39.1 C
Bhubaneswar
Friday, April 26, 2024
Homeଓଲିଉଡପୁଣି ଜନନୀ ଯନ୍ତ୍ରଣା : ଗର୍ଭବତୀଙ୍କୁ ୧୦କି.ମି ଖଟିଆରେ ବୋହିଲେ ପରିବାର ଲୋକେ

ପୁଣି ଜନନୀ ଯନ୍ତ୍ରଣା : ଗର୍ଭବତୀଙ୍କୁ ୧୦କି.ମି ଖଟିଆରେ ବୋହିଲେ ପରିବାର ଲୋକେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକକୁ ଆଜି ବି ପକ୍କା ରାସ୍ତା ନାହିଁ । ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ସେମାନଙ୍କ ମଧ୍ୟରୁ ରୋଗୀ ଏବଂ ଗର୍ଭବତୀ ତଥା ପ୍ରସ୍ତୁତୀ ମହିଳାମାନେ ସବୁଠାରୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚରଳର ସୀମାନ୍ତ ଆନ୍ଧ୍ର ପ୍ରଦେଶକୁ ଲାଗି ରହିଥିବା ରାଲଗେଡା ପଞ୍ଚାୟତର ଖଜୁରିଗୁଡା ଗ୍ରାମର କତେ ପାଙ୍ଗିଙ୍କ ପତ୍ନୀ ସବେନା ପାଙ୍ଗି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଏବଂ ଗ୍ରାମବାସୀ ତାଙ୍କୁ ତୁରନ୍ତ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇଥିଲେ । ତେବେ ସେଠାରୁ ମେଡିକାଲ ବହୁଦୂରରେ ଥିବାରୁ ସେମାନେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଗ୍ରାମ ଠାରୁ ୧୦ କିଲୋମିଟର ଦୂରରେ ରହି ଆଗକୁ ଯାଇପାରିବ ନାହିଁ ବୋଲି ମନା କରିଥିଲା । ପରିବାର ଲୋକେ ତୁରନ୍ତ ଏକ ଖଟିଆରେ ସବେନାଙ୍କୁ ଶୁଆଇ ଦେଇ ବୋହି ଆନ୍ଧ୍ର ପ୍ରଦେଶର ପେଦାବୟାଲୁ ପଞ୍ଚାୟତର ଜାମଗୁଡା ଗ୍ରାମ ଦେଇ କାନିଗୁଡାରେ ପହଞ୍ଚିଥିଲେ । ପ୍ରାୟ ୧୦ କିଲୋମିଟର ବାଟ ଖଟିଆରେ ଗର୍ଭବତୀ ସବେନାଙ୍କୁ ବୋହି ଆଣୁଥିବା ବେଳେ ରାସ୍ତାରେ ସବେନାଙ୍କର ପ୍ରସବ ବେଦନା ହେବା ପରେ ସେଠାରେ ହିଁ ଖଟିଆ ରଖି ତାଙ୍କର ଡେଲିଭେରି କରାଯାଇଥିଲା । ଜଙ୍ଗଲରେ କେହି ଡାକ୍ତର କିମ୍ବା ନର୍ଶ ନଥିଲେ । ପରିବାର ଲୋକଙ୍କ ସହଯୋଗରେ ହିଁ ସବେନାର ଡେଲିଭରୀ କରାଯାଇଥିଲା । ତୁରନ୍ତ ନବଜାତ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସସ ପର୍ଯ୍ୟନ୍ତ ନେବା ପରେ ଆମ୍ବୁଲାନ୍ସ ଜାନବାଇ ମେଡିକାଲକୁ ନେଇଥିଲା । ଡାକ୍ତରଙ୍କର ଚିକିତ୍ସା ପରେ ବର୍ତ୍ତମାନ ଜାନବାଇ ମେଡିକାଲରେ ମା’ ଓ ଶିଶୁ ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି । ବାରମ୍ବାର ଜିଲ୍ଲାରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ନପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ଜୋରଦାର ଚାଲୁଥିବା ଡିଣ୍ଡିମ ପିଟାଯାଉଥିବା ବେଳେ ଏବେ ବି ଆହୁରି ଅର୍ଦ୍ଧାଧିକ ଗ୍ରାମକୁ ରାସ୍ତା ନଥିବା ବେଳେ ଲୋକେ ପାଦରେ ଚାଲି ଚାଲି ହିଁ ଗୋଟିଏ ସ୍ତାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking