ଗଜପତି: ମଦ ପିଇବାକୁ ଯାଇଥିଲେ, ହେଲେ ଆଉ ଘରକୁ ଫେରିଲେନି । ମଦ ବ୍ୟବସାୟକୁ କେନ୍ଦ୍ର କରି ହେଲା ଗଣ୍ଡଗୋଳ। ଆଉ ଶେଷରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ସୂଚନା ଅନୁସାରେ, ମୃତ ବୃଦ୍ଧଙ୍କ ନାଁ ବଳରାମ ଫେତସିଂ । ସେ ଡେକାସିନ୍ଧବା ଗାଁର ବାସିନ୍ଦା । ବଳରାମ ନିକଟସ୍ଥ ଜଙ୍ଗଲ ଭିତରେ ଥିବା ରଙ୍ଗମାଟିଆ ଗାଁକୁ ଯାଇଥିଲେ । ସେଠାରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ରହିଛି । ସେହି ଗାଁକୁ ଯାଇ ବୃଦ୍ଧ ଜଣକ ମଦ ପିଇଥିଲେ ।ତେବେ ମଦ ପିଇବା ପରେ ସେଠାରେ କିଛି ଲୋକଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହି ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ବଳରାମଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବାରିଆବନ୍ଧ ଗାଁ ନିକଟରେ ଥିବା ଏକ ମହୁଲ ଗଛ ମୂଳରୁ ବୃଦ୍ଧଙ୍କ ମୃତଦେହ ମିଳିଥିବା ସୂଚନା ରହିଛି ।










