ବିଜେଡି ଶାସନ କାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ଆସିଥିଲା
ଉତ୍ତରପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟ ୫-ଟି କାର୍ଯ୍ୟକ୍ରମକୁ କରୁଛନ୍ତି ଅନୁକରଣ
ଭୁବନେଶ୍ୱର: ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭ୍ରମାତ୍ମକ, ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ଏବଂ ତଥ୍ୟହୀନ ମନ୍ତବ୍ୟକୁ ଦୃଢ଼ଭାବେ ନିନ୍ଦା କରିଛି ବିଜେଡି । ଏହି ଐତିହାସିକ ପଦକ୍ଷେପକୁ ବାରମ୍ୱାର ‘ଡ୍ରାମା’, ‘ରଙ୍ଗମରା’ କିମ୍ୱା କୋଟି କୋଟି ଟଙ୍କା ଲୁଟିବାର ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ କେବଳ ହଜାର ହଜାର ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ପ୍ରଶାସନିକ କର୍ମଚାରୀଙ୍କ କଠିନ ପରିଶ୍ରମକୁ ଅପମାନିତ କରୁନାହାନ୍ତି ବରଂ ଓଡ଼ିଶାର ଶିକ୍ଷା କ୍ଷେତ୍ରର ସବୁଠାରୁ ଦୃଶ୍ୟମାନ ସଫଳତାର କାହାଣୀକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।
ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷର ବିଜେଡି ଶାସନ କାଳରେ ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ଆସିଥିଲା । ଦଳବଦ୍ଧତା, ପ୍ରଯୁକ୍ତି, ସ୍ୱଚ୍ଛତା, ସମୟ ଏବଂ ରୂପାନ୍ତରଣ-ଏହି ପାଞ୍ଚଟି ସ୍ତମ୍ଭ ଉପରେ ଆଧାରିତ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମୋ ସ୍କୁଲ ଅଭିଯାନ ଅଧୀନରେ ରାଜ୍ୟର ୮,୬୦୦ରୁ ଅଧିକ ହାଇସ୍କୁଲକୁ ଆଧୁନିକୀକରଣ କରିଥିଲା । ଏହି ବିଦ୍ୟାଳୟଗୁଡ଼ିକରେ ଇଣ୍ଟରାକ୍ଟିଭ୍ ବୋର୍ଡ ଓ ଡିଜିଟାଲ୍ ବିଷୟବସ୍ତୁ ସହିତ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନ ପ୍ରୟୋଗଶାଳା ଓ ଇଣ୍ଟରାକ୍ଟିଭ୍ ବିଜ୍ଞାନ କେନ୍ଦ୍ର, ଇ-ଲାଇବ୍ରେରୀ, ସ୍ୱଚ୍ଛତା ଓ ପାନୀୟ ଜଳ ବ୍ୟବସ୍ଥା, ମଜବୁତ ଆସବାବପତ୍ର, କ୍ରୀଡ଼ା ଭିତ୍ତିଭୂମି ଏବଂ ସାମଗ୍ରିକ ଭାବେ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇଥିଲା । ଏଥିପାଇଁ ତିନି ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଥିଲା ।
ଏହି ନିରନ୍ତର ପ୍ରୟାସର ଫଳାଫଳ ବର୍ତ୍ତମାନ ସାର୍ବଜନୀନ ରେକର୍ଡର ଅଂଶ ଏବଂ ସ୍ୱାଧୀନ ମୂଲ୍ୟାଙ୍କନ ଦ୍ୱାରା ପ୍ରମାଣିତ ହୋଇଛି । ଭାରତ ସରକାର ପ୍ରକାଶିତ ୨୦୨୩-୨୪ ପାଇଁ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ-୨.୦)ରେ ଓଡ଼ିଶା ୨୦୧୯-୨୦ର ୧୪ତମ ସ୍ଥାନରୁ ଉନ୍ନତି କରି ଜାତୀୟ ସ୍ତରରେ ୫ମ ସ୍ଥାନ ହାସଲ କରିଛି ଏବଂ ୫୯୫.୬ ସ୍କୋର ସହିତ ପ୍ରଚେଷ୍ଟା-୩ ଗ୍ରେଡ୍ ପାଇଛି । ରାଜ୍ୟ ‘ଆକସେସ୍’ ଡୋମେନରେ ଶୀର୍ଷ ସ୍ଥାନ ହାସଲ କରିଛି । ସ୍ୱାଧୀନ ମୂଲ୍ୟାଙ୍କନରେ ଶିକ୍ଷାର ଅଧିକାର ଆଇନ ଅଧୀନରେ ଛାତ୍ର ଧାରଣ ହାର ୯୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି । ହଜାର ହଜାର ଶିକ୍ଷକ ନିଯୁକ୍ତି, ଶିକ୍ଷାଗତ ସମୃଦ୍ଧି କାର୍ଯ୍ୟକ୍ରମ ଏବଂ ଶିକ୍ଷକଙ୍କ ପେଶାଗତ ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା । ଏସବୁ ମିଳିତ ଭାବେ ସରକାରୀ ବିଦ୍ୟାଳୟ ଶିକ୍ଷାର ମଜବୁତ ଭିତ୍ତିଭୂମି ଗଢ଼ିଥିଲା । ଏହା ବିଶେଷ ଭାବେ ଉଲ୍ଲେଖନୀୟ ଯେ ସେହି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ରାଜନୈତିକ ସୁବିଧା ପାଇଁ ୫-ଟିକୁ ଆକ୍ରମଣ କରୁଥିବା ବେଳେ ନିଜେ ଏହାର ପ୍ରାଧାନିକ ମୂଲ୍ୟକୁ ସ୍ୱୀକାର କରିଛନ୍ତି । ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ସରକାରଙ୍କ ନିଜସ୍ୱ ସାମଗ୍ରୀ ଏବଂ ବୃତ୍ତାନ୍ତରେ ନିବେଶ ଆକର୍ଷଣ ପାଇଁ ଓଡ଼ିଶାର ଶକ୍ତି ଭାବେ ୫-ଟି ଭଳି ମଜବୁତ ଶାସନ ଢାଞ୍ଚାକୁ ଉଲ୍ଲେଖ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ମଧ୍ୟ ଆୟୋଜନ କରିଥିଲେ, ଯେଉଁଠାରେ ପୂର୍ବ ବର୍ଷଗୁଡ଼ିକରେ ଗଢ଼ା ଯାଇଥିବା ବିକାଶ ପ୍ରଗତି ଏବଂ ପ୍ରାଧାନିକ ବିଶ୍ୱସନୀୟତା, ବିଶେଷକରି ୫-ଟି ଅଧୀନରେ ଶିକ୍ଷା କ୍ଷେତ୍ରର ସଂସ୍କାରକୁ ପ୍ରଦର୍ଶିତ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷାରେ ମାପ ଯୋଗ୍ୟ ଜାତୀୟ ସ୍ୱୀକୃତି ଦେଇଥିବା ପଦକ୍ଷେପକୁ ଅପମାନିତ କରି ଏକାସାଙ୍ଗରେ ଓଡ଼ିଶାର ଉନ୍ନତ ସ୍ଥିତିର ଶ୍ରେୟ ନେବା ସମ୍ଭବ ନୁହେଁ । ଓଡ଼ିଶାର ଜନତା ଏହି ଦୌତ୍ ନୀତିକୁ ବୁଝିପାରୁଛନ୍ତି । ରାଜ୍ୟର ଉନ୍ନତ ର୍ୟାଙ୍କି, ଧାରଣ ହାର ଏବଂ ରୂପାନ୍ତରିତ ବିଦ୍ୟାଳୟ ପରିସର ଜୀବନ୍ତ ପ୍ରମାଣ ଥିବା ବେଳେ ୫-ଟିକୁ ସମାଲୋଚନା କରିବା କେବଳ ରାଜନୈତିକ ହତାଶାକୁ ପ୍ରକାଶ କରେ । ନକାରାତ୍ମକ ପ୍ରଚାର ଏବଂ ଚୟନିତ ବିସ୍ମୃତିରେ ଲିପ୍ତ ହେବା ପରିବର୍ତ୍ତେ ବର୍ତ୍ତମାନ ସରକାର ବିଜେଡି ଦ୍ୱାରା ସ୍ଥାପିତ ମଜବୁତ ଭିତ୍ତିଭୂମି ଉପରେ ଆଗକୁ ବଢ଼ିବା ଉଚିତ ଏବଂ କେବଳ ଭାଷଣ ନୁହେଁ, ପ୍ରକୃତ କାର୍ଯ୍ୟ ସମ୍ପାଦନ ଉପରେ ଧ୍ୟାନ ଦେବା ଉଚିତ । ବିଜୁ ଜନତା ଦଳ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିଥିବା ଏହି ସଫଳତାକୁ ରକ୍ଷା କରିବାକୁ ଜାରି ରଖିବ ଏବଂ ରାଜନୈତିକ ମିଥ୍ୟା ଦ୍ୱାରା ଇତିହାସକୁ ପୁନଃଲିଖନ କରିବାକୁ ଦେବ ନାହିଁ ବୋଲି ଡ. ମହାନ୍ତି କହିଛନ୍ତି ।










