28.1 C
Bhubaneswar
Sunday, May 12, 2024
Homeଓଡିଶାବିଜେପିର 'ଆର୍ଶୀବାଦ’କୁ ଅରୁଣଙ୍କ କଟାକ୍ଷ

ବିଜେପିର ‘ଆର୍ଶୀବାଦ’କୁ ଅରୁଣଙ୍କ କଟାକ୍ଷ

ଭୁବନେଶ୍ୱର : ରାଜ୍ୟରେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ହେବାର ସମ୍ଭାବନ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି-ବିଜେଡି ଭିତରେ ଜନ ସମର୍ଥନ ହାସଲ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଜେପି ଆରମ୍ଭ କରିଥିବା କାର୍ଯ୍ୟକ୍ରମକୁ ବିଜେଡି ମନ୍ତ୍ରୀ ଅରୁଣ ସାହୁ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି । ଅରୁଣଙ୍କ ଆକ୍ଷେପକୁ ବିଜେପି ନେତା ପୃଥ୍ୱୀରାଜ୍ ହରିଚନ୍ଦନ ସମାଲୋଚନା କରିଛନ୍ତି । ରାଜ୍ୟ ରାଜନୀତିରେ ବିଜେପି ଓ ବିଜେଡିର ଗତି ଜାଣିବା ଦୁରୁଭ ବେପାର ହେଲାଣି । ଦୁଇ ଦଳ କେତେବେଳେ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ମଧ୍ୟ ଜାଣିବା କଷ୍ଟସାଦ୍ଧ ଅଟେ । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀକୁ ସମର୍ଥନ ଦେଇ ବିଜଡି ଜିତେଇବା ପରେ ଲୋକେ ସନ୍ଦେହରେ ପଡ଼ିଥିଲେ । ଯାହା କେବେ ରାଜନୀତିରେ ଦେଖାଯାଇନଥିଲା କି ହଠାତ ଏପରି ହେବ ବୋଲି କେହି ଭାବି ପାରି ନଥିଲେ । ତାହା ଉଭୟ ଦଳ ମିଶି କରିଥିଲେ । ଏବେ ଉଭୟ ପକ୍ଷ ପୁଣି ସଉତୁଣୀ କଳି ଭଳି ପରସ୍ପର ବିରୋଧରେ ଲାଗି ପଡ଼ିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଂଶୋଧିତ କରି ନୂତନ ଭାବରେ ଲାଗି ପଡ଼ିବା ପରେ ପ୍ରତି ଜିଲ୍ଲାକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ବିଜେଡି ଟାର୍ଗେଟ ରଖିଛି । ପ୍ରଥମେ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ଏହା ଆରମ୍ଭ କରିଛନ୍ତି । ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲା ଗସ୍ତରେ ଯିବେ । ଅନ୍ୟ ପଟେରେ ବିଜେପି ପକ୍ଷରୁ ଜନ ଆର୍ଶୀବାଦ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସି ଏହି କାର୍ଯ୍ୟକ୍ରମ ଚଳଳାଇଛନ୍ତି । ଦକ୍ଷୀଣ ଓ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଦଳ ଟାର୍ଗେଟରେ ରଖିଛି । ବିଜେପିର ଏହି ଜନ ଆର୍ଶୀବାଦ ଯାତ୍ରାକୁ ବିଜେଡି ମନ୍ତ୍ରୀ ଅରୁଣ ସାହୁ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି । ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ‘ସେବା ନକରି ଅର୍ଶୀବାଦ ପାଇବାକୁ ବାଧ୍ୟ କରିବା- ନିରନ୍ତର ସେବା ଦେଇ ସୋତପ୍ରବୃତ ଆର୍ଶୀବାଦ ପାଇବା- ଉଭୟ ଭିତରେ ଫରକ୍ ଓଡ଼ିଶା ବାସୀଙ୍କୁ ଜଣାଅଛି ।

ଅତି ଚତୁରତାର ସହ ଅରୁଣ ବିଜେପି ନା’ କିମ୍ବା ତାଙ୍କ କାର୍ଯ୍ୟକ୍ରମର ନା’ ଉଲ୍ଲେଖ କରି ନାହାଁନ୍ତି । ହେଲେ ଏହି ବାର୍ତ୍ତାକୁ ଅନୁଶୀଳନ କଲେ କାହା ଉଦ୍ଦେଶ୍ୟରେ ଓ କ’ଣ ପାଇଁ ଏଭଳି ଟ୍ୱିଟ୍ କରିଛନ୍ତି ତାହା ଅବୁଝା ରହୁନାହିଁ । ଜନ ସାଧାରଣଙ୍କର ସମର୍ଥନ ପାଇବା ପାଇଁ ଓ ଜନ ମତକୁ ନିଜ ପକ୍ଷକୁ ନେବା ପାଇଁ ବିଜେପି ‘ଜନ ଆର୍ଶୀବାଦ’ ଯାତ୍ରା ଆରମ୍ଭ କରିଛି । ଲୋକଙ୍କ ପାଖକୁ ଯିବା ଓ ସେମାନଙ୍କ ସମସ୍ୟା ଶୁଣିବା ପାଇଁ ଏପ୍ରକାର ଯୋଜନା ବିଜେପି ଆପଣାଇଛି । ଅରୁଣ ତାଙ୍କ ଟ୍ୱିଟ୍‌ରେ ସୂଚାଇଛନ୍ତି ଯେ, ବିଜେପି ଓଡ଼ିଶାବାସୀଙ୍କୁ କୌଣସି ସେବା ଯୋଗାଉ ନାହିଁ । ଓଡ଼ିଶାବାସୀଙ୍କ ସମସ୍ୟା ସହ ବିଜେପି କେବେ ରହି ନାହିଁ । ଲୋକଙ୍କ ଦୁଃଖରେ କେବେ ଛିଡ଼ା ହୋଇନି । ମୁଖ୍ୟତଃ ଓଡ଼ିଶାବାସୀଙ୍କୁ କୌଣସି ପ୍ରକାର ସେବା ଯୋଗାଇ ଦେଇନାହିଁ । ଦର୍‌ଦାମ୍ ବୃଦ୍ଧି କରି ଲୋକଙ୍କୁ ହନ୍ତସନ୍ତ କରାଯାଉଛି ।

ପେଟ୍ରୋଲ, ଡିଜେଲ୍‌, ରନ୍ଧନ ଗ୍ୟାସ୍‌, ଖାଇବା ତେଲ ସବୁକିଛିର ମୂଲ୍ୟ ବୃଦ୍ଧି ଘଟିଛି । ଲୋକେ ନାହିଁ ନଥିବା ଯନ୍ତ୍ରଣାର ସମ୍ମୁଖିନ ହୋଇଛନ୍ତି । ଏଣୁ ଲୋକଙ୍କୁ ସେବା ନଦେଇ ସେମାନଙ୍କ ସମସ୍ୟାର ସହ ନ ରହି ‘ଆର୍ଶୀବାଦ’ ପାଇବା ପାଇଁ ଲୋକଙ୍କୁ ବାଧ୍ୟ କରିବାକୁ ଏ ଯୋଜନା ବିଜେପିର ବୋଲି ସେ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସେହିପରି ସେ ଜଣାଇଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିଜେଡି ସରକାର ଓଡ଼ିଶାବାସୀଙ୍କୁ ନୀରନ୍ତର ସେବା ଦେଇଚାଲିଛି । ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହେଉଛି । ଲୋକଙ୍କ ସମସ୍ୟା ସହ ଜଡ଼ିତ ରହିଛି । ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ମଧ୍ୟ ନିରନ୍ତର ଉଦ୍ୟମ ଚଳାଇଛି । ଓଡ଼ିଶାବାସୀଙ୍କୁ ନିରବିଚ୍ଛିନ୍ନ ଭାବେ ବିଜେଡି ସେବା ଦେଇ ଚାଲିଛନ୍ତି ।

ଏକଥାକୁ ଲୋକେ ଅନୁଭବ କରିଛନ୍ତି । ଏଣୁ ବିଜେଡିକୁ ଲୋକଙ୍କ ଆର୍ଶୀବାଦ ପାଇବାର ଯାତ୍ରା କରିବାର ଆବଶ୍ୟକ ନାହିଁ । ଲୋକେ ସ୍ୱ ଇଚ୍ଛାରେ ବିଜେଡିକୁ ଆର୍ଶୀବାଦ ଦେବେ । ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି କିଏ କ’ଣ । ଓଡ଼ିଶା ଲୋକଙ୍କୁ ଆଉ ଏ ନେଇ କିଛି ବୁଝାଇବା ଆବଶ୍ୟକତା ନାହିଁ । ଲୋକେ ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେବେ । ଏହା ଅରୁଣଙ୍କ ଟ୍ୱିଟ୍‌ର ଉଦ୍ଧେଶ୍ୟ ବୋଲି ଆଲୋଚନା ହେଉଛି ।

ଅରୁଣଙ୍କ ଏହି ଟ୍ୱିଟ୍ ଉପରେ ବିଜେପିର ପୃଥୀରାଜ୍ ହରିଚନ୍ଦନ କହିଛନ୍ତି, ମିଛ କହିବା ଯେଉଁମାନଙ୍କ ଅଭ୍ୟାସ ସେମାନଙ୍କ ସହ ଯୁକ୍ତି ନକରିବା ଭଲ । ରାଜ୍ୟରେ କୃଷକଙ୍କ କ’ଣ ବିକାଶ ହୋଇଛି ତାହାର ଉତ୍ତର କୃଷିମନ୍ତ୍ରୀଙ୍କ ପାଖରେ ନାହିଁ । କେବଳ ଖବର କାଗଜରେ ବିଜ୍ଞାପନ ଦେଇ ବାହାବାହା ନେଉଛନ୍ତି । ଆଗକୁ ‘ଆର୍ଶୀବାଦ’ ଲୋକେ କାହାକୁ ଦେବେ ଅରୁଣ ସାହୁ ଦେଖିବେ ବୋଲି ପୃଥ୍ୱୀରଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking