ନବରଙ୍ଗପୁର: ନବରଙ୍ଗପୁର ଖାଡେଙ୍ଗାରୁ ଆସିଲା ପୋଲିସକୁ ଆକ୍ରମଣର ଖବର । ସୂଚନା ଅନୁସାରେ, ରାଇଘର ବ୍ଲକ ଯୋଡ଼ିଙ୍ଗା ପଂଚାୟତର ଖାଡ଼େଙ୍ଗା ଠାରେ ଚଳିତ ବର୍ଷର ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗତ କାଲି ରାତିରେ ସେଠାରେ ବେଆଇନ ଭାବେ ଚାଲିଥିଲା ଖୁଡୁଖୁଡି ଖେଳ । ଏହା ଏକ ପ୍ରକାର ଜୁଆ ଖେଳ । ଖବର ପାଇ ରାଇଘର ଥାନା ଅଧିକାରୀ ଏକ ଟିମ ନେଇ ବିଳମ୍ବିତ ରାତିରେ ମଣ୍ଡେଇ ଯାତ୍ରାରେ କରିଥିଲା ଚଢ଼ାଉ। ଏହି ସମୟରେ କିଛି ଲୋକ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ । ଏହି ଘଟଣାରେ ଜଣେ ସଵ୍ ଇନ୍ସପେକଟର ସହିତ ଥାନା ଅଧିକାରୀ ଆହତ ହୋଇଥିଲେ । ଏନେଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ଦଶ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେ ବି ଅନେକଙ୍କୁ ଅଟକ ରଖି ପଚରା ଉଚୁରା ଚାଲିଛି ।