ଭୁବନେଶ୍ୱର: ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ଆଶଙ୍କାଜନକ ଭାବେ ହ୍ରାସ ପାଇଥିବାରୁ ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଓଡିଶା ଜଳସମ୍ପଦ ବିଭାଗ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନକୁ ଜଳ ଯୋଗାଣ ବନ୍ଦ କରିଛି । ଏହାଫଳରେ ଶନିବାର ରାତିଠାରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ସମ୍ପୁର୍ଣ୍ଣ ବନ୍ଦ ରହିବ । ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନା ଅନୁସାରେ , ବାଲିମେଳା ଜଳାଶୟର ଜଳସ୍ତର ବର୍ତ୍ତମାନ ୧,୪୫୫.୬୦ ଫୁଟରେ ପହଞ୍ଚିଛି । ଯେଉଁଥିରେ ପୂର୍ଣ୍ଣଜଳାଶୟ ସ୍ତର ୧,୫୧୬ ଫୁଟ ରହିଛି । ଲାଇଭ ଷ୍ଟୋରେଜ ୧୩. ୧୩ ପ୍ରତିଶତକୁ ଖସିଥିବା ବେଳେ ଗତବର୍ଷ ଏହି ସମୟରେ ଏହା ୧୯.୯୪ ପ୍ରତିଶତ ଥିଲା । ବର୍ତ୍ତମାନ ୬୦୦ କ୍ୟୁସେକ୍ ଜଳ ଛଡ଼ାଯାଉଥିବାବେଳେ ଏହାକୁ ୨,୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ାଇବାର ଯୋଜନା ରହିଛି। ଜଳାଶୟର ଜଳସ୍ତର ସନ୍ତୋଷଜନକ ସ୍ଥିତିକୁ ଫେରିଲେ ପୁନର୍ବାର ଓଏଚପିସିରେ ଜଳବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ ବୋଲି ବିଭାଗ ସୂଚନା ଦେଇଛି।










