ଭୁବନେଶ୍ୱର : ରାଜ୍ୟର ଭିତ୍ତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ଜନକଲ୍ୟାଣମୂଳକ ଓ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନିର୍ମାଣ ବିଭାଗ ଏବଂ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (OBCC) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନ ସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ମାଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂOBCC ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ Iମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୁରଦୃଷ୍ଟି ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମାର୍ଗଦର୍ଶନ ରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ପତ୍ର ବେଶ ଫଳପ୍ରଦ ହେବା ସହ ରାଜ୍ୟରେ ଆଧୁନିକ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ, ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀର ବିକାଶ, ଉନ୍ନତ ଗମନାଗମନ ବ୍ୟବସ୍ଥା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଏହି ବୁଝାମଣାପତ୍ର ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷରେ ନିର୍ମାଣ ବିଭାଗ ଓବିସିସିକୁ ୨,୦୦୦ କୋଟି ଟଙ୍କାର କାର୍ଯ୍ୟ ପ୍ରଦାନ କରିବ । ଏହାଦ୍ୱାରା ରାଜ୍ୟରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଓ ତ୍ୱରିତ ସମ୍ପାଦନକୁ ଗୁରୁତ୍ୱ ମିଳିବ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣକୁ ସାମିଲ କରାଯାଇଛି। କେଉଁଝର ଘଟଗାଁର ମା’ ତାରିଣୀ ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଜଗତସିଂହପୁରର ମା’ ସାରଳା ମନ୍ଦିର, ଯୋରନ୍ଦାର ଶୂନ୍ୟ ମନ୍ଦିର, ଖୋର୍ଦ୍ଧାର ମା’ ଉଗ୍ରତାରା ମନ୍ଦିର ଓ ମା’ ଭଗବତୀ ମନ୍ଦିରର ବିକାଶ ଏଥିରେ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ପ୍ରକଳ୍ପର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ।
ସେହିପରି ରାଜ୍ୟର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କଟକର ଏସ୍ସିବି ମେଡିକାଲ କଲେଜ, ବୁର୍ଲାର ଭିମ୍ସାର ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରେ ବିଭିନ୍ନ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବ।
ସଡ଼କ ଓ ସେତୁ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ଭୁବନେଶ୍ୱରର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଫ୍ଲାଏଓଭର ନିର୍ମାଣ, ବଡ଼ବିଲ ରିଙ୍ଗ୍ ରୋଡ୍, ଗଞ୍ଜାମର ଗେଟ୍ ବଜାର ଫ୍ଲାଏ ଓଭର ସହ କାଠଯୋଡ଼ି, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ଉପରେ ହାଇଲେଭଲ୍ ସେତୁ ନିର୍ମାଣ ଭଳି ପ୍ରକଳ୍ପ ଏହି ବୁଝାମଣାପତ୍ର ମାଧ୍ୟମରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି । ଏହାଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ସୁଗମ ହେବା ସହ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ।
କୃଷି ଓ ଗ୍ରାମୀଣ ଭିତ୍ତିଭୂମିର ବିକାଶ ପାଇଁ ମଡେଲ ଧାନମଣ୍ଡି ନିର୍ମାଣ, ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜଧାନୀ ଭୁବନେଶ୍ୱରରେ ଜନଆଶ୍ରୟ ଭବନ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ଆଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ। ଏଥିସହ କେନ୍ଦୁଝରଠାରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ନିର୍ମାଣ ପ୍ରକଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୁଝାମଣାପତ୍ରରେ ନିର୍ମାଣ ବିଭାଗ ଓ ଅର୍ଥ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକଳ୍ପଗୁଡ଼ିକର ତଦାରଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି Iଏହି ବୈଠକରେ ନିର୍ମାଣ ବିଭାଗ ଓ ଓବିସିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।










