ପାକିସ୍ତାନ: ପାକିସ୍ତାନରେ ଚାଞ୍ଚଲ୍ୟ । ଟିଭି ଆଙ୍କର ତଥା ସାମ୍ବାଦିକା ରାବିଆ ଅହସାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରାୱଲପିଣ୍ଡିସ୍ଥିତ ନିଜ ବାସଭବନରୁ ରବିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ପୁଲିସ ତାଙ୍କ ସ୍ୱାମୀ ଅହସାନ ତାହିରଙ୍କୁ ଅଟକ ରଖିବା ସହ ଏକ ବନ୍ଧୁକ ଜବତ କରିଛି ।ସୂଚନା ଅନୁସାରେ, ୪୧ ବର୍ଷୀୟ ରାବିଆଙ୍କୁ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନିଜ ଶୋଇବା ଘରେ ଗୁଳି କରାଯାଇଥିଲା । ଘଟଣା ସମୟରେ ତାଙ୍କ ମାଆ ଓ ଭଉଣୀ ଘରର ଲନ୍ରେ ଥିଲେ । ଗୁଳି ଶବ୍ଦ ଶୁଣି ଭଉଣୀ ଆଲୱିନା ଶୋଇବା ଘରକୁ ଦୌଡ଼ି ଯାଇଥିଲେ । ସେଠାରେ ରାବିଆଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବା ସହ ସ୍ୱାମୀଙ୍କ ହାତରେ ପିସ୍ତଲ ଥିବା ଦେଖିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ତାଙ୍କ ବେକ ତଳେ ଓ ପିଠିର ଡାହାଣ ପାର୍ଶ୍ୱରେ ଗୁଳିମାଡ଼ର କ୍ଷତ ଚିହ୍ନ ମିଳିଥିଲା । ପଞ୍ଜାବ ଫରେନସିକ୍ ସାଇନ୍ସ ଅଥରିଟି ଘଟଣାସ୍ଥଳରୁ ଏକ .୩୦ ବୋର୍ ପିସ୍ତଲ ଓ ଗୁଳି ଜବତ କରିଛି । ତେବେ ଗୁଳିଟି ଭୁଲବଶତଃ ଫୁଟିଥିବା ନେଇ ସ୍ୱାମୀ ଅହସାନ କହିଥିବା ଘରର ଜଣେ କର୍ମଚାରୀ ପୁଲିସକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପିସ୍ତଲ ପାଇଁ କୌଣସି ବୈଧ ଲାଇସେନ୍ସ ଦେଖାଇପାରିନାହାନ୍ତି ଅହସାନ ।










