36.1 C
Bhubaneswar
Thursday, May 2, 2024
Homeଓଡିଶାଏସ୍‌ଏଚ୍‌ଜି ମହିଳାଙ୍କୁ ଧମକଚମକ ଓ ଅପମାନିତ କରିଥିବା ବିଜେପି କ୍ଷମା ନ ମାଗିଲେ ବ୍ୟାପକ ଆନ୍ଦୋଳନ...

ଏସ୍‌ଏଚ୍‌ଜି ମହିଳାଙ୍କୁ ଧମକଚମକ ଓ ଅପମାନିତ କରିଥିବା ବିଜେପି କ୍ଷମା ନ ମାଗିଲେ ବ୍ୟାପକ ଆନ୍ଦୋଳନ ହେବ: ବିଜେଡି

ସୀମା ଟପିଲାଣି ଦେବଗଡ଼ର ବିଜେପି ବିଧାୟକ ଓ ନେତାଙ୍କ ଗୁଣ୍ଡାଗର୍ଦ୍ଦି

 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମାଣାଧୀନ ପାଚେରୀ ଭାଙ୍ଗିଥିଲେ
 ସ୍ୱାବଲମ୍ବୀ ହେଉଥିବା ମା’ମାନଙ୍କୁ ଏମିତି ସମ୍ମାନ ଦେଉଛି ବିଜେପି !
 ୮ ମାସ ତଳେ ତିଳେଇବଣିର ଆଦିବାସୀ ବିଡିଓଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ
 ଦଳୀୟ କାଉନସିଲରଙ୍କୁ ମତାଇ ପୌର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ
ଭୁବନେଶ୍ୱର, : ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି । ସୋମବାର ପୂର୍ବାହ୍ନରେ ଶ୍ରୀ ପାଣିଗ୍ରାହୀ କିଛି ଦଳୀୟ ସମର୍ଥକଙ୍କ ସହ ଯାଇ ଦେବଗଡ଼ ସହରର ଟାଉନ ହଲ୍ ଚାରିପଟେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମାଣ କରାଯାଉଥିବା ଏକ ପାଚେରିକୁ ଭାଙ୍ଗି ଦେବା ସହ ମହିଳାମାନଙ୍କୁ ଧମକଚମକ ଦେଇ ଯେଉଁଭଳି ଆତଙ୍କରାଜ ସୃଷ୍ଟି କରିଥିଲେ ତାହାକୁ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଲେ ଯେ ଯେତେବେଳେ ଗୋଟିଏ ପଟେ ରାଜ୍ୟ ସରକାର ମା’ମାନଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରୁଥିବାବେଳେ ଅନ୍ୟପଟେ ବିଜେପି ନେତାମାନେ ମା’ମାନଙ୍କୁ ଅପମାନିତ କରୁଛନ୍ତି, ନିର‌୍ୟ‌।ତନା ଦେଉଛନ୍ତି ଏବଂ ଧମକଚମକ ଦେଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି । ଯାହାର ଉଦାହରଣ ଗତକାଲି ଦେବଗଡ଼ରେ ଦେଖିବାକୁ ମିଳିଛି । ଦେବଗଡ଼ ପୌରପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ଏହି ପାଚେରି ନିର୍ମାଣ ଲାଗି ହରିଓମ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଧିବଦ୍ଧ ଭାବେ ୧୪ ଲକ୍ଷ ୬୫ ହଜାର ୩ଶହ ଟଙ୍କାର କାର‌୍ୟ୍ୟାଦେଶ (ସଂଖ୍ୟା ୧୪/୫.୧.୨୩) ମିଳିଥିଲା । ସେମାନେ ଏହି କାର‌୍ୟ୍ୟାଦେଶ ପାଇଲା ପରେ ପାଚେରି ନିର୍ମାଣ କାର‌୍ୟ୍ୟ ଜାରି ରଖିଥିଲେ । ମାତ୍ର ଗତକାଲି ସକାଳ ପ୍ରାୟ ୧୦ଟାବେଳେ ଅଚାନକ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କର କିଛି ଗୁଣ୍ଡାଶ୍ରେଣୀୟ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଶାବଳ ଓ ଗଇଁତିରେ ଏହାକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ । ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏପରି ନ କରିବା ଲାଗି ତାଙ୍କୁ ଯେତେ ଅନୁନୟ ବିନୟ ହୋଇଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ବରଂ ଓଲଟି ସେମାନଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ ।
ଏହି ଘଟଣା ପରେ ଆଇନକୁ ହାତକୁ ନେଇଥିବା ଦେବଗଡ଼ ବିଧାୟକଙ୍କ ବିରୋଧରେ ପୌରପାଳିକା ଏବଂ ହରିଓମ୍ ମହିଳା ଏସ୍‌ଏଚ୍‌ଜି ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା । ଏ ନେଇ ବିଧାୟକଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଛି । ସେପ‌ଟେ ବିଧାୟକଙ୍କ ଏଭଳି ଦାଦାଗିରିକୁ ନେଇ ଦେବଗଡ଼ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସହସ୍ରାଧିକ ମହିଳା ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି ।
ଜଣେ ବିଧାୟକ ହୋଇ ମଧ୍ୟ ଶ୍ରୀ ପାଣିଗ୍ରାହୀ ଯେଉଁଭଳି ଭାବେ ଆଇନକୁ ହାତକୁ ନେଇ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଛନ୍ତି ଏବଂ ଏସ୍‌ଏଚ୍‌ଜିର ନିରୀହ ମହିଳାମାନଙ୍କୁ ଅପମାନିତ କରିବା ସହ ଧମକଚମକ ଦେଇଛନ୍ତି, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଭାରତୀୟ ଜନତା ପାର୍ଟିକୁ ଆମର ପ୍ରଶ୍ନ: ବିଜେପି ମହିଳାମାନଙ୍କୁ ଏମିତି ସମ୍ମାନ ଦିଏ କି ?
ବିଜେଡିର ଅନ୍ୟତମ ପ୍ରବକ୍ତା ଇପ୍‌ସିତା ସାହୁ କହିଲେ, ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଏଭଳି କାର‌୍ୟ୍ୟକଳାପରୁ ସ୍ପଷ୍ଟ ହୋଇସାରିଲାଣି ଯେ ସେ ଜଣେ ଅଭ୍ୟାସଗତ ଅପରାଧୀ । କାରଣ ନିୟମିତ ବ୍ୟବଧାନରେ ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଆଉ ତାଙ୍କ ନେତୃତ୍ୱରେ ଦେବଗଡ଼ରେ ବିଜେପିର ଅନ୍ୟ ନେତା ଏବଂ ଜନପ୍ରତିନିଧିମାନେ ମଧ୍ୟ ଗୁଣ୍ଡାଗର୍ଦ୍ଦି କରିବା ସହ କାର‌୍ୟ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ପ୍ରାୟ ୮ ମାସ ତଳେ ୨୦୨୨, ଏପ୍ରିଲ ୩୦ ତାରିଖ ଦିନ ବିଧାୟକ ଶ୍ରୀ ପାଣିଗ୍ରାହୀ ତିଳେଇବଣି ବ୍ଲକ୍ ତତ୍କାଳୀନ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଅନୁସୂଚିତ ଜନଜାତିର ଶ୍ରୀ ଦଳପତି ଏକ ସରକାରୀ ଜମି ଚିହ୍ନଟ କାର‌୍ୟ୍ୟରେ ଛେପଲିପାଲି ଯାଇଥିବା‌ବେଳେ ବିଧାୟକ ନିଜ ଗାଡ଼ିରେ ସେଠାରେ ପହଞ୍ଚି ସ୍ଥାନୀୟ ତହସିଲଦାର ଓ ଅନ୍ୟମାନଙ୍କ ସମ୍ମୁଖରେ ଶ୍ରୀ ଦଳପତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଫେରାର ହୋଇ ଯାଇଥିବା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତହିଁ ପରଦିନ ଦେବଗଡ଼ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା । ଗିରଫ ହେବା ପରେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଦେବଗଡ଼ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ମଧ୍ୟ ତାଙ୍କୁ ଆଇସିୟୁରେ ରଖିବାକୁ ଚାପ ପକାଇଥିଲେ ବିଧାୟକ ଏବଂ ପୋଡ଼ି ଯାଇ ଗୁରୁତର ଅବସ୍ଥାରେ ଥିବା ଜଣେ ୮ ବର୍ଷର ଶିଶୁକୁ ବର୍ଣ୍ଣ ଆଇସିୟୁରୁ ବାହାର କରି ଜୋରଜବରଦସ୍ତ ନିଜେ ରହିଥିଲେ । ଏଥିରୁ ସ୍ପଷ୍ଟ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ କେବଳ ମହିଳା ବି‌ରୋଧୀ ବ୍ୟକ୍ତି ନୁହନ୍ତି, ସେ ଜଣେ ଶିଶୁ ବିରୋଧୀ ମଧ୍ୟ ।
ସେହିପରି ଗତ ୨ ତାରିଖ ଦିନ ବିଧାୟକଙ୍କ ପ୍ରରୋଚନାରେ ଦେବଗଡ଼ ପୌରପାଳିକାର ଉପାଧ୍ୟକ୍ଷ ନିଜ ଦଳ ବିଜେପିର କାଉନସିଲର ତଥା ଜଣେ ସ୍ୱାଧୀନ କାଉନସିଲରଙ୍କୁ ନେଇ ପୌରପାଳିକା କାର‌୍ୟ୍ୟାଳୟରେ ଏକ ଅବୈଧ ବୈଠକ କରିଥିଲେ । ମାତ୍ର ପୌରାଧ୍ୟକ୍ଷାଙ୍କ ଅନୁପସ୍ଥିତିରେ କୌଣସି ବୈଠକ ବୈଧ ନୁହେଁ ବୋଲି ଦର୍ଶାଇ ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ର କୌଣସି ରିଜୋଲ୍ୟୁସନ କରିବାକୁ ମନା କରିବାରୁ ବିଜେପିର ପୌର ଉପାଧ୍ୟକ୍ଷ ଓ ଜଣେ ସ୍ୱାଧୀନ କାଉନସିଲର ତାଙ୍କୁ ମାଡ଼ ମାରିଥିଲେ । ଏ ନେଇ ଶ୍ରୀ ମହାପାତ୍ର ଥାନାରେ ଏତଲା ଦେବା ପରେ ଗତ ୬ ତାରିଖ ଦିନ ପୁଲିସ ଉଭୟଙ୍କୁ ଗିରଫ କରିଥିଲା । ଜଣେ କାର‌୍ୟ୍ୟରତ ସରକାରୀ ଅଧିକାରୀଙ୍କୁ ଏଭଳି ଆକ୍ରମଣ ପଛରେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପ୍ରଚ୍ଛନ୍ନ ନିର୍ଦ୍ଦେଶ ରହିଥିଲା, ତାହା ସମସ୍ତଙ୍କୁ ଜଣା । ଗତକାଲି ପୁନର୍ବାର ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଦଳୀୟ ସମର୍ଥକମାନେ ଏକ ମହିଳା ଏସ୍‌ଏଚ୍‌ଜି ଦ୍ୱାରା ନିର୍ମିତ ପାଚେରି ଭାଙ୍ଗିବା ଏବଂ ଆତଙ୍କରାଜ ସୃଷ୍ଟି କରିବା ଘଟଣା ତାଙ୍କର ହତାଶା ଓ ଅପରାଧିକ ମନୋବୃତ୍ତିକୁ ଦର୍ଶାଉଛି ।
ତେଣୁ ଅଭ୍ୟାସଗତ ଅପରାଧୀ ପାଲଟିଥିବା ଦେବଗଡ଼ ବିଧାୟକଙ୍କର ଏଭଳି ଅପରାଧିକ କାର‌୍ୟ୍ୟକଳାପ ଓ ଅସାମାଜିକ ଆଚରଣକୁ ବିଜୁ ଜନତା ଦଳ ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯିବା ସହିତ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ଏହାଛଡ଼ା ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଅପମାନିତ କରିଥିବା ବିଧାୟକଙ୍କ ଏଭଳି କଳା କାରନାମା ପାଇଁ ରାଜ୍ୟ ବିଜେପି ଓଡ଼ିଶାର ମା’ମାନଙ୍କୁ କ୍ଷମା ନ ମାଗିବା ପର‌୍ୟ୍ୟନ୍ତ, ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking