ଭୁବନେଶ୍ୱର : ବାତ୍ୟା ମୁରାସୁ ସମୀକ୍ଷା । ବାତ୍ୟା ‘ମୁରାସୁ’ର ପ୍ରଭାବ ଏବଂ ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ସମସ୍ତ ଜିଲ୍ଲାପାଳ, ଏସଆରସି ଏବଂ ଅଗ୍ନିଶମ ଡିଜିଙ୍କ ସହ ବୈଠକ କରି ବାତ୍ୟାର ପ୍ରଭାବ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏଯାଏଁ ବାତ୍ୟାର ସେଭଳି କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। କିଛି ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ସ୍ଥିତି ସ୍ୱାଭାବିକ ରହିଛି। ତେବେ ଆଗୁଆ ପ୍ରସ୍ତୁତି ଅନୁଯାୟୀ ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ କଣ୍ଟ୍ରୋଲ ରୁମ୍ ଜରିଆରେ ସ୍ଥିତି ଉପରେ ନଜର ରଖାଯାଇଛି।
ସେହିପରି ବାତ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ଘୋଷଣା ହୋଇଥିବା ସହାୟତା ପ୍ୟାକେଜ୍ ବଣ୍ଟନ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଭୂସ୍ଖଳନ ହୋଇଥିବା ସ୍ଥାନଗୁଡ଼ିକରେ ବର୍ଷା ଯୋଗୁଁ ପୁନରୁଦ୍ଧାର କାମ ବନ୍ଦ ରହିଥିଲା। ତେବେ ଆଜି ସକାଳୁ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି।
ଏହାସହ ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଗଜପତି ଜିଲ୍ଲା ଗସ୍ତ କରିବେ। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ସହ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅନୁ ଗର୍ଗ।










