27.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେଡ଼ି ଓ ବିଜେପି ସମୟରେ ମହିଳା ଅସୁରକ୍ଷିତ, ସାମାଜିକ ନ୍ୟାୟ ବିପର୍ଯ୍ୟସ୍ତ

ବିଜେଡ଼ି ଓ ବିଜେପି ସମୟରେ ମହିଳା ଅସୁରକ୍ଷିତ, ସାମାଜିକ ନ୍ୟାୟ ବିପର୍ଯ୍ୟସ୍ତ

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ମହିଳା ଅତ୍ୟାଚାର ବଢ଼ିଛି । ଶହ ଶହ ମହିଳାଙ୍କ ଜୀବନ ନଷ୍ଟ କରି ବିଜେପିର ନେତାମାନେ ଦେଶ ଛାଡ଼ି ପଳାଇଯାଉଛନ୍ତି । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୂର୍ଣ୍ଣ ଚୁପ୍ ରହୁଛନ୍ତି । ମହିଳା ବିକାଶ ମନ୍ତ୍ରୀ ବି ମହିଳା ଅତ୍ୟାଚାର ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଦେଶରେ ମହିଳା ଅତ୍ୟାଚାର ଦୁଇଗୁଣ ବଢ଼ିଛି । ଦେଶରେ ସାଢ଼େ ତିନି ଲକ୍ଷରରୁ ଚାରି ଲକ୍ଷ ମାମଲା ରହିଥିବାବେଳେ ପ୍ରଧାନମନ୍ତ୍ରୀ ଏସବୁ ଅପରାଧକୁ ଦଳୀୟ ଦୃଷ୍ଟି କୋଣରୁ ଦେଖୁଛନ୍ତି । ଦଳୀୟ କର୍ମକର୍ତା ଅପରାଧ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସେମାନଙ୍କ ଅପରାଧକୁ ଘଂଟ ଘୋଡାଯାଉଛି । ବନାରସ ବିଏଚ୍‌ୟୁ ମାମଲାରେ ପ୍ରଧାନମନ୍ତ୍ରୀ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମେଡ଼ିଆ ପ୍ରଭାରୀ ବବିତା ଶର୍ମା କହିଛନ୍ତି ଯେ ମଣିପୁର ପ୍ରସଙ୍ଗ ସାରା ବିଶ୍ୱରେ ଦେଶକୁ ଲଜ୍ଜିତ କରିଛି । ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ନିବସ୍ତ୍ର କରି ଯେପରି ଭାବେ ରାଜରାସ୍ତାରେ ପ୍ୟାରେଡ଼ କରାଗଲା ତାହା ସଭ୍ୟ ସମାଜ ପାଇଁ ଅତି ନିନ୍ଦନୀୟ ଘଟଣା । ବିଜେପି ସରକାର ଯେତେବେଳେ ଜଣେ ଯବାନ ପତ୍ନୀଙ୍କୁ ସୁରକ୍ଷା ଦେଇ ପାରୁନାହିଁ, ସାଧାରଣ ମହିଳାଟିଏ କିପରି ସୁରକ୍ଷା ପାଇବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଠାରୁ ବିଜେଡ଼ି ମଧ୍ୟ କମ୍‌ରେ ନାହିଁ । ମହିଳା ଅପରାଧରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ଅଛି, ଏକ ନମ୍ବର ହେବା ପାଇଁ ଚେଷ୍ଟା କରୁଛି । ପିପିଲିର ବେବୀନା, ମମିତା ମେହେର ଆଦି ଘଟଣାରେ ବିଜେଡ଼ି ନେତା ସଂପୃକ୍ତ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଘଂଟ ଘୋଡାଉଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ସେମାନଙ୍କୁ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରି କି ବାର୍ତା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏପରିକି ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଜୟ ଶଙ୍କର ଦାସଙ୍କ ଭଳି ଅନେକ ବିଧାୟକ ଓ ମନ୍ତ୍ରୀ ମହିଳା ଦୁଷ୍କର୍ମରେ ସଂପୃକ୍ତ ରହିଥିବାବେଳେ ବିଜେଡ଼ି ସେମାନଙ୍କୁ ଟିକେଟ ଦେଇ ମହିଳାଙ୍କ ପ୍ରତି କେତେ ସମ୍ବେଦନ ତାହା ଜଣାପଡ଼ୁଛି । ସେ କହିଛନ୍ତି ଯେ ବିଜେପି ଦେଶର ସମ୍ବିଧାନକୁ ବଦଳାଇବା ପାଇଁ ଉଦ୍ୟେମ କରୁଥିବାବେଳେ ଦଳୀତ ମହିଳା ଓ ଓବିସିସି ସଂରକ୍ଷଣ ବିରୋଧରେ ନୀତିଗତ ନିଷ୍ପତି ନେଇଛି । କଂଗ୍ରେସ ଦଳୀତ ମହିଳା ଓ ଓବିସି ସଂରକ୍ଷଣ ସପକ୍ଷରେ କାର୍ଯ୍ୟ କରୁଥିଲେ ହେଁ ବିଜେପି ଏ ସବୁ ବିରୋଧରେ କାର୍ଯ୍ୟକରୁଛି । ରାଜ୍ୟରେ ବିଜେଡ଼ି କେନ୍ଦ୍ରର ବିଜେପି ସହ ସଦାସର୍ବଦା ପାଦ ମେଳାଇ ଆସୁଛି । ଉଭୟଙ୍କ ଭିତରେ ଖିର ଓ ନୀର ସଂପର୍କ ରହିଛି । ଉଭୟ ମହିଳା ବିରୋଧି ଓ ମହିଳାଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଉଦାସିନ ବୋଲି ଶ୍ରମତୀ ଶର୍ମା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କହିଛନ୍ତି ଯେ ବିଜେପି ସମ୍ବିଧାନ ବିରୋଧି । ଆରଏସ୍‌ଏସ୍ ସମ୍ବିଧାନ ବଦଳେଇବା କଥ କହୁଛି । ବିଜେଡ଼ି ମଧ୍ୟ ସମ୍ବିଧାନ ବିରୋଧି ବିଜେପିକୁ ସମର୍ଥନ କରୁଛି । କିଭଳି ଗରୀବ, ମହିଳା, ଆଦିବାସୀ, ଦଳୀତ ଓ ଓବିସି ସମ୍ପ୍ରଦାୟ ସଂରକ୍ଷଣରୁ ବଂଚିତ ହେବେ ସେ ସକାଶେ ବିଜେପି ଅହରହ ଉଦ୍ୟମ ଚଳାଉଅଛି । ରାଜ୍ୟରେ ୬୩ ପ୍ରତିଶତ ଓବିସି ରହିଥିବାବେଳେ ୧୧.୨୫ ପ୍ରତିଶତ ଏହାର ସଂରକ୍ଷଣ ସୁବିଧା ପାଉଛନ୍ତି । ମଣ୍ଡଳ କମିଶନ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରସ୍ତାବ ଦେଇଥିଲା ମାତ୍ର ସରକାର ଏହାକୁ ଅଣଦେଖା କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ଜମି ହଡପ କରାଯାଇଛି । ସେମାନଙ୍କ ଜମିକୁ ସେମାନଙ୍କୁ ଫେରାଇ ଦିଆଯାଉନାହିଁ । ଛତିଶଗଡ଼ରେ କଂଗ୍ରେସ ସରକାର ଥିବାବେଳେ ବସ୍ତରର ଆଦିବାସୀଙ୍କୁ ସେମାନଙ୍କ ଜମିକୁ ଫେରାଇ ଦିଆଯାଇଛି । କେବଳ ଆଦିବାସୀଙ୍କ ଜମି ନୁହେଁ, ନେହେରୁଙ୍କ ସ୍ୱପ୍ନର ଭୁବନେଶ୍ୱରର ଅଧିକାଂଶ ଜମି ଏବେ ବିଲ୍‌ଡ଼ରଙ୍କ କବଜାରେ । ହଜାର ହଜାର ବର୍ଷ ଧରି ରହୁଥିବା ଲୋକଙ୍କ ଜମିକୁ ଉଚ୍ଛେଦ କରାଯାଇଥିଲେ ହେଁ ସେମାନଙ୍କୁ ନ୍ୟାୟ ମିଳୁନାହଁ ।

ଏ ବାବଦରେ ବିଜେଡ଼ି ଓ ବିଜେପି ଖାତାକୁ କୋଟି କୋଟି ଟଙ୍କା କମ୍ପାନୀମାନେ ଦେଉଛନ୍ତି । ରାଜ୍ୟ ସରକାର ଦଳୀତ ଓ ଆଦିବାସୀଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଭାବେ ଉଦାସିନ । ଦଳିତଙ୍କୁ ନିର୍ଯ୍ୟାତନା ଦେଇ ଶାସନ ଚଳାଇଛନ୍ତି ରାଜ୍ୟ ସରକାର । ଗୋଲାମି ବ୍ୟବସ୍ଥାକୁ ପୁଣି ଆଣିବାକୁ ଚେଷ୍ଟା କରାଯାଉଛି । ଦଳିତ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ କଂଗ୍ରେସ ସଦାସର୍ବଦା ଚେଷ୍ଟିତ । କଂଗ୍ରେସ ସରକାର ଆସିଲେ ଦେଶର ମହିଳା, ଆଦିବାସୀ ଓ ଦଳିତ ସେମାନଙ୍କ ହକ୍ ପାଇବା ସହ ବଂଚିତବର୍ଗଙ୍କୁ ନ୍ୟାୟ ମିଳିବ ବୋଲି ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଓଡ଼ିଶା ସହ ପ୍ରଭାରୀ ସାହାନୱାଜ ଚୌଧୁରୀ ଓ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମୀୟ ପାଣ୍ଡବ ଉପସ୍ଥିତି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking