24.1 C
Bhubaneswar
Monday, November 16, 2026
Homeଓଡିଶାଓଡ଼ିଶାର ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ପାଇଁ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପଦ୍ଧତି ଗୁରୁତ୍ୱପୂର୍ଣ୍ଣ: ଉଷା ପାଢ଼ୀ

ଓଡ଼ିଶାର ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ପାଇଁ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପଦ୍ଧତି ଗୁରୁତ୍ୱପୂର୍ଣ୍ଣ: ଉଷା ପାଢ଼ୀ

ଭୁବନେଶ୍ୱର: ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବାର ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ହାତକୁ ହାତ ମିଳାଇ ଆଗକୁ ବଢ଼ିବା ଆବଶ୍ୟକ। ଏଥିପାଇଁ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସେମାନଙ୍କର ମୂଳ ବ୍ୟବସାୟିକ ରଣନୀତିରେ ପରିବେଶ, ସାମାଜିକ ଦାୟିତ୍ୱ ଓ ସୁଶାସନ (Environmental, Social and Governance-ESG) ସମ୍ବନ୍ଧୀୟ ନୀତିକୁ ସାମିଲ କରିବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ। ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ସମ୍ମିଳନୀ କକ୍ଷରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ବକୁଳ ଫାଉଣ୍ଡେସନ ଓ ASSOCHAMର ସହଯୋଗରେ ଆୟୋଜିତ “ଭବିଷ୍ୟତ ପାଇଁ ବ୍ୟବସାୟ: ଜଳବାୟୁ ସହନଶୀଳ ଓ ଦାୟିତ୍ୱପୂର୍ଣ୍ଣ ଓଡ଼ିଶାର ବାଣିଜ୍ୟିକ ମୂଲ୍ୟ ଓ ସମ୍ଭାବନା” ଶୀର୍ଷକ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଏହି ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଆଉ କେବଳ ପରିବେଶ ସମ୍ବନ୍ଧୀୟ ଏକ ଚିନ୍ତାର ବିଷୟ ହୋଇ ରହିନାହିଁ; ଏହା ଏବେ ଅର୍ଥନୀତି ଓ ବ୍ୟବସାୟ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଭିତ୍ତିଭୂମି, ପ୍ରାକୃତିକ ସମ୍ପଦ, ଯୋଗାଣ ଶୃଙ୍ଖଳ ଏବଂ ଜୀବିକା ଉପରେ ଏହାର ପ୍ରଭାବ ପଡ଼ୁଛି।

ସେ ମତବ୍ୟକ୍ତ କରିଥିଲେ ଯେ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପଦ୍ଧତି କେବଳ ଆଇନଗତ ନିୟମ ପାଳନ କିମ୍ବା କର୍ପୋରେଟ୍ ସାମାଜିକ ଦାୟିତ୍ୱ ମଧ୍ୟରେ ସୀମିତ ନୁହେଁ। ଏହା ବ୍ୟବସାୟ ଓ ସମାଜ ଉଭୟଙ୍କ ପାଇଁ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବା ସହ ଜଡ଼ିତ। ଏହି ପରିପ୍ରେକ୍ଷୀରେ ସେ କୋଚିନ୍ ଆନ୍ତର୍ଜାତୀୟ ବିମାନବନ୍ଦରର ଉଦାହରଣ ଦେଇ କହିଥିଲେ ଯେ, ପରିବେଶ ଅନୁକୂଳ ଓ ସ୍ଥାୟୀ ବ୍ୟବସାୟିକ ମଡେଲ୍ ମଧ୍ୟ ବାଣିଜ୍ୟିକ ସଫଳତା ହାସଲ କରିପାରେ। ଲାଭ ଓ ସାମାଜିକ ଦାୟିତ୍ୱ ପରସ୍ପର ବିରୋଧୀ ନୁହନ୍ତି; ବରଂ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ହିଁ ଏକ ସଫଳ ବ୍ୟବସାୟ ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀମତୀ ପାଢ଼ୀ ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ESG ନୀତିକୁ ଏକ ସୁଯୋଗ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ବ୍ୟବସାୟିକ ପ୍ରତିଯୋଗିତା କ୍ଷମତା ବୃଦ୍ଧି, ଅଂଶୀଦାର ଓ ହିତଧାରକଙ୍କ ଆସ୍ଥା ଅର୍ଜନ, କର୍ପୋରେଟ୍ ପ୍ରତିଷ୍ଠା ସୁଦୃଢ଼ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ନୂତନ ସୁଯୋଗ ହାସଲ କରିହେବ ବୋଲି ସେ କହିଥିଲେ। ଏଥିସହିତ ପ୍ରସ୍ତାବିତ ଓଡ଼ିଶା ରେସ୍ପନ୍ସିବଲ୍ ଏଣ୍ଟରପ୍ରାଇଜ୍ ଆସୋସିଏସନ୍ କୁ ଶିଳ୍ପ, ସରକାର ଓ ନାଗରିକ ସମାଜକୁ ଏକାଠି କରିବାର ଏକ ସହଯୋଗଭିତ୍ତିକ ମଞ୍ଚ ଭାବେ ଅଭିହିତ କରିଥିଲେ। ଓଡ଼ିଶାର ଆବଶ୍ୟକତା ଓ ଆକାଂକ୍ଷା ଅନୁରୂପ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପଦ୍ଧତିର ପ୍ରସାରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସରକାର ଓ ବ୍ୟବସାୟିକ ସମୁଦାୟ ମଧ୍ୟରେ ଦୀର୍ଘସ୍ଥାୟୀ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଓଡ଼ିଶାକୁ କେବଳ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନୁହେଁ, ବରଂ ପରିବେଶ ଦୃଷ୍ଟିରୁ ସହନଶୀଳ ଓ ସାମାଜିକ ଭାବେ ସମାବେଶୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ। ଦାୟିତ୍ୱପୂର୍ଣ୍ଣ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶ ପାଇଁ ଏକ ଆଦର୍ଶ ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଥିଲେ। UCCILର ସଭାପତି ଡ. ପ୍ରବୋଧ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଶିଳ୍ପ ଜଗତର ପ୍ରତିନିଧି, ଶିକ୍ଷାବିତ୍ ଓ ବ୍ୟବସାୟିକ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଓଡ଼ିଶାରେ ଏକ ସ୍ଥାୟୀ, ନୈତିକ ଓ ଜଳବାୟୁ ସହନଶୀଳ ବ୍ୟବସାୟିକ ପରିବେଶ ଗଠନ ନେଇ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା। ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ କ୍ଷେତ୍ରରେ ଆନ୍ତର୍ଜାତୀୟ ସର୍ବୋତ୍ତମ ପଦ୍ଧତିଗୁଡ଼ିକ କିପରି ସମୁଦାୟର ବିକାଶରେ ସହାୟକ ହୋଇପାରିବ, କର୍ପୋରେଟ୍ ପ୍ରତିଷ୍ଠା ଓ ହିତଧାରକଙ୍କ ଆସ୍ଥା ବୃଦ୍ଧି କରିପାରିବ ଏବଂ ବିଶ୍ୱ ବଜାରରେ ପ୍ରତିଯୋଗିତା କ୍ଷମତାକୁ ସୁଦୃଢ଼ କରିପାରିବ, ସେ ସମ୍ପର୍କରେ ମତ ବିନିମୟ ହୋଇଥିଲା।

ଏହି ଅବସରରେ “ଭବିଷ୍ୟତ ପାଇଁ ବ୍ୟବସାୟ: ଜଳବାୟୁ ସହନଶୀଳ ଓ ଦାୟିତ୍ୱପୂର୍ଣ୍ଣ ଓଡ଼ିଶାର ବାଣିଜ୍ୟିକ ମୂଲ୍ୟ ଓ ସମ୍ଭାବନା” ଶୀର୍ଷକ ଏକ ପ୍ୟାନେଲ୍ ଆଲୋଚନା ଆୟୋଜିତ ହୋଇଥିଲା। ଶ୍ରୀମତୀ ଅଙ୍କିତା ମିଶ୍ର ଏହାର ସଂଚାଳନା କରିଥିଲେ। ଏଥିରେ XIM ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ସଷ୍ଟେନେବିଲିଟିର ଡିନ୍ ପ୍ରଫେସର ସୁତପା ପତି, ହିଣ୍ଡାଲ୍‌କୋର କର୍ପୋରେଟ୍ ଆଫେୟାର୍ସ ଉପସଭାପତି ଶ୍ରୀ ସୌଭାଗ୍ୟ ତ୍ରିପାଠୀ, UCCILର MSME କମିଟି ଅଧ୍ୟକ୍ଷ ଶ୍ରୀ ଅଲି କିଶୋର ପଟ୍ଟନାୟକ, ଡିଫେନ୍ସ କମିଟି ଅଧ୍ୟକ୍ଷ ଶ୍ରୀ ଜ୍ଞାନ ମହାନ୍ତି ଏବଂ UCCILର ସଦସ୍ୟ ଶ୍ରୀ ଏ. କେ. ଶାରଦା ଅଂଶଗ୍ରହଣ କରିଥିଲେ। ବ୍ୟବସାୟିକ ରଣନୀତିରେ ପରିବେଶ ଓ ସାମାଜିକ ଶାସନ ସମ୍ବନ୍ଧୀୟ ବିଚାରକୁ ସାମିଲ କରିବାର ବାଣିଜ୍ୟିକ ଉପାଦେୟତା ଉପରେ ପ୍ୟାନେଲିଷ୍ଟମାନେ ଆଲୋକପାତ କରିଥିଲେ। ଏହାପରେ “The Way Forward” ଶୀର୍ଷକ ଏକ ସମାପନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। UCCILର ମାନଦ ସମ୍ପାଦକ ଡ. ସଞ୍ଜୀବ ମହାପାତ୍ର ଏବଂ ଶ୍ରୀ ସୁଜିତ ମହାପାତ୍ର ମିଳିତ ଭାବେ ଏହାର ସଂଚାଳନା କରିଥିଲେ। ଶିଳ୍ପ, ସରକାର ଓ ନାଗରିକ ସମାଜ ମଧ୍ୟରେ ନିରନ୍ତର ସହଯୋଗ ମାଧ୍ୟମରେ OREAକୁ କିପରି ଆଗକୁ ନିଆଯାଇପାରିବ, ସେ ସମ୍ପର୍କରେ ଏଥିରେ ଏକ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଦେଶର ପ୍ରଥମ ରାଜ୍ୟ ଭାବେ ଏକ ସମନ୍ୱିତ ଓ ବ୍ୟାପକ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପରିବେଶ ଗଠନ କରିବା ଦିଗରେ ଆଗୁଆ କରିବା। ଏହା ରାଜ୍ୟର ଆର୍ଥିକ ସମ୍ପ୍ରସାରଣକୁ ପରିବେଶ ସୁରକ୍ଷା ଓ ସମାବେଶୀ ବିକାଶ ସହ ସମନ୍ୱିତ କରିବାରେ ସହାୟକ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking