31.1 C
Bhubaneswar
Tuesday, November 10, 2026
Homeଓଡିଶାଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ‘ୱାମିସ୍’

ଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ‘ୱାମିସ୍’

ଭୁବନେଶ୍ୱର : ରାଜ୍ୟର ଜଳ ସମ୍ପଦ କ୍ଷେତ୍ରରେ ସ୍ୱଚ୍ଛତା, ଦକ୍ଷତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ୱାର୍କସ୍ ଆଣ୍ଡ ଆକାଉଣ୍ଟସ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍’ (ୱାମିସ୍) ମାଧ୍ୟମରେ ଡିଜିଟାଲ୍ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏହି ବ୍ୟବସ୍ଥା ଅଧୀନରେ ପ୍ରକଳ୍ପ ପରିଚାଳନା, ଆର୍ଥିକ ପ୍ରଶାସନ ଓ କାର୍ଯ୍ୟର ଅନୁଧ୍ୟାନକୁ ଏକକ ଡିଜିଟାଲ୍ ପ୍ଲାଟଫର୍ମରେ ସମନ୍ୱିତ କରାଯାଇଛି।

ଏହି ପଦକ୍ଷେପର ଅଂଶସ୍ୱରୂପ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୨୫ଟି ପ୍ରଶିକ୍ଷଣ ଅଧିବେଶନ ମାଧ୍ୟମରେ ୭୦୦ରୁ ଊର୍ଦ୍ଧ୍ୱ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ବଜେଟ୍ ପରିଚାଳନା, ପ୍ରକଳ୍ପ ଯୋଜନା ଓ ଅନୁମୋଦନ, କାର୍ଯ୍ୟ ସମ୍ପାଦନ, ବିଲ୍ ପ୍ରସ୍ତୁତି, ହିସାବରକ୍ଷଣ, ଟ୍ରେଜେରୀ ସମନ୍ୱୟ ଏବଂ ଡ୍ୟାସ୍‌ବୋର୍ଡ ମାଧ୍ୟମରେ କାର୍ଯ୍ୟ ଅନୁଧ୍ୟାନ ଆଦି ବିଷୟ ସାମିଲ ରହିଛି।

ୱାମିସ୍ ମାଧ୍ୟମରେ ପ୍ରକଳ୍ପର ଭୌତିକ ଅଗ୍ରଗତି ସହ ଆର୍ଥିକ ବ୍ୟୟର ନିରନ୍ତର ଅନୁଧ୍ୟାନ ସମ୍ଭବ ହୋଇପାରୁଛି। ଏହାର ମୋବାଇଲ୍ ଆଧାରିତ ଯାଞ୍ଚ ବ୍ୟବସ୍ଥା ଜିଓ-ଟ୍ୟାଗ୍ ଫଟୋ ସହ କ୍ଷେତ୍ରସ୍ତରରେ କାର୍ଯ୍ୟର ସ୍ଥିତି ଯାଞ୍ଚ କରିବାରେ ସହାୟକ ହେଉଛି।

ସରକାରୀ ଇ-ପ୍ରୋକ୍ୟୁରମେଣ୍ଟ୍ ପ୍ଲାଟଫର୍ମ (GePNIC) ସହ ୱାମିସ୍‌ର ସମନ୍ୱୟ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଅଧିକ ସରଳ ଓ ସ୍ୱଚ୍ଛ ହୋଇପାରିଛି। ଟେଣ୍ଡର ପୂର୍ବବର୍ତ୍ତୀ ତଥ୍ୟ ଓ କାର୍ଯ୍ୟାଦେଶ ସମ୍ପର୍କିତ ବିବରଣୀର ଡିଜିଟାଲ୍ ଆଦାନପ୍ରଦାନ ଦ୍ୱାରା ପୁନରାବୃତ୍ତି ତଥ୍ୟ ଏଣ୍ଟ୍ରି ଓ ମାନବୀୟ ତ୍ରୁଟି ହ୍ରାସ ପାଉଛି।

ଏହାସହ ୱାମିସ୍‌ର ଏଜେନ୍ସି ଇଣ୍ଟରଫେସ୍ କାର୍ଯ୍ୟକ୍ଷମ ହୋଇଛି। ଏହା ମାଧ୍ୟମରେ ଠିକାଦାରମାନେ କାର୍ଯ୍ୟ ଯୋଜନା, ମାପ ଦାବି, ଜିଏସ୍‌ଟି ଇନଭଏସ୍ ଓ ଅନ୍ୟାନ୍ୟ ଆବଶ୍ୟକ ଆବେଦନ ଡିଜିଟାଲ୍ ମାଧ୍ୟମରେ ଦାଖଲ କରିପାରୁଛନ୍ତି। ମହାଲେଖାକାରଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଟ୍ରେଜେରୀ ସହ ସମନ୍ୱୟ ଦ୍ୱାରା ହିସାବର ମେଳକ ଓ ଆର୍ଥିକ ରିପୋର୍ଟିଂ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହୋଇଛି।

ଡିଜିଟାଲ୍ ଅଡିଟ୍ ଟ୍ରେଲ୍, ସ୍ୱୟଂଚାଳିତ ରିପୋର୍ଟିଂ ଓ ରିଅଲ୍-ଟାଇମ୍ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ପ୍ରକଳ୍ପର ଅଗ୍ରଗତି, ବଜେଟ୍ ବିନିଯୋଗ ଓ କାର୍ଯ୍ୟାନ୍ୱୟନର ସ୍ଥିତି ଅନୁଧ୍ୟାନ କରାଯାଇପାରୁଛି। ଏହା ଫଳରେ ମାନୁଆଲ୍ ପ୍ରକ୍ରିୟା ହ୍ରାସ ପାଇବା ସହ ନିଷ୍ପତ୍ତି ଗ୍ରହଣରେ ଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ପାଉଛି। ଜନସାଧାରଣଙ୍କ ଅର୍ଥର ସୁବିନିଯୋଗ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଦକ୍ଷ ପରିଚାଳନା ଦିଗରେ ୱାମିସ୍ ଏକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପଦକ୍ଷେପ ଭାବେ ଉଭା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking