ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିଫଳତାକୁ ନେଇ କଂଗ୍ରେସ ଏକ 12 ସୂତ୍ରୀ ବଳିଷ୍ଠ ଅଭିଯୋଗ ତଥ୍ୟ ସହ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି l
ଆଜିର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସରକାରଙ୍କ ବିଫଳତା ବିଷୟରେ କହିଲେ ଯେ, ସରକାର ଏଭଳି ଆର୍ଥିକ ଅନିୟମିତତା ଅବସ୍ଥା କଲେଣି ଯେ, ବର୍ତ୍ତମାନ ସମସ୍ତ ବିଭାଗରେ ଆର୍ଥିକ ସଙ୍କଟ ଦେଖାଗଲାଣି l କୌଣସି ବିଭାଗକୁ ସରକାର ସୁଚାରୁରୂପେ ଚଳାଇବାରେ ଅସମର୍ଥ ହେଉଛନ୍ତି l
ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି ଏକ 12 ସୂତ୍ରୀ ଅଭିଯୋଗ ଉପସ୍ଥାପନ କରି କହିଲେ ଯେ, ‘ଏଇ ସରକାର ବଦଳିବା ଦରକାର’ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ, ଯୋଜନା କାଗଜରେ ସୀମିତ ମାତ୍ର ଭୂମିରେ ନୁହେଁ, ଘୋଷଣା ବହୁତ କିନ୍ତୁ କାର୍ଯ୍ୟକାରୀ ହେଉନି l
ଶ୍ରୀ ମହାନ୍ତି ଗୋଟି ଗୋଟି କରି ସରକାରଙ୍କ ବିଫଳତାକୁ ନେଇ କହିଲେ 1.ଅର୍ଥନୀତି ଉଡ଼ୁଛି କିନ୍ତୁ ଯୁବକ ବୁଡୁଛି, ବିକାଶ ହେଉଛି ଫାଇଲରେ, ବେକାରୀ ବଢୁଛି ଗାଁଆରେ, ଗ୍ରାଫ ଉପରକୁ ମାତ୍ର ଆୟ ତଳକୁ ହେଉଛି, ଏହା କି ବିକାଶ ?
2.ଘୋଷଣା ବନାମ ବାସ୍ତବତା, ଏମଓୟୁ ଦେଖାଇ ଭୋଟ ମାଗୁଛ ହେଲେ କାରଖାନା ସ୍ଥାପନ କେବେ କରୁଛ! ଘୋଷଣାରେ ଶିଳ୍ପ ମାଟିରେ ବେକାରୀ, କାଗଜରେ କଳ କାରଖାନା, ଗାଆଁରେ ଯୁବକ ଯାଉଛନ୍ତି ଦାଦନ l
3.ସରକାର ଧନୀ, ଲୋକ ଗରିବ ରାଜ୍ୟ କୋଷ ବୃଦ୍ଧି ପାଉଛି ହେଲେ ଗରିବଙ୍କ ଚୁଲି ଜଳିବାରେ ସମସ୍ୟା କାହିଁକି? ଓଡିଶା ଯଦି ଧନୀ ତେବେ ଓଡ଼ିଆ କାହିଁକି ଋଣୀ l
4.ବିକାଶ କେବଳ ସହରରେ ଅଟକି ରହିଛି l ସ୍ମାର୍ଟ ସିଟି ନାମରେ କୋଟି କୋଟି ଖର୍ଚ୍ଚ ହେଉଥିବାବେଳେ ଗାଁରେ ପାଣି ମୁନ୍ଦିଏ ମିଳିବାରେ କଷ୍ଟ ହେଉଛି l
5.ବିକାଶ ବନାମ ଦାଦନ, ବିକାଶ ଯଦି ହୋଇଛି ତେବେ ହଜାର ହଜାର ଯୁବକ ଭିଟାମାଟି ଛାଡି ଦାଦନ କାହିଁକି ଯାଉଛନ୍ତି l ସରକାର ଅଭିବୃଦ୍ଧିର ଗାଥା ପ୍ରଚାର କରୁ ଥିବାବେଳେ ଲୋକେ ଭୋକ ଉପାସରେ ରହିବାକୁ ପଡୁଛି l
6.ଶିଳ୍ପାୟନ ଅଭିବୃଦ୍ଧି ବନାମ ସ୍ଥାନୀୟ ନିଯୁକ୍ତି, କମ୍ପାନୀ ଆସୁଛି ଲାଭ କରୁଛି ଅନ୍ୟ ରାଜ୍ୟର ଲୋକଙ୍କୁ କାମର ସୁଯୋଗ ଦେଉଛି କିନ୍ତୁ ଓଡିଶା ପୁଅ ଜଳକା ହୋଇ ଚାହିଁ ରହିଛି l ଖଣି ଖାଦାନ ଓଡ଼ିଶାର କିନ୍ତୁ ଚାକିରୀ ପାଉଛନ୍ତି ଅଣ ଓଡ଼ିଆ l
7.ବୃହତ ବଜେଟ ବନାମ ସେବାରେ ଅବ୍ୟବସ୍ଥା, ବଜେଟ ଆମର ହଜାର କୋଟି କିନ୍ତୁ ରୋଗୀଙ୍କୁ ଡାକ୍ତରଖାନାରେ ବେଡ଼ ମିଳୁନି କି ଦେଖିବାକୁ ପର୍ଯ୍ୟାପ୍ତ ଡାକ୍ତର ମଧ୍ୟ ନାହାନ୍ତି l ଯଦି ବଜେଟ ବୃଦ୍ଧି ହେଉଛି ତେବେ ସେବା କାହିଁକି ସରକାର ଯୋଗେଇ ପାରୁନାହିଁ l
8.ଢାଞ୍ଚାଗତ ଅଭିବୃଦ୍ଧି ବନାମ ଖର୍ଚ୍ଚାନ୍ତ ଜୀବନଶୈଳୀ, କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ ଚାଲିଛି କିନ୍ତୁ ଜନତାଙ୍କୁ ଚାଉଳ ମୁଠିଏ ପାଇବା ପାଇଁ ଡହଳ ବିକଳ ହେବାକୁ ପଡୁଛି l ଦରଦାମ କାହିଁକି ଏତେ ବୃଦ୍ଧି ହେଉଛି l
9.ଗ୍ରୋଥ ରେଟ ବନାମ ଆଞ୍ଚଳିକ ବୈଷମ୍ୟ, ବିକାଶ କଣ କେବଳ ଭୁବନେଶ୍ୱରର, କେବିକେ କଣ ଓଡ଼ିଶାର ନୁହେଁ ?
10.କମ୍ପାନୀ ବନାମ ଚାଷୀ, କମ୍ପାନୀକୁ କୋଟି କୋଟି ଟଙ୍କାର ଋଣ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଥିବାବେଳେ ସମସ୍ତ ପ୍ରତିବନ୍ଧକ କେବଳ ଚାଷୀ ପାଇଁ କାହିଁକି ?
11.ଜମି ସବୁ କମ୍ପାନୀ ମାଲିକାନାରେ, ଜଙ୍ଗଲ, ଜଳ ଚାଷ ଜମି ସବୁ କମ୍ପାନୀକୁ ହସ୍ତାନ୍ତର ହେଉଛି ତେବେ ଚାଷୀଙ୍କ ଲାଭ କଣ ହେଉଛି l ଚାଷୀ ଆତ୍ମହତ୍ୟା ରୋକି ପାରୁନାହାନ୍ତି ସରକାର l
12.ଲୋତକଭରା ବେକାରୀ ଯୁବବର୍ଗ,
ହଜାର ହଜାର ଯୁବକଙ୍କୁ କଣ୍ଟ୍ରାକଚୁଆଲ ଅନ୍ଧାରୀ ଚାକିରୀ ଗର୍ତ୍ତକୁ ଠେଲି ଦେଇ ସରକାର ବାହା ବା ନେଉଛି l କମ୍ପାନୀ ଚାକିରୀ ଛଟେଇ କରୁଛି l ସରକାରଙ୍କ ପାଖରେ ନିଯୁକ୍ତି ନାହିଁ l
ଏସବୁ ବରଗୋଟି ପ୍ରସଙ୍ଗ ଉପରେ ଶ୍ରୀ ପଟ୍ଟନାୟକ ସରକାରଙ୍କ ବିଫଳତା ବାସ୍ତବ ଚିତ୍ର ଉପସ୍ଥାପନ କରି କହିଲେ, ତଥାପି ସରକାର ତାଙ୍କ ଦୁଇବର୍ଷର ପୂର୍ତ୍ତୀ ଉତ୍ସବ କେଉଁ ମୁହଁରେ ପାଳନ କରିବେ ଆଶ୍ଚର୍ଯ୍ୟ ଲାଗୁଛି l










