ଭୁବନେଶ୍ୱର: ଓଡ଼ିଶା ମାଟି ତଳେ ସୁନା, ରୂପା ଓ ମୂଲ୍ୟବାନ ମାଣିକ୍ୟର ଭଣ୍ଡାର। ରାଜ୍ୟର ୩ଟି ଜିଲ୍ଲାରେ ରହିଛି ୩ ହଜାର ୩୩୮ କେଜିରୁ ଅଧିକ ସୁନା। ଦେବଗଡ଼ ଓ ସୁନ୍ଦରଗଡ଼ରେ ରହିଛି ରୂପାର ସନ୍ଧାନ। ସେହିପରି କଳାହାଣ୍ଡିରେ ମିଳିଛି ମୂଲ୍ୟବାନ ମାଣିକ୍ୟ ପଥରର ଭଣ୍ଡାର। ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।ଓଡ଼ିଶା ମାଟି ତଳେ ଲୁଚି ରହିଛି ମୂଲ୍ୟବାନ ଖଣିଜ ସମ୍ପଦ। ରାଜ୍ୟର ୩ଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି। କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ରହିଛି ସୁନାର ଭଣ୍ଡାର। କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡିହାରେ ୧୯୧.୦୬ କେଜି ସୁନା ମହଜୁଦ ଥିବାବେଳେ ମୟୂରଭଞ୍ଜର ମଦନସାହି-କଞ୍ଜିଆରେ ୧୪୬୨.୭୩ କେଜି ସୁନା ରହିଛି।
ସେହିପରି ଦେବଗଡ଼ ଜିଲ୍ଲାର ଅଡ଼ଶ ଠାରେ ୧୬୮୫ କେଜି ସୁନା ମହଜୁଦ ଥିବା ତଥ୍ୟ ଦିଆଯାଇଛି। ଏହି ତିନି ଜିଲ୍ଲାରେ ମୋଟ ୩୩୩୮.୭୯ କେଜି ସୁନା ରହିଛି। ଅନ୍ୟପଟେ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ରୂପାର ଭଣ୍ଡାର। ଦେବଗଡ଼ର ଅଡ଼ଶରେ ୦.୬୩୮ ମେଟ୍ରିକ୍ ଟନ୍ ଏବଂ ସୁନ୍ଦରଗଡ଼ର ସରଗିପାଲିରେ ୧.୭୪୯ ମେଟ୍ରିକ୍ ଟନ୍ ରୂପା ମହଜୁଦ ଅଛି। ଦୁଇ ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୂପା ରହିଛି।କେବଳ ସୁନା ଓ ରୂପା ନୁହେଁ, କଳାହାଣ୍ଡିରେ ମଧ୍ୟ ମିଳିଛି ମୂଲ୍ୟବାନ ମାଣିକ୍ୟ ବା ରୁବିର ସନ୍ଧାନ। ଜିଲିଙ୍ଗଧର-ହିଞ୍ଜିଲିବାହାଲ ଅଞ୍ଚଳରେ ୫ ହଜାର ୩୪୯ କେଜି ମାଣିକ୍ୟ ପଥର ଗଚ୍ଛିତ ଥିବା ତଥ୍ୟ ସାମ୍ନାକୁ ଆସିଛି। ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ତଥ୍ୟ ଦେଇଛନ୍ତି। ରାଜ୍ୟର ଖଣିଜ ସମ୍ପଦକୁ ନେଇ ଏହି ତଥ୍ୟ ଏବେ ଚର୍ଚ୍ଚାର ବିଷୟ।










