24.1 C
Bhubaneswar
Monday, November 16, 2026
Homeଓଡିଶାସମ୍ଭାବ୍ୟ ବର୍ଷା: ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ଉପରେ ନିରନ୍ତର ନଜର 

ସମ୍ଭାବ୍ୟ ବର୍ଷା: ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ଉପରେ ନିରନ୍ତର ନଜର 

ଭୁବନେଶ୍ୱର: ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସା) ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ମନିଟରିଂ),ମୁଖ୍ୟ ଯନ୍ତ୍ରୀ, ଆର୍‌ବିଭିଏନ୍‌, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ସମ୍ପୃକ୍ତ ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଯୋଗଦେଇଥିଲେ।

ବୈଠକରେ ସମ୍ଭାବ୍ୟ ବର୍ଷାର ପରିମାଣ, ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧିର ଆଶଙ୍କା, ଜଳଭଣ୍ଡାରଗୁଡ଼ିକରେ ଜଳପ୍ରବେଶ ଏବଂ ସେଗୁଡ଼ିକର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ୮ଟି ମଧ୍ୟମ ଜଳଭଣ୍ଡାର ଏବଂ ଗଜପତି ଜିଲ୍ଲାର ୨ଟି ମଧ୍ୟମ ଜଳଭଣ୍ଡାରରେ ବୃଦ୍ଧି ପାଇଥିବା ଜଳସଂରକ୍ଷଣର ସ୍ଥିତିକୁ ନେଇ ସବିଶେଷ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନର ଜଳସଂରକ୍ଷଣ ସ୍ତର ଏବଂ ପାଣିପାଗର ପୂର୍ବାନୁମାନକୁ ଆଧାର କରି ଆଗାମୀ ପାଣିପାଗଜନିତ ପରିସ୍ଥିତିରେ ଅନୁସରଣ କରାଯିବାକୁ ଥିବା ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି) ମଧ୍ୟ ଚୂଡ଼ାନ୍ତ କରାଯାଇଥିଲା।

ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା, ବିଭିନ୍ନ ଡିଭିଜନ ମଧ୍ୟରେ ଉତ୍ତମ ସମନ୍ୱୟ ବଜାୟ ରଖିବା ଏବଂ ସମୟୋଚିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ବିପଦର ଆଗୁଆ ଆକଳନ, ସତର୍କତାମୂଳକ ପଦକ୍ଷେପ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଜଳଭଣ୍ଡାର ଓ ଅନ୍ୟାନ୍ୟ ଜଳଭିତ୍ତିକ ଭିତ୍ତିଭୂମିର ସୁରକ୍ଷା ପାଇଁ ବିଭାଗ ପ୍ରତିବଦ୍ଧ ରହିଛି। ଆଗାମୀ ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking