ଭୁବନେଶ୍ୱର: ଜେଲ୍ରେ ଥିବା ବୟସ୍କ ଓ ଜୀବନର ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ଜଟିଳ ରୋଗରେ ପୀଡ଼ିତ କଏଦୀଙ୍କ ଆଗୁଆ ମୁକ୍ତି ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ପ୍ରଚଳିତ ୨୦୨୨ ମସିହାର ଆଗୁଆ ମୁକ୍ତି ମାର୍ଗଦର୍ଶିକାର ସମୀକ୍ଷା କରାଯିବ। ଏହାର ସଂଶୋଧନ ଓ ନୂଆ ନୀତି ପ୍ରସ୍ତୁତି ପାଇଁ ଗୃହ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟିରେ ଗୃହ ବିଭାଗର ଶାସନ ସଚିବ କିମ୍ବା ତାଙ୍କ ମନୋନୀତ ପ୍ରତିନିଧି ଅଧ୍ୟକ୍ଷ ରହିବେ। ଏହା ସହ ଆଇନ ବିଭାଗର ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଶାସନ ସଚିବ ସଦସ୍ୟ ରହିବେ। ସେହିପରି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଶାସନ ସଚିବ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ, ରାଜ୍ୟ ସୂଚନା ଅଧିକାରୀ, ଜେଲ୍ ଅତିରିକ୍ତ ଡିଜି ସଦସ୍ୟ ରହିବେ। ଏହି କମିଟି ଗଠନ ହେବା ଅର୍ଥ ସମସ୍ତ ବୟସ୍କ କିମ୍ବା ଗୁରୁତର ଅସୁସ୍ଥ କଏଦୀଙ୍କୁ ତୁରନ୍ତ ମୁକ୍ତ କରାଯିବ ନୁହେଁ। ଯୋଗ୍ୟତା, ଚିକିତ୍ସାଗତ ସ୍ଥିତି ଓ ଆଇନଗତ ନିୟମ ଆଧାରରେ ମାମଲାଗୁଡ଼ିକର ବିଚାର କରାଯିବ। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କମିଟି ସୁପାରିସ ଦାଖଲ କରିବ।










