34.1 C
Bhubaneswar
Saturday, May 18, 2024
Homeଓଡିଶାଉତ୍ତର ଓଡିଶାର ରେଲଭିତ୍ତି ଭୂମିର ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ଉତ୍ତର ଓଡିଶାର ରେଲଭିତ୍ତି ଭୂମିର ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ବାଲେଶ୍ୱର: ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଅର୍ଥନୈତିକ କେନ୍ଦ୍ର ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଏବଂ ନୀଳଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ପତ୍ରଲେଖି ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର-ନୀଳଗିରି ରେଳ ଲାଇନ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବାରୁ ନବଜ୍ୟୋତି ତାହାକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ସରକାରଙ୍କ ସମୟରେ ବାଲେଶ୍ୱରରେ ଏକାଧିକ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ଏଠାରେ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରାଯାଇ ନଥିବାବେଳେ ପୂର୍ବରୁ ଥିବା ଶିଳ୍ପଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି । ଯଦ୍ଦ୍ୱାରା ଏହି ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ସହିତ ଜନସାଧାରଣଙ୍କ ଦୁର୍ଦ୍ଦଶା ବୃଦ୍ଧିପାଇବାରେ ଲାଗିଛି । ଶ୍ରୀ ବୈଷ୍ଣବ ବାଲେଶ୍ୱର ଜିଲ୍ଲାପାଳ ଭାବରେ ପୂର୍ବରୁ କାର୍ଯ୍ୟ କରିଥିବାରୁ ସେ ଏସମ୍ପର୍କରେ ଅବଗତ ଥିବେ । କୋଭିଡ ମହାମାରୀ ଜନିତ କଟକଣା ଏଠାକାର ଅର୍ଥନୀତିକୁ ଅଧିକ ଖରାପ କରିଦେଇଛି । ସେ ଦୈନନ୍ଦିନ ଭିତ୍ତିରେ ବାଲେଶ୍ୱରବାସୀଙ୍କ ସହିତ ଭାବ ଆଦାନ ପ୍ରଦାନ କରୁଥିବାରୁ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କେତେକ ଉପାଦେୟ ପରାମର୍ଶ ଦେବାକୁ ଉଚିତ ମନେ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବାଲେଶ୍ୱର ଏବଂ ସମୁଦାୟ ଉତ୍ତର ଓଡ଼ିଶାର ଅର୍ଥନୈତିକ ବିକାଶ ନିମନ୍ତେ ବୃହତ୍ତର ଯୋଜନା ପ୍ରସ୍ତୁତ କରିବା ସମୟରେ ଏଠାରେ ରେଳ ଭିତ୍ତିଭୂମିର ବିକାଶକୁ ଏକ ଅଂଶ ଭାବରେ ସାମିଲ କରାଯିବା ଉଚିତ । ସଂପ୍ରତି ବାଲେଶ୍ୱରରେ ରେଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଖଡଗପୁର ଡିଭିଜନ ଅଧୀନରେ ରହିଛି ଏବଂ ଏହି କାରଣରୁ ରେଳ ମନ୍ତ୍ରଣାଳୟର ନୀତି ଏବଂ ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ବାଲେଶ୍ୱର ଏବଂ ଉତ୍ତର ଓଡ଼ିଶାର ସ୍ୱାର୍ଥ ସ୍ଥାନ ପାଉନାହିଁ । ବାଲେଶ୍ୱର ଏବଂ ଉତ୍ତର ଓଡ଼ିଶା ପ୍ରତି ରେଳବାଇର ଅବହେଳା କେବଳ ମାନସିକତା ମଧ୍ୟରେ ସୀମିତ ରହିନାହିଁ, ସେହି କାରଣରୁ ଏଠାରେ ରେଳ ଭିତ୍ତିଭୂମିର ବିକାଶ ମଧ୍ୟ ମନ୍ଥର ଗତିରେ ଚାଲିଛି । ସେଥିପାଇଁ ବାଲେଶ୍ୱରରେ ଏକ ରେଳ ଡିଭିଜନ ଯଥାଶୀଘ୍ର ପ୍ରତିଷ୍ଠା କରାଗଲେ ତାହା ଅଞ୍ଚଳବାସୀଙ୍କର ନାର୍ଯ୍ୟ ଆଶା ଆକାଂକ୍ଷା ପୂରଣ ଦିଗରେ ବିଶେଷ ସହାୟକ ହେବା ସହିତ ଏହି ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ଘଟିବ, ଯାହା ଗତ ଦୁଇ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଛି । ବାଲେଶ୍ୱର ମୃତ ଶିଳ୍ପଗୁଡିକର ସହର ଭାବରେ ପରିଚିତ ହେବାକୁ ଯାଉଥିବାବେଳେ ସେଥିରେ ଯଥାଶୀଘ୍ର ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।
ଏଥିସହିତ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଉତ୍ତର ଓଡ଼ିଶାର ୮୦ କିଲୋମିଟର ଦୀର୍ଘ ବେଳାଭୂମି ସହିତ ନୀଳଗିରି ଏବଂ ମୟୁରଭଞ୍ଜର ପାର୍ବତ୍ୟାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସଂଯୁକ୍ତ କରାଯାଇପାରିବ ।ବାଲେଶ୍ୱର-ନୀଳଗିରି ରେଳପଥକୁ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଉତ୍ତର ଓଡିଶାର ଖଣି ଅଞ୍ଚଳକୁ ସମ୍ପ୍ରସାରଣ କରାଗଲେ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ । ଉକ୍ତ ରେଳ ଲାଇନର ମୁଖ୍ୟ ଭାଗ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମଧ୍ୟ ଦେଇ ଯିବ, ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ, ବହୁବିଧ ଜୀବଜନ୍ତୁ, ବୃକ୍ଷଲତା, ବନ୍ୟପ୍ରାଣୀରେ ଭରପୂର ଏବଂ ଏହାଦ୍ୱାରା ପର୍ଯ୍ୟଟନର ବିକାଶ ଘଟିବ । ତାହା ସହିତ ଉଦୟପୁର ଦେଇ ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଏବଂ ଏହି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠଗୁଡିକୁ ସଂଯୁକ୍ତ କରି ଏକ ରେଳଲାଇନ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଦଶନ୍ଧି ଦଶନ୍ଧି ଧରି ଏଥିପାଇଁ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ ତାହା ସାକାର ହୋଇପାରିନାହିଁ । ଅନୁରୂପ ଭାବରେ ରୂପ୍ସା-ବାଙ୍ଗିରପୋଷି ରେଳ ଲାଇନକୁ ଗୋରୁମହିଷାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଅସରନ୍ତି ଆଲୋଚନା ଚାଲିଛି । ଏହା ନିର୍ମାଣ କରାଗଲେ ଜାମସେଦପୁର ସହିତ କମ୍ ଦୂରତା ବିଶିଷ୍ଟ ଯୋଗାଯୋଗ ସମ୍ଭବ ହୋଇପାରନ୍ତା ଏବଂ ତାହା ଏହି ଅଞ୍ଚଳର ଅର୍ଥନୀତି ପାଇଁ ବିଶେଷ ଫାଇଦା ପହଞ୍ଚି ପାରନ୍ତା। ବାଲେଶ୍ୱର ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ସୁଯୋଗ ରହିଛି । ଏ କ୍ଷେତ୍ରରେ ରେଳ ମନ୍ତ୍ରଣାଳୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହି ସମସ୍ତ ପ୍ରସ୍ତାବଗୁଡିକ ସାକାର ହେଲେ ତାହା ଉତ୍ତର ଓଡ଼ିଶାର ପୂର୍ଣ୍ଣାଙ୍ଗ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ଏବଂ ତାହାସହିତ ଏହା କେନ୍ଦ୍ର ସରକାରଙ୍କର ପୂର୍ବ ଭାରତର ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ‘ପୂର୍ବୋଦୟ’ ଅଭିଯାନ କ୍ଷେତ୍ରରେ ପରିପୂରକ ଭୂମିକା ନିର୍ବାହ କରିପାରିବ । ରେଳମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking