38.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍ଆମେ କିଏ, ଦାୟୀତ୍ୱ କାହାର

ଆମେ କିଏ, ଦାୟୀତ୍ୱ କାହାର

ରାୟଗଡା (ଓଡ଼ିଶା ନ୍ୟୁଜ ଏଜେନ୍ସି) : ରାୟଗଡା ଜିଲା ମୁଖ୍ୟରାସ୍ତା ପାଶ୍ୱର୍ ଫୁଟପାଥରେ ପଡିଥିବା ପ୍ରତ୍ୟେକେ ପଚାରୁଛନ୍ତି ମୁଁ କିଏ । ଆମ ପରିଚୟ କଣ । ଆମ ଥଇଥାନର ଦାୟୀତ୍ୱ କାହାର । ଉଚ୍ଛେଦର ୩ମାସ ପରେବି ରାସ୍ତାପାଶ୍ୱ ପଲିଥିନ ତଳୁ ଏହି ପ୍ରଶ୍ନ କରୁଛନ୍ତି । ଅନାଧିକା କବଜା କରି ରଖିଥିଲୁ । ସରକାରଙ୍କ ଉଚ୍ଛେଦ ନିୟମ ପ୍ରକାରେ ବାନ୍ଧିଥିବା ବସାକୁ ଭାଙ୍ଗି ଦିଆଗଲା । ଆମେ ସ୍ୱାଗତ କରୁଛୁ । କିନ୍ତୁ ଥଇଥାନ ପାଇଁ ରହିଥିବା ସମସ୍ତ ବ୍ୟବସ୍ଥା ଆମପାଇଁ ସୁପ୍ତ ହୋଇଯାଇଛି କି ବୋଲି ପୁଙ୍ଗୁଳା ଦେହରେ ପାଲ ତଳୁ ଶୀତରେ ଥରିଥରି ଜଣେ ଦିବ୍ୟାଙ୍ଗ ପୂର୍ଣ୍ଣିମା ପ୍ରଶ୍ନ କରୁଛନ୍ତି । ଯାତାୟତ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ଆଉ କେତେଦିନ ଏମିତି ଜିଇଁବୁ ।
ମାଣ୍ଡିଙ୍ଗି ପୂର୍ଣ୍ଣିମା । ଜଣେ ଦିବ୍ୟାଙ୍ଗ । ଦୁଇଟି ଯାକ ଆଖିକୁ ମୂଳରୁ ଦିଶୁନାହିଁ । ସ୍ପଷ୍ଟ କହିପାରୁନଥିଲେ ମଧ୍ୟ ଶରୀରର ମୋଡିମୋଡି ହୋଇଯାଇଥିବା ଆବରଣ କହୁଛି ବୟସ ଆସି ସାୟାନ୍ନରେ ପହଞ୍ଚିଗଲାଣି । ଡାକ୍ତର କହିଲେ ଦେହରେ ରକ୍ତ ନାହି । ଆଉ ରାୟଗଡା ରେଳ ଡିଭିଜନ ଘୋଷଣା ପରେ ଉଚ୍ଛେଦର ଶିକାର ହୋଇଥିବା ପୂର୍ଣ୍ଣମା ଗତ ୩ମାସ ଧରି ରାସ୍ତ ପାଶ୍ୱରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଗତ କିଛିବର୍ଷ ଧରି ଦୁଇଟି ଆଖିରେ ଦୃଶ୍ୟ ଚାଲିଯାଇଛି । ଆଖିକୁ ଦିଶୁନଥିବାରୁ ଚଲାବୁଲା ମଧ୍ୟ କରିପାରୁନାହାନ୍ତି । ସ୍ୱାମୀ ମକର କାଡ୍ରାକା ବି ଦିବ୍ୟାଙ୍ଗ । ଶୀତ ଦିନରେ ବସ୍ତି ଉଚ୍ଛେଦ । ଉଭୟେ ଦିବ୍ୟାଙ୍ଗ ହୋଇଥିବାରୁ ଶୀତଟା ତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ପାଲଟି ଯାଇଛି । ମୁଣ୍ଡ ଉପରୁ ଚାଳ ଛପର ହଟିଯିବା ପରେ ଖୋଲା ଆକାଶରୁ ଛିଣ୍ଡିପଡୁଥିବା କାକରରେ ଖଣ୍ଡିଆ ପାଲ ତଳେ ଦିନ କାଟୁଛନ୍ତି ପୂର୍ଣ୍ଣିମା ଓ ତାଙ୍କ ସ୍ୱାମୀ । ଦିନ ରାତି ତାଙ୍କପାଇଁ ସମାନ ।

ଉଚ୍ଛେଦ ପରେ ଥଇଥାନକୁ ନେଇ ପ୍ରଶ୍ନ

ତଥାପି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ମୁଖ୍ୟରାସ୍ତା ପାଶ୍ୱରେ ରାସ୍ତା ଉପରକୁ ଅନାଇ ଯାତାୟତ କରୁଥିବା ପଥିକଙ୍କୁ କହୁଛନ୍ତି ଆଉ କେତେଦିନ ଏମିତି ଜିଇଁବୁ । କାଳେ ଏ ଅନ୍ଧୁଣି ଉପରେ କାହାର ଦୃଷ୍ଟି ପଡିଯିବ ଆଉ କାକରରୁ ଟିକେ ତ୍ରାହି ମିଳିଯିବ ବୋଲି କୋହଭରା କଣ୍ଠରେ ନିଜ ମନର କଥାକୁ ଚିକ୍ରାର କରି କହୁଛନ୍ତି । ୬୦ବର୍ଷ ଧର ରହିଆସୁଥିବା ବସ୍ତିକୁ ବିକାଶ ନାମରେ ଭାଙ୍ଗିଦିଅଗଲା । ବର୍ଷବର୍ଷ ଧରି ଜବରଦଖଲରେ ରହିଥିଲୁ । ତେଣୁ ଉଚ୍ଛେଦକୁ ସେ ବିରୋଧ କରୁନାହାନ୍ତି । କିନ୍ତୁ କେହି ଭୂମୀହୀନ ରହିବେନାହିଁ, ଜାଗା ମିଶନ, ସହରାଞ୍ଚଳ ବସ୍ତି ନିର୍ମାଣ ଭଳି ଯେଜନା ଗୁଡିକ କୁଆଡେ ଗଲା ବୋଲି ସେ ନିଜ ଭାଷାରେ କହିଚାଲିଛନ୍ତି । କହିବାକୁ ଗଲେ ସତେ ଯେପରି ପୂର୍ଣ୍ଣିମାଙ୍କ ପାଇଁ ଏହିସବୁ ଯୋଜାନ ଦିଗହରା ହୋଇଯାଇଛି । ଏକା ପୂର୍ଣ୍ଣିମା ନୁହନ୍ତି ଶକୁନ୍ତଳା କନ୍ଦପାଣି, ଜାନକି, ଲାଛମି, ଜଗୁଲୁ, ବାଲିଙ୍କି ଭଳି ଶହଶହ ପରିବାରର ମୁଣ୍ଡ ଉପରୁ ଛାତ ହଟିଯାଇଛି । ଦିନରେ ଖରା ରାତିରେ ଥଣ୍ଡା କାକରରେ ରାସ୍ତା କଡରେ ଦିନ କାଟୁଥିବା ପରିଲିଖିତ ହୋଇଛି । ଏହି ଉଚ୍ଛେଦରେ ଅନଧିକାର କବଜା କରି ରଖିଥିବା ପ୍ରାୟ ୫୦୦ପରିବାର ପ୍ରଭାବିତ ହୋଇଛନ୍ତି । ରାସ୍ତାକଡରେ ଦିନ କାଟୁଥିବା ଲୋକଙ୍କ କହିବା ଅନୁଯାଇ ସରକାରୀ ଜମିରେ ଅନଧିକାର କବଜା କରି ରଖିଥିବା ୭୦ପ୍ରତିଶତ ଲୋକଙ୍କ ନିଜସ୍ୱ ବୋଲି ଘରଡିହ ରହିଛି । କିନ୍ତୁ ବାକି ୩୦ପ୍ରତିଶତ ପରିବାରର ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ବେଳେ ସେମାନଙ୍କ ପାଇଁ ଦୁଇଓଳା ମୁଠାଏ ଖାଇବାକୁ ମଧ୍ୟ ଉପଲବ୍ଧ ହୋଇପାରୁନାହିଁ । ଉକ୍ରଟ ଦାରିଦ୍ର‌୍ୟ ଯୋଗୁଁ ଉଚ୍ଛେଦ ପରେ ରାସ୍ତା ଉପରେ ପଡିରହିଥିବା ଏକ ସ୍ୱରରେ ପ୍ରକାଶ କରିଛନ୍ତି । ଏହି ଦେଶର ନାଗରିକ ବୋଲି ଆଧାର କାର୍ଡ ଠାରୁ ଭୋଟ ପରିଚୟ ପତ୍ର ପ୍ରଦାନ କରଯାଇଛି । ତେବେ ଏମାନଙ୍କ ଥଇଥାନ ଦାୟୀତ୍ୱ କାହାର । ରେଳ ବିଭାଗର ନା ଜିଲା ପ୍ରଶାସନର ବୋଲି କିଛି ସ୍ୱେଚ୍ଛାସେବୀ ପ୍ରଶ୍ନ କରିଛନ୍ତି । ରାସ୍ତ କଡରେ ଶୀତରେ ଦିନ କାଟୁଥିବା ଏହି ମଣିଷଙ୍କ ସ୍ୱାଧୀନ ଭାରତରେ ଅଧିକାର କଣ ରହିଛି । ଉଚ୍ଛେଦ ପରେ ଅବହେଳିତ ଅବସ୍ଥାରେ ଛାଡିଦେବା ମାନବ ଅଧିକାର ଉଲଙ୍ଘନ ହେଉଛି କି ନାହିଁ ବୋଲି ଜଣେ ମାନବ ଅଧିକାର କର୍ମୀ ଜୀବନ ଚୌଧୁରୀ କହିଛନ୍ତି । ଆଗକୁ ଆସୁଥିବା ଶୀତରେ କେତେଯେ ବୁଢ଼ା ବୁଢ଼ୀଙ୍କ ଜୀବନ ହାନି ଘଟିବ ତାହାର କଳାନା ନାହିଁ । ଏପରିକି ରାସ୍ତା କଡରେ ରହୁଥିବାରୁ ଯାନ ବାହାନ ଚକତଳେ ଜୀବନ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେଅତିଶିଘ୍ର ଏମାନଙ୍କୁ ଥଇଥାନ କରାନଗଲେ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବିବୋଲି ଚୌଧୁରୀ କହିଛନ୍ତି । ଅପରପକ୍ଷରେ ତୁହାକୁ ତୁହା କରି କେତେଥର ଯେ ପ୍ରଶାସନ ପାଖରେ ନେହୁରା ହେଲୁଣି ବୋଲି ରାସ୍ତାକଡରେ ଦିନ କାଟୁଥିବା ଆଉଜଣେ ଯଶବନ୍ତି କାଡ୍ରାକା କହିଛନ୍ତି । ସବୁବେଳେ ପ୍ରତିଶୃତି ପାଇ ଫେରିଆସୁଛୁ । ୩ରୁ ୪ମାସ ବିତିଗଲାଣି । ତଥାପି କୌଣସି ବାଟ ଫିଟୁନି । ତେବେ ସରକାରଙ୍କ ଥଇଥାନ ନୀତି ଅନୁଯାଇ କେବଳ ଅସହାୟ ପରିବାରକୁ ଚିହ୍ନଟ କରି ଜାଗା ଖଣ୍ଡିଏ ପ୍ରଦାନ କରାଗଲେ ପାଲଟାଣି ରହିପାରନ୍ତୁ ବୋଲି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking