39.1 C
Bhubaneswar
Friday, April 26, 2024
Homeଓଡିଶାପରାଜୟ ଅପବାଦରୁ ଖସିବାକୁ ବିଜେପି ନାଟକ କରୁଛି: ବିଜେଡି

ପରାଜୟ ଅପବାଦରୁ ଖସିବାକୁ ବିଜେପି ନାଟକ କରୁଛି: ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ସଂକ୍ରାନ୍ତରେ ନିଶ୍ଚିତ ହେବାପରେ ବିଜେପି ଏବେ ବିବ୍ରତ ଓ ହତାଶ ହୋଇପଡିଛି । ଏଥିପାଇଁ ଅଭ୍ୟାସଗତ ଭାବରେ ମିଥ୍ୟା ଅଭିଯୋଗ କରିବା ସହ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ଓ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ ପରାଜୟ ଅପବାଦରୁ ଖସିବାକୁ ବାହାନା ଖୋଜୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଜବାବ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ପ୍ରତିଦିନ ଏଭଳି ଭାବେ ନାଟକ ଓ ଡ୍ରାମାବାଜି କରିବା ବିଜେପିର ଅଭ୍ୟାସଗତ ହୋଇଗଲାଣି । ଲୋକଙ୍କ ନଜର ହଟାଇବା ପାଇଁ ଅସତ୍ୟ ଓ ମିଥ୍ୟା ବକ୍ତବ୍ୟ ଦ୍ୱାରା ଅପପ୍ରଚାରରେ ଏହି ଦଳ ମାତିଛି । ନିକଟରେ ବିଜେପି କର୍ମୀଙ୍କ ପାଖରୁ ୫୦ଲକ୍ଷ ଟଙ୍କା ଜବତ ହେବା, ବିଜେପି କର୍ମୀଙ୍କ ଦ୍ୱାରା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଆକ୍ରମଣ କରାଯିବା, ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଗୁରୁତର ଅବସ୍ଥାରେ ପକାଇବା ସହିତ ତାଙ୍କ ପରିବାର ବର୍ଗଙ୍କ ସହ ଅଶାଳୀନ ଆଚରଣ କରିବା ପରେ ମଧ୍ୟ ବିଜେପି ନିଜକୁ ଲଜ୍ଜିତ ଅନୁଭବ କରୁନାହିଁ । ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଓ ସିଇଓଙ୍କ ଦ୍ୱାରସ୍ଥ ହେବାର ନାଟକ ନକରି ଯଦି ଗୋଟିଏ ରାଜନୈତିକ ଦଳ ଭାବେ ନିର୍ବାଚନ ପ୍ରଚାର କରିଥାନ୍ତେ ତେବେ ବୋଧେ କିଛି ଲାଭ ହୋଇଥାନ୍ତା । କିନ୍ତୁ ବିଜେପି ତାହା ନକରି ହିଂସାକାଣ୍ଡରେ ମାତିଛି । ବିଜେପିର ଏଭଳି ନିତିଦିନିଆ ଡ୍ରାମାକୁ ଓଡିଶାବାସୀ ଭଲଭାବେ ଚିହ୍ନିଛନ୍ତି ଓ ଏହାର ଜବାବ ମଧ୍ୟ ନିୟମିତ ଭାବେ ନିର୍ବାଚନଗୁଡିକରେ ଦେଉଛନ୍ତି । ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବି ଆସନ୍ନ ପରାଜୟକୁ ଦେଖି ବିଜେପି ଏଭଳି ଅଭିଯୋଗ କରିଥିଲା । ଏଭଳି ଅଭିଯୋଗରେ କୌଣସି ନୂତନତ୍ୱ ନାହିଁ ଏବଂ ପିପିଲିବାସୀ ମଧ୍ୟ ପୂର୍ବ ଉପନିର୍ବାଚନଗୁଡିକ ଭଳି ବିଜେପିକୁ ତାହାର ହିଂସ୍ର୍ର ଆଚରଣ ଓ ନାଟକବାଜି ପାଇଁ ପରାଜୟର ଦ୍ୱାର ଦେଖାଇବାକୁ ମନସ୍ଥ କରିଥିବା ଶ୍ରୀମତୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking