ଯୋଡ଼ା: ଜୀବନ ହାରିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ। ତାଙ୍କ ନାଁ ରୋଜାଲିକା ପାତ୍ର। ତାଙ୍କ ଘର ବାରିପଦାରେ। ରୋଜାଲିକା ପାତ୍ର ଲହଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିଲେ। ସେ ପଦାର୍ଥ ବିଜ୍ଞାନ ପଢ଼ାଉଥିଲେ। ସେ ଯୋଡ଼ା ସହରର କଣ୍ଟ୍ରାକ୍ଟର କଲୋନୀରେ ଭଡ଼ା ଘରେ ରହୁଥିଲେ। ଆଜି ସେହି ଭଡ଼ା ଘରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି।ସକାଳେ ଘରୋଇ ସହାୟିକା ଆସି ଶିକ୍ଷୟିତ୍ରୀ ରୋଜାଲିକା ପାତ୍ରଙ୍କୁ ଡାକ ପକାଇଥିଲେ। କିନ୍ତୁ ଭିତରୁ କୌଣସି ପ୍ରତିକ୍ରିୟା ଆସିନଥିଲା। ବେଶ୍ କିଛି ସମୟ ଧରି ସେ ଦ୍ବାର ନଖୋଲିବାରୁ ଘରୋଇ ସହାୟିକା ଘର ମାଲିକଙ୍କୁ ଘଟଣା ବିଷୟରେ କହିଥିଲେ। ଘର ମାଲିକଙ୍କଠାରୁ ଖବର ପାଇ ପୁଲିସ ଆସିଥିଲା ଓ କବାଟ ଭାଙ୍ଗି ଘର ଭିତରେ ପଶିଥିଲା।ଘର ଭିତରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ତେଣୁ ଶିକ୍ଷୟିତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।










