ଭୁବନେଶ୍ବର : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୪ ତାରିଖ ବେଳକୁ ଏହା ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ସେହିପରି ୧୫ ତାରିଖ ବେଳକୁ ଅବପାତର ରୂପ ନେବ । ଅବପାତ ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୧୬ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ଆଇଏମ୍ଡି ।ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ସନ୍ଧ୍ୟାରେ ବସିବ ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ । ରାଜୀବ ଭବନରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନେ ଭିଡିଓ କନଫରେନ୍ସିଂରେ ଯୋଗଦେବେ । ପରବର୍ତ୍ତୀ ମୁହୂର୍ତ୍ତରେ ସୂଚନା ଆଧାରରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ ।ମନ୍ତ୍ରୀ କହିଛନ୍ତି, ଶୁକ୍ରବାର ୮ଟା ୩୦ରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଦିଗରେ ଲଘୁଚାପ ସୃଷ୍ଟି ହୋଇଛି । ୧୫ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ୧୬ ତାରିଖରେ ବାତ୍ୟାର ରୂପ ନେଇପାରେ । କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ IMD ସ୍ପଷ୍ଟ କରିନାହିଁ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ସରକାର ପ୍ରସ୍ତୁତ ହେଉଛନ୍ତି । IMD ବାତ୍ୟାର ରୂପରେଖ ସ୍ପଷ୍ଟ କରିବା ପରେ ସରକାର ନିର୍ଦ୍ଧିଷ୍ଟ ଭାବେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।










