36.1 C
Bhubaneswar
Saturday, May 4, 2024
Homeଓଡିଶାଭୋଟର ଲିଷ୍ଟରେ ବ୍ୟାପକ ଅନିୟମିତତା କରାଯାଇଛି : ଗୋଲକ ମହାପାତ୍ର

ଭୋଟର ଲିଷ୍ଟରେ ବ୍ୟାପକ ଅନିୟମିତତା କରାଯାଇଛି : ଗୋଲକ ମହାପାତ୍ର

 ଭୋଟ ଗଣତିରେ ମଧ୍ୟ ଚଂଚକତା କରାଯିବାର ପ୍ରୟାସ କରାଯାଉଛି
ଭୂବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସ୍ୱଚ୍ଛତାକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ନିର୍ବାଚନରେ କ୍ଷମତା, କଳ, ବଳକୁ ଅପବ୍ୟବହାର କରି ବ୍ୟାପକ ମାତ୍ରାରେ ହେରଫେର ଓ ଚଂଚକତା ଜରିଆରେ ଭୋଟ ହାତେଇବାର ହୀନ ପ୍ରୟାସ ଆରମ୍ଭ କରିସାରିଛି ଶାସକ ବିଜେଡି । ଭୋଟର ଲିଷ୍ଟ ପ୍ରସ୍ତୁତିରେ ବ୍ୟାପକ ଘୋଟାଲା କରାଯାଇଛି । ପ୍ରକୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇନାହିଁ ।
ରାଜ୍ୟ ସରକାର ସର୍ବପ୍ରଥମେ ଗୋଟିଏ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ କରି ସାଧାରଣ ଭୋଟରଙ୍କ ଦାବୀ, ଆପତି, ଅଭିଯୋଗ ଆଦି ଶୁଣିବା ପରେ ଯାଇ ଚୁଡାନ୍ତ ଭୋଟର ଲିଷ୍ଟ ଘୋଷଣା ହୋଇଥାନ୍ତା । କିନ୍ତୁ ଅଭିଯୋଗ ତ ଦୂରର କଥା, ଡ୍ରାଫ୍ଟ ଭୋଟର ଲିଷ୍ଟ ମଧ୍ୟ ସାର୍ବଜନୀନ କରାଗଲା ନାହିଁ । ଗତ ଡିସେମ୍ବର ୧୪ ତାରିଖ ଦିନ ଚୁଡାନ୍ତ ଭୋଟର ଲିଷ୍ଟ ପ୍ରକାଶ ପାଇବାର ଥିଲା । ସଂରକ୍ଷଣରେ ପରିବର୍ତନ ହେଉଛି ବୋଲି କହି ଭୋଟର ତାଲିକା ପ୍ରକାଶକୁ ଘୁଂଚାଇ ଘୁଂଚାଇ ଚାଲିଲେ । କେବଳ ଯାଜପୁର ଜିଲ୍ଲା ବ୍ୟତୀତ ଅନ୍ୟ କୈାଣସି ଜିଲ୍ଲାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇନାହିଁ । ଭୋଟର ଲିଷ୍ଟ ମାଗିଲେ ମଧ୍ୟ ଜିଲ୍ଲାପାଳ ଏବଂ ବିଡିଓମାନେ ଦେଉନାହାନ୍ତି ଏବଂ ତାଙ୍କୁ ବାରଣ କରାଯାଇଛି ବୋଲି ମଧ୍ୟ କହୁଛନ୍ତି । ଚୁଡାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖ ଶେଷ ହୋଇଯାଇଥିଲେ ସୁଦ୍ଧା କାହିଁକି ପ୍ରକାଶ ପାଇନାହିଁ ?
ପ୍ରତ୍ୟେକ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଗୋଟିଏ ଏବଂ ପ୍ରତ୍ୟେକ ରାଜନୈତିକ ଦଳମାନଙ୍କୁ ୨-୨ଟି କପି ପଠାଇବାର ନିୟମ ଥିବା ସତ୍ୱେ ତାଲିକା ଦେବା ପାଇଁ ତାଙ୍କ ପାଖକୁ କୈାଣସି ନିର୍ଦ୍ଧିଷ୍ଟ ବିଜ୍ଞପ୍ତି ବା ନିର୍ଦ୍ଦେଶ ଆସି ନାହିଁ ବୋଲି ଜିଲ୍ଲାର ଡିପିଓମାନେ ଉତର ରଖୁଛନ୍ତି । ଭୋଟର ତାଲିକା ପ୍ରକାଶ ନକରାଯାଇ ରାଜ୍ୟରେ କେମିତି ପଂଚାୟତ ନିର୍ବାଚନ ହେବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ସେହିପରି ପ୍ରତ୍ୟେକ ଜୋନ ପାଇଁ ଗୋଟିଏ ସ୍ଥାନରେ ଭୋଟ ଗଣତି ହେବ ବୋଲି ଘୋଷଣା କରାଯିବା ମଧ୍ୟ ସ୍ୱଚ୍ଛ ନିର୍ବାଚନ ପରିଚାଳନାକୁ ନେଇ ଉତ୍ପନ ହୋଇଥିବା ସନ୍ଦେହକୁ ଦୃଢୀଭୁତ କରିଛି । ଗୋଟିଏ ଜିଲ୍ଲା ପରିଷଦ ଜୋନରେ ୬ ରୁ ୮ଟି ପଂଚାୟତ ଏବଂ ୧୦୦ ରୁ ୧୫୦ ପର୍ଯ୍ୟନ୍ତ ୱାର୍ଡ ରହିଛି । ଏ ସମସ୍ତ ପାଇଁ ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ସମସ୍ତ ପଦ ପାଇଁ ସର୍ବନିମ୍ନ ୭୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ଥିବାବେଳେ ସମାନ ସଂଖ୍ୟାରେ ତାଙ୍କ ଏଜେଂଟ ମଧ୍ୟ ଥିବେ । ଏହା ବ୍ୟତୀତ ଭୋଟ ଗଣତି କର୍ମଚାରୀ ଥିବେ । ଏଭଳି ଭିଡରେ ଭୋଟ ଗଣତି କିପରି ସ୍ୱଚ୍ଛ ହେବ ? କରୋନା ସଂକ୍ରମଣ କାରଣରୁ ଜନଗହଳି ହ୍ରାସ କରିବାକୁ ଗାଇଡଲାଇନ ଥିବାବେଳେ ଅଯଥା ଗହଳି କରାଯାଇ ଚଂଚକତା କରିବାର ପ୍ରୟାସ କରୁଛି ଶାସକ ବିଜେଡି । ତେଣୁ ଭୋଟ ଗଣତିରେ ମଧ୍ୟ ସ୍ୱଚ୍ଛତା ରହିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଚୁଡାନ୍ତ ନିଷ୍ପତି ଗ୍ରହଣ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଡେମୋ ଦେଖାଇବା ଉଚିତ୍ । ନଚେତ୍ ପୁରୁଣା ପଦ୍ଧତିରେ ଭୋଟ ଗଣନା କରାଯାଉ । ରାଜ୍ୟ ନିର୍ବାଚନ କମିଶନ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛତାର ସହ ପରିଚାଳନା କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ପଂଚାୟତରାଜ ବିଭାଗ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking