ଭୁବନେଶ୍ୱର : ଶିଶୁପାଳଗଡ଼ ହତ୍ୟାକାଣ୍ଡର ଖୋଲିବ ଗୁମର । ରିମାଣ୍ଡରେ ଆଣି ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଛି ଧଉଳି ଥାନା ପୋଲିସ। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ନେଇ ଚାଲିଛି ସିନ୍ ରିକ୍ରିଏସନ୍। ହତ୍ୟାରେ ବ୍ୟବହୃତ ବନ୍ଧୁକ କେଉଁଠୁ ଆସିଥିଲା, କେଉଁଠି ରଖାଯାଇଥିଲା ଏବଂ କେମିତି ଗୁଳି ଚଳାଯାଇଥିଲା, ସେନେଇ ତଥ୍ୟ ଯୋଗାଡ଼ କରୁଛି ପୋଲିସ।
ଖବର ଅନୁଯାୟୀ, ନଭେମ୍ବର ୪ ତାରିଖ ରାତି। ଶିଶୁପାଳଗଡ଼ ଅଞ୍ଚଳର ଏକାଠି ହୋଇଥିଲେ କିଛି ଯୁବକ। ଚାଲିଥିଲା ଭୋଜିଭାତ ସହ ମଦ୍ୟପାନ। ଏହି ସମୟରେ ଏକ ନୂଆ ପିସ୍ତଲକୁ ନେଇ ଉତ୍ସବ କରାଯାଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ସେଠାରେ ଉପସ୍ଥିତ ଥିଲେ ୨୫ ବର୍ଷୀୟ ତପୁ ନାୟକ। ହଠାତ୍ କୌଣସି କଥାକୁ ନେଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହାରି ଭିତରେ ପିସ୍ତଲରୁ ଫୁଟିଥିଲା ଗୁଳି। ଗୁଳି ସିଧା ଯାଇ ବାଜିଥିଲା ତପୁଙ୍କ ଛାତିରେ। ଗୁରୁତର ଅବସ୍ଥାରେ ତାଙ୍କୁ ଅଭିଯୁକ୍ତମାନେ ସ୍କୁଟରରେ ନେଇଥିଲେ ଡାକ୍ତରଖାନା। ପରେ ଚିକିତ୍ସାଧୀନ ଅବସ୍ଥାରେ ତପୁଙ୍କ ମୃତ୍ୟୁ ହୋଇଥିଲା। ହେଲେ ଘଟଣାକୁ ଲୁଚାଇବାକୁ ଅଭିଯୁକ୍ତମାନେ ରଚିଥିଲେ ଏକ କାହାଣୀ । ମାଉସୀ ମା’ ଛକ ଓଭରବ୍ରିଜ୍ ନିକଟରେ ଦୁଇ ଅଜଣା ଦୁର୍ବୃତ୍ତ ତପୁଙ୍କୁ ଗୁଳି ମାରିଥିବା ଅଭିଯୁକ୍ତମାନେ ଆରମ୍ଭରୁ କହିଥିଲେ। କିନ୍ତୁ ସିସିଟିଭି ଯାଞ୍ଚ ଓ ଅନ୍ୟ ପ୍ରମାଣରୁ ସେମାନଙ୍କ କାହାଣୀରେ ତାଳମେଳ ନଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ଜେରାରେ ପ୍ରକୃତ ଘଟଣାସ୍ଥଳ ଶିଶୁପାଳଗଡ଼ ବୋଲି ଜଣାପଡ଼ିଥିଲା।ଶେଷରେ ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା। ହତ୍ୟାରେ ବ୍ୟବହୃତ ୭.୬୫ ଏମ୍ଏମ୍ ପିସ୍ତଲକୁ ଗଙ୍ଗୁଆ ନାଳରୁ ଉଦ୍ଧାର କରାଯାଇଥିଲା। ଗୋଟିଏ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ମଧ୍ୟ ଜବତ ହୋଇଥିଲା। ଆଉ ଏବେ ରିମାଣ୍ଡରେ ଆଣି ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଛି ଧଉଳି ଥାନା ପୋଲିସ। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ନେଇ ଚାଲିଛି ସିନ୍ ରିକ୍ରିଏସନ୍।










