33.1 C
Bhubaneswar
Saturday, April 27, 2024
Homeରାଜନୀତିଖର୍ଗେଙ୍କୁ ଚିଠି ଲେଖିଲେ ଆନନ୍ଦ ଶର୍ମା: ଦଳରେ ଦ୍ୱିମତ ଥିବା ସ୍ପଷ୍ଟ; ଜାତିଗତ ଜନଗଣନା ନାରାରୁ...

ଖର୍ଗେଙ୍କୁ ଚିଠି ଲେଖିଲେ ଆନନ୍ଦ ଶର୍ମା: ଦଳରେ ଦ୍ୱିମତ ଥିବା ସ୍ପଷ୍ଟ; ଜାତିଗତ ଜନଗଣନା ନାରାରୁ କ୍ଷାନ୍ତ ରହୁ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪କୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ରହିଛି । କିନ୍ତୁ କଂଗ୍ରେସରେ ଏବେ ଏକ ପ୍ରସଙ୍ଗକୁ ନେଇ ନେତାମାନଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକି କଂଗ୍ରେସ ପାଇଁ ନିର୍ବାଚନ ଦୃଷ୍ଟିକୋଣରୁ କଦାପି ଶୁଭଙ୍କର ନୁହେଁ । ରିପୋର୍ଟ ଅନୁସାରେ ଜାତିଗତ ଜନଗଣନାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟକାରିଣୀ କମିଟି ସଦସ୍ୟ ଆନନ୍ଦ ଶର୍ମା ଖୁଲମଖୁଲ୍ଲା ଦଳର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତିଗତ ଜନଗଣନାକୁ ନେଇ ଦେଇଥିବା ବିବୃତ୍ତିକୁ ସମାଲୋଚନା କରି ଆନନ୍ଦ ଶର୍ମା, ଦଳର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଆଜି ଏକ ଚିଠି ଲେଖିଛନ୍ତି ।
ଚିଠିରେ ଆନନ୍ଦ ଶର୍ମା ଉଲ୍ଲେଖ କରିଛନ୍ତି ଯେ, ଜାତିଗତ ଜନଗଣନା ଦେଶର ପାନୀୟ ଜଳ ଅଭାବ କିମ୍ବା ବେକାରୀ ସମସ୍ୟାକୁ ସମାଧାନ କରିବା ଭଳି ଏକ ରାମବାଣ ବ୍ୟବସ୍ଥା ନୁହେଁ । ତେଣୁ କଂଗ୍ରେସ ଏବେ କ୍ଷମତାକୁ ଆସିଲେ ଦେଶବ୍ୟାପୀ ଜାତିଗତ ଜନଗଣନା କରାଇବା ନେଇ ଯେଉଁ ପ୍ରତିଶ୍ରୁତି ଦେଉଛି ତାହା ଆଦୌ ପ୍ରଭାବୀ ପ୍ରତିଶ୍ରୁତି ନୁହେଁ । ଏତଦ୍‌ବ୍ୟତୀତ କଂଗ୍ରେସ ଏପରି କରିବା ଦ୍ୱାରା ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ନୀତି ଆଦର୍ଶ ପ୍ରତି ଏହା କୁଠାରଘାତ ହେବ । ଅନ୍ତତଃ ସେମାନଙ୍କୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ହେଉ ପଛେ କଂଗ୍ରେସ ଏବେ ଏପ୍ରକାର କୌଣସି ନିର୍ବାଚନୀ ପ୍ରତିଶ୍ରୁତି ଦେବା ଉଚିତ୍ ନୁହେଁ, ଯାହା ଦଳ ପାଇଁ ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ । ଜାତିଗତ ଜନଗଣନାକୁ ଯଦି କଂଗ୍ରେସ ପ୍ରାଥମିକତା ଦିଏ ତେବେ କଂଗ୍ରେସ ନିଜ ନୀତିରୁ ନିଜେ ଓହରିଯିବା ଭଳି ହେବ ଏବଂ ଲୋକସଭା ନିର୍ବାଚନ ତଥା ବିଧାନସଭା ନିର୍ବାଚନରେ ଦଳକୁ ବେଶ୍ କ୍ଷତି ସହିବାକୁ ପଡ଼ିବ । ସୁତରାଂ ଦେଶବାସୀଙ୍କୁ କଂଗ୍ରେସ ସେସବୁ ସମସ୍ୟାର ନିବାରଣ କରିବା ନେଇ ପ୍ରତିଶ୍ରୁତି ଦେବା ଉଚିତ୍‌, ଯେଉଁ ସମସ୍ୟା ସହ ଦେଶବାସୀ ବର୍ତ୍ତମାନ ସମୟରେ ଜୁଝୁଛନ୍ତି ।
ଆନନ୍ଦ ଶର୍ମା ନିଜ ଚିଠିରେ ରାହୁଲ ଗାନ୍ଧୀ, ଜାତିଗତ ଜନଗଣନା ସମ୍ପର୍କରେ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିଜ ଚିଠିରେ ଆନନ୍ଦ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜାତିଗତ ଜନଗଣନା ସମ୍ପର୍କରେ ବୟାନ୍‌ବାଜି କରିବାକୁ କ୍ଷାନ୍ତ ରହିବାକୁ କଂଗ୍ରେସର ବରିଷ୍ଠ ନେତାମାନେ ପରାମର୍ଶ ଦେବା ଉଚିତ୍ । ନଚେତ୍ ବିପକ୍ଷ ଦଳ କଂଗ୍ରେସ ପ୍ରତି କାଦୁଅ ଫିଙ୍ଗିବାର ସୁଯୋଗ ପାଇଯିବେ ଏବଂ ନିର୍ବାଚନ ସମୟରେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବେ । ଏହି ଅବସରରେ ଇନ୍ଦିରା ଗାନ୍ଧୀ ନିଜ ଶାସନ କାଳରେ ଦେଇଥିବା ନାରା ‘ନା ଜାତ ପର୍ .. ନା ପାତ୍ ପର, ମୁହର ଲଗେଗି ତୋ ସିର୍ଫ ହାଥ୍ ପର୍‌’କୁ ସ୍ମରଣ କରାଇଛନ୍ତି । ଏତଦ୍‌ବ୍ୟତୀତ ରାଜୀବ ଗାନ୍ଧୀ ମଧ୍ୟ ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ କଂଗ୍ରେସ କଦାପି ଜାତିବାଦ ନୀତି କିମ୍ବା ରାଜନୀତିକୁ ସମର୍ଥନ କରିବ ନାହିଁ ବୋଲି ଦେଇଥିବା ନାରା ସମ୍ପର୍କରେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଧର୍ମ ନିରପେକ୍ଷ ଦଳ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଂଗ୍ରେସ, ଆଜି ଜାତିଗତ ଜନଗଣନା ଆଳରେ ଦେଶ ବିଭାଜନର କାରଣ ହେବା ଉଚିତ୍ ନୁହେଁ ବୋଲି ଆନନ୍ଦ ଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking