30.1 C
Bhubaneswar
Friday, May 3, 2024
Homeଓଡିଶା୨୭ ବର୍ଷ ଧରି ଗ୍ରାମରୁ ବାସନ୍ଦ ମା’ ପୁଅ

୨୭ ବର୍ଷ ଧରି ଗ୍ରାମରୁ ବାସନ୍ଦ ମା’ ପୁଅ

ଗଞ୍ଜାମ : ଜଗନ୍ନାଥପ୍ରସାଦ ବ୍ଲକ୍ ରାଉତି ପଞ୍ଚାୟତ ପାଲପଡ଼ା ଗ୍ରାମର ମୂଳବାସିନ୍ଦା ଅଶୋକ ପ୍ରଧାନ ଓ ତାଙ୍କ ବୁଢୀମା’ ଯଶୋଦା ଯାଯାବର ଜୀବନ କାଟୁଛନ୍ତି ।  ବର୍ଷେ କି ଦୁଇବର୍ଷ ନୁହଁ, ଦୀର୍ଘ ୨୭ ଧରି ନିଜ ଘର ଦ୍ୱାର ଥିବା ସତ୍ତ୍ୱେ ଅସହାୟ ଜୀବନ କାଟୁଛନ୍ତି ମା’ ଓ ପୁଅ । କେବେ ଆମ୍ବ ତୋଟା, ବିଦ୍ୟାଳୟ ବାରଣ୍ଡା ତ ଆଉ କେବେ ନଦୀଶଙ୍ଖ ତଳେ କଟୁଛି ସେମାନଙ୍କ ଜୀବନ । ନ୍ୟାୟ ପାଇଁ ପୁଅ ବୁଢୀ ମା’କୁ ଧରି ଦୀର୍ଘ ୮ ବର୍ଷ ହେଲା ତହସିଲଦାର ଓ ବ୍ଲକ୍ କାର୍ଯ୍ୟାଳୟକୁ ଚକ୍କର କାଟୁଛନ୍ତି । ୨୦୧୩ ମସିହାରେ ଦୁରାରୋଗ୍ୟରେ ବାପା ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ପରେ ଅଶୋକଙ୍କ ଦୁଃଖ ଆହୁରି ବଢିଯାଇଛି । ଅଶୋକଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କିତ ଖବର ଗତ ଦୁଇ ବର୍ଷ ତଳେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଥିଲା । କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଆବାସ ଖଣ୍ଡିଏ ନାହିଁ ।

ଏଭଳି  ସ୍ଥିତିରେ ଆଜି ରାଜ୍ୟ ମାନବ ସୁରକ୍ଷା ଅଧିକାର କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀ ରାଜ୍ୟ କନଭେନର ରାଜୀବ କୁମାର ପଟ୍ଟନାୟକ, ଜିଲ୍ଲା ନିରୀକ୍ଷକ ଭିକାରୀ ନାୟକ, ରମେଶ ଭାରତୀ, ଆଇନଜୀବୀ ସଂଗ୍ରାମ ପ୍ରଧାନ ପ୍ରମୁଖ ଅଶୋକ ଏବଂ ଯଶୋଦାଙ୍କୁ ଖୋଜି ଗାଁ ନିକଟ ଆମ୍ବଗଛ ପାଖରେ ଠାବ କରିଥିଲେ । ଉଭୟଙ୍କ ବୟାନ୍ ରେକର୍ଡ଼ କରିଥିଲେ । ପରେ ଜଗନ୍ନାଥପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ତିନିରୁ ଚାରିଦିନ ଭିତରେ ଉଭୟଙ୍କୁ ଘର ନିର୍ମାଣ ପାଇଁ ଜାଗା ଯୋଗାଇ ଦିଆଯିବା ସହ ଖୁବ୍ ଶୀଘ୍ର ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହାସହ ଘର ନିର୍ମାଣ ପାଇଁ ଅର୍ଥ ସହାୟତା ଯୋଗାଇ ଦେବାକୁ ଏହି ଟିମ୍ ବିଡିଓଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ସୂଚନା ଅନୁଯାୟୀ, ଅଶୋକଙ୍କ ବାପା ସୁରେନ୍ଦ୍ର ୨୭ ବର୍ଷ ତଳେ ଦୁରାରୋଗ୍ୟରେ ପୀଡିତ ହେବାରୁ ତାଙ୍କୁ ପାଲପଡ଼ା ଗ୍ରାମରୁ ବାସନ୍ଦ କରାଯାଇଥିଲା । ତେଜରାତି କିଣିବା, ଗ୍ରାମ କୂଅରୁ ପାଣି ନେବା ଓ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ତାଙ୍କ ପରିବାରକୁ ବାରଣ କରାଯାଇଥିଲା । ପରେ ରୋଗାଗ୍ରସ୍ତ ସୁରେନ୍ଦ୍ର ତାଙ୍କ ପତ୍ନୀ ଯଶୋଦା ଓ ପୁଅ ଅଶୋକକୁ ଧରି ଗାଁଠୁ କିଛି ଦୂର ଆମ୍ବତୋଟାରେ ଏକ କୁଡ଼ିଆ କରି ରହୁଥିଲେ । ଆଉ ଗାଁରେ ଥିବା ତିନିଭରଣ ଜମିକୁ ପଡ଼ୋଶୀ ସନାତନ ପ୍ରଧାନଙ୍କୁ ଭାଗଚାଷ କରିବା ଲାଗି ଦେଇଥିଲେ । ନିକଟ ଗ୍ରାମରେ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରି ଆସୁଥିଲେ ସୁରେନ୍ଦ୍ର । ସେପଟେ ଭାଗଚାଷୀ ସନାତନ ବର୍ଷକୁ ମହାସୁଲ୍ ଦେଉଥିଲେ । କିନ୍ତୁ କିଛି ବର୍ଷ ପରେ ସେ ମହାସୁଲ୍ ଦେବା ବନ୍ଦ କରିଦେଇଥିଲେ ।

ସେପଟେ ବାସନ୍ଦ କାରଣରୁ ସୁରେନ୍ଦ୍ର ଆଉ ଗାଁକୁ ଯାଇପାରୁନଥିଲେ । ଏଭଳି ଭାବେ ମାନସିକ ଯନ୍ତ୍ରଣା ଭିତରେ ୨୦୧୩ ମସିହାରେ ସୁରେନ୍ଦ୍ର ଜିରାବାଡ଼ି ଗ୍ରାମ ନିକଟ ଆମ୍ବତୋଟାରେ ମୃତ୍ୟୁବରଣ କରିଥିଲେ । ପୁରୀରେ ତାଙ୍କ ଶୁଦ୍ଧିକ୍ରିୟା ହୋଇଥିଲା । ପରେ ମା’ ଓ ପୁଅ ଗାଁକୁ ଫେରିଥିବା ବେଳେ ଗ୍ରାମରେ ଥିବା ତାଙ୍କ ଘର ନଥିବା ଦେଖିବାକୁ ପାଇଥିଲେ । ପଡୋଶୀ ସନାତନ ତାଙ୍କ ଘରକୁ କବ୍‌ଜା କରିବା ସହ ଭାଙ୍ଗି ଗୁହାଳ କରିସାରିଥିଲା । ପ୍ରତିବାଦ କରିବାରୁ ସନାତନ ମାଡ ମାରି ଅଶୋକ ଓ ତାଙ୍କ ମା’ ଯଶୋଦାଙ୍କୁ ଘଉଡାଇଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାପରଠୁ ମାଆପୁଅ ଯାଯାବର ଭଳି ଜୀବନ କାଟୁଥିବା ବେଳେ କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ସମୟରେ ସେମାନଙ୍କ ଜୀବନ ଦୁର୍ବିସହ ପାଲଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking