29.1 C
Bhubaneswar
Monday, April 29, 2024
Homeଓଡିଶାଡବଲ୍ ଡୋଜ୍ ଟିକା ନେଇ ବି କରୋନା ସଂକ୍ରମିତ : ୧୩ ହଜାର ୮୮୮ ଜଣଙ୍କୁ...

ଡବଲ୍ ଡୋଜ୍ ଟିକା ନେଇ ବି କରୋନା ସଂକ୍ରମିତ : ୧୩ ହଜାର ୮୮୮ ଜଣଙ୍କୁ କବଳିତ କରିଛି ମହାମାରୀ

ଭୁବନେଶ୍ୱର:  ରାଜ୍ୟବାସୀଙ୍କ ଭିତରେ ଏକ ଭ୍ରାନ୍ତ ଧାରଣା ବଢ଼ିବାରେ ଲାଗିଛି । ଟିକା ନେଇଛୁ ମାନେ କରୋନା ଭୂତାଣୁ ଆଉ ସଂକ୍ରମିତ କରିପାରିବ ନାହିଁ । ଫଳରେ ସେମାନେ କରୋନା କଟକଣା ଓ ଗାଇଡ୍‌ଲାଇନ୍ ପାଳନକୁ ଫୁ କରି ଉଡ଼ାଇ ଦେଉଛନ୍ତି । ସେମାନଙ୍କ ପାଇଁ ବର୍ତ୍ତମାନ ସତର୍କ ବାଣୀ ଆସିଛି । ବର୍ତ୍ତମାନ ଏହି କାରଣ ପାଇଁ ଟିକା ନେଲା ପରେ ବି ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ କିଛି ଦିନ ହେଲା ବଢ଼ିଚାଲିଛି ବ୍ରେକ୍ ଥ୍ରୁ ଇନ୍‌ଫେକସନ୍ । ଅର୍ଥାତ୍ ଦୁଇଟି ଯାକ ଡୋଜ୍ ନେଇଥିବା ବ୍ୟକ୍ତି ବି କରୋନାରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତଥ୍ୟ ଅନୁଯାୟୀ ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ୬୯ ଲକ୍ଷ ଲୋକ ଅତି କମ୍‌ରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ହଜାର ୭୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଉଭୟ ଡୋଜ୍ ନେଇଥିବା ୧୩ ହଜାର ୮୮୮ ଜଣଙ୍କୁ କବଳିତ କରିଛି ମହାମାରୀ । ଡବଲ୍ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ହଜାର ୯୨୪ ଜଣ ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ପଜିଟିଭ ବାହାରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍‌ଇଟିଙ୍କ କହିଛନ୍ତି, ଟିକା ଶତ ପ୍ରତିଶତ ସୁରକ୍ଷା ଦେଇ ପାରିବନି । କିନ୍ତୁ ଟିକା ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ଓ ଖୁବ୍ କମ୍ ରୋଗୀ ଗୁରୁତର ହେଉଛନ୍ତି । ସେହିପରି ଟିକା ନେଇଥିବା ବ୍ୟକ୍ତି କୋଭିଡ୍ ନିୟମର କଡ଼ାକଡ଼ି ପାଳନ କଲେ ମହାମାରୀ କବଳରୁ ବର୍ତ୍ତିପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଟିକା ନେଇଥିଲେ ମଧ୍ୟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ନ ହେବା ଯାଏଁ ପଜିଟିଭ ହେବାର ଆଶଙ୍କା ରହିଛି । ସେହିପରି ଏବେ ଯାଏଁ ବିକଶିତ ସବୁ ଟିକା କେବଳ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ଲାଗି ଉଦ୍ଦିଷ୍ଟ । ଯାହାକି କୋଭିଡ୍ ଭୂତାଣୁ ସହ ଲଢ଼ିବା ଲାଗି ଶରୀରକୁ ସାହାଯ୍ୟ କରୁଛି ।

ହେଲେ ଶରୀରରେ ଭୂତାଣୁ ପ୍ରବେଶକୁ ରୋକିପାରୁନି । ଭୂତାଣୁ ଆଖି ଓ ନାକ ଦେଇ ଶରୀରରେ ପ୍ରବେଶ କରୁଥିବାରୁ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି କୋଭିଡ୍ ନିୟମର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଭୂତାଣୁ ଯେଭଳି ଶରୀରରେ ପ୍ରବେଶ କରିନପାରିବ ସେଥିଲାଗି ଭାରତ ବାୟୋଟେକ୍ ପକ୍ଷରୁ ଏକ ନାଜାଲ ଟିକା ବିକଶିତ କରାଯାଉଛି, ଯାହାକି ରୋଗ ପ୍ରତିରୋଧ ଶକ୍ତି ତ ବଢ଼ାଇବା ତାସହ ଶରୀରରେ କରୋନା ଭୂତାଣକୁ ପ୍ରବେଶ କରାଇ ଦେବନି । ଏହି ଟିକାର ମାନବ ପରୀକ୍ଷଣ ଲାଗି କମ୍ପାନୀ ଅନୁମତି ମାଗିଥିବା ବେଳେ ଆଗାମୀ ୬ ରୁ ୮ ମାସ ମଧ୍ୟରେ ଏହା ବଜାରକୁ ଆସିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking