ଭୁବନେଶ୍ୱର: ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ଭିନ୍ନ ଭିନ୍ନ ଆକଳନ ସାମ୍ନାକୁ ଆସୁଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୱେଦର ବାତ୍ୟାର ତିନୋଟି ସମ୍ଭାବ୍ୟ ଗତିପଥ ସମ୍ପର୍କରେ ସୂଚନା ଦେଇଛି । ଏହା ମଧ୍ୟରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ, ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ।ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ସ୍କାଏମେଟ୍ ପ୍ରକାଶ କରିଥିବା ପୂର୍ବାନୁମାନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ସିଷ୍ଟମ୍ ର ଗତିପଥରେ ପରିବର୍ତ୍ତନ ହୋଇପାରେ । ବିଶେଷକରି ବାତ୍ୟା ସମୁଦ୍ର ମଧ୍ୟରେ ଦିଗ ପରିବର୍ତ୍ତନ କଲେ ଏହାର ପ୍ରଭାବ ପଡ଼ିବାକୁ ଥିବା ଉପକୂଳ ଅଞ୍ଚଳ ମଧ୍ୟ ବଦଳିଯାଇପାରେ ।
ପ୍ରଥମ ସମ୍ଭାବ୍ୟ ଗତିପଥ: ବାତ୍ୟା ଶକ୍ତିଶାଳୀ ହୋଇ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । ଏପରି ହେଲେ ଦକ୍ଷିଣ ଭାରତର ପୂର୍ବ ଉପକୂଳରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିବ ।ଦ୍ୱିତୀୟ ସମ୍ଭାବ୍ୟ ଗତିପଥ: ବାତ୍ୟା ବଙ୍ଗୋପସାଗର ମଧ୍ୟରେ ଉତ୍ତର କିମ୍ବା ଉତ୍ତରପୂର୍ବ ଦିଗକୁ ମୋଡ଼ ନେଇପାରେ । ଏହି ପରିସ୍ଥିତିରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଏଡ଼ାଇ ବାତ୍ୟା ଆହୁରି ଉତ୍ତର ଦିଗକୁ ଗତି କରିପାରେ। ଏପରି ହେଲେ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ପ୍ରତି ବିପଦ ବଢ଼ିପାରେ । ନଭେମ୍ବର ୧୩ ତାରିଖର ପରବର୍ତ୍ତୀ ରିପୋର୍ଟରେ ଏହି ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯାଇଛି ।
ତୃତୀୟ ସମ୍ଭାବ୍ୟ ଗତିପଥ: ବାତ୍ୟା ଆଗୁଆ ଉତ୍ତରପୂର୍ବ ଦିଗକୁ ମୋଡ଼ ନେଇ ମିଆଁମାର ଉପକୂଳ ଆଡ଼କୁ ଗତି କରିପାରେ । ତେବେ ନଭେମ୍ବର ୧୦ ତାରିଖର ସ୍କାଏମେଟ୍ ଆକଳନରେ ଏହି ସମ୍ଭାବନାକୁ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ନଭେମ୍ବର ୧୪ ତାରିଖର ବୁଲେଟିନ୍ ରେ ଭିନ୍ନ ଆକଳନ ଦେଖିବାକୁ ମିଳିଛି । ଆଇଏମଡିର ମଲ୍ଟି ମଡେଲ୍ ଏନସେମ୍ବଲ୍ ସମେତ ଅଧିକାଂଶ ମଡେଲ୍ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ଦେଇଛନ୍ତି । କିନ୍ତୁ ଆଇଏମଡି ଜିଏଫଏସ୍ ମଡେଲ୍ ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଦର୍ଶାଇଛି ।ବାତ୍ୟା ସୃଷ୍ଟି ହେବାର ସମୟକୁ ନେଇ ମଧ୍ୟ ଆକଳନରେ ପାର୍ଥକ୍ୟ ରହିଛି । ନଭେମ୍ବର ୧୩ ତାରିଖରେ ପ୍ରକାଶିତ ସ୍କାଏମେଟ୍ ସମ୍ପର୍କିତ ରିପୋର୍ଟରେ ନଭେମ୍ବର ୧୮ ଆଖପାଖରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ଆଇଏମଡିର ନଭେମ୍ବର ୧୪ ବୁଲେଟିନ୍ ଅନୁସାରେ ନଭେମ୍ବର ୧୬ରେ ବାତ୍ୟା ଏବଂ ନଭେମ୍ବର ୧୮ ସକାଳ ସୁଦ୍ଧା ଭୀଷଣ ବାତ୍ୟା ସୃଷ୍ଟି ହୋଇପାରେ ।ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସମ୍ଭାବ୍ୟ ବାତ୍ୟା କେଉଁ ଦିଗକୁ ଗତି କରିବ ଏବଂ କେଉଁ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ? ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ପାଣିପାଗ ମଡେଲ୍ ଗୁଡ଼ିକ ମଧ୍ୟରେ ମତଭେଦ ରହିଥିବାରୁ ବର୍ତ୍ତମାନ କୌଣସି ଗୋଟିଏ ଗତିପଥକୁ ଚୂଡ଼ାନ୍ତ ବୋଲି କୁହାଯାଇପାରିବ ନାହିଁ । ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ରୁ ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।










