ପୁରୀ: ମହାପ୍ରସାଦର ଶାସ୍ତ୍ରୀୟ ଓ ଧାର୍ମିକ ମର୍ଯ୍ୟାଦା ରକ୍ଷା କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି। ଏହାର ବଜାରୀକରଣ ଯେଭଳି ନହେବ ସେନେଇ ଟ୍ରେଡ୍ମାର୍କ (ପ୍ରତୀକ ଚିହ୍ନ) ଓ ୱାର୍ଡମାର୍କ (ଅକ୍ଷର ଚିହ୍ନ)ର ପଞ୍ଜୀକରଣ କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ମହାପ୍ରସାଦ ନାମରେ ଖୋଲାଖୋଲି ରନ୍ଧାଖାଦ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଶ୍ରୀମନ୍ଦିର ଉତ୍ତରଦୁଆର ସମ୍ମୁଖରେ ଅବଢ଼ାକୁ ପିଣ୍ଡଭୋଗ ବୋଲି କହି ଲୋକଙ୍କୁ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ପ୍ରଘଟ ହେବା ପରେ ସୁଆରମହାସୁଆ ନିୟୋଗ ଉଦ୍ବେଗ ପ୍ରକାଶ କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।ଆଜି ମଧ୍ୟାହ୍ଣ୍ରେ ଏକ ବାଉଁଶ ଡାଲାରେ ଖଲ୍ଲିପତ୍ରରେ ଅନ୍ନ, ଡାଲି, ଡାଲମା, ବେସର, ମହୁର ଓ କାନିକାକୁ କିଛି ଲୋକ ଉତ୍ତରଦୁଆର ସମ୍ମୁଖରେ ଭକ୍ତଙ୍କୁ ବିକ୍ରି କରୁଥିଲେ। ଅବଢା ବୋଝେଇ ବେତାରେ ଖଲିପତ୍ରରେ ମହାପ୍ରସାଦ ରଖିଥିଲେ। କେତେକ ଏହାକୁ କିଣି ଖାଉଥିବା ବେଳେ ଅନ୍ୟମାନେ ଏନେଇ ଆପତ୍ତି କରିଥିଲେ।










