ୟରେ ହଠାତ୍ ଖସିବାରେ ଲାଗିଛି ରାତିର ତାପମାତ୍ରା । ସୋମବାର ୧୪ ଡିଗ୍ରିକୁ ଖସିଥିବା ସର୍ବନିମ୍ନ ପାରଦ ୧୨ ଡିଗ୍ରି ତଳକୁ ଖସିଆସିଛି । କୋରାପୁଟର ସିମିଳିଗୁଡ଼ାରେ ୧୧.୬ ଡିଗ୍ରି ସହ ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ୧୩ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏବେ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ସିମିଳିଗୁଡ଼ା ପଛକୁ ଜି.ଉଦୟଗିରିରେ ୧୨.୪, ଦାରିଙ୍ଗବାଡ଼ିରେ ୧୪, ଝାରସୁଗୁଡ଼ା ଓ ଫୁଲବାଣୀରେ ୧୪.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଭବାନୀପାଟଣାରେ ୧୪.୬, ନବରଙ୍ଗପୁରରେ ୧୫ ଏବଂ ରାଉରକେଲାରେ ୧୫.୬ ଡିଗ୍ରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ପାରଦ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି କମ୍ ରହିବା ଫଳରେ ସନ୍ଧ୍ୟା ହେଲେ ଥଣ୍ଡା ଅନୁଭୂତ ହେଉଛି । କଟକରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରି ଥିବା ବେଳେ ଭୁବନେଶ୍ୱରରେ ୧୮.୫ ଡିଗ୍ରି ରହିଥିଲା । ଶୀତ ସାଙ୍ଗକୁ କୁହୁଡ଼ିର ଚାଦର ମଧ୍ୟ ଘୋଡ଼େଇ ହେବା ଆରମ୍ଭ କଲାଣି । ରାଉରକେଲାରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ଭିତରକୁ ଖସିଆସିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ଅନ୍ୟପଟେ ଆସନ୍ତା ୭ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ କିମ୍ବା ବର୍ଷାର ସମ୍ଭାବନା ନାହିଁ । ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତେବେ ଏହା ଓଡ଼ିଶା ଉପରେ ସିଧାସଳଖ କୌଣସି ପ୍ରଭାବ ପକାଇବ ନାହିଁ । କେବଳ ଉପକୂଳ ଜିଲ୍ଲାରେ ଆଂଶିକ ମେଘୁଆ ପାଗ ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।










