ନୂଆଦିଲ୍ଲୀ : ଜାତୀୟ ରାଜପଥରେ ବାରମ୍ବାର ଯାତାୟାତ କରୁଥିବା ଗାଡ଼ି ମାଲିକଙ୍କ ପାଇଁ ଆସୁଛି ଏକ ନୂଆ ସୁବିଧା । ଟୋଲ୍ ଖର୍ଚ୍ଚ କମାଇବା ପାଇଁ ସରକାର ଆଣିବାକୁ ଯାଉଛନ୍ତି ରିହାତି ମୂଲ୍ୟର ଲୋକାଲ୍ ଟୋଲ୍ ପାସ୍ । ୨୦୨୬ ନଭେମ୍ବର ୧ରୁ ଏହି ପାସ୍ ଉପଲବ୍ଧ ହେବ । ଏହାର ମୂଲ୍ୟ ୧୫୦୦ ଟଙ୍କା ରହିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଅଣ-ବାଣିଜ୍ୟିକ ଗାଡ଼ି ମାଲିକ ଏହାର ଲାଭ ପାଇପାରିବେ ।ଏହି ନୂଆ ପାସ୍ର ସବୁଠାରୁ ବଡ଼ ସର୍ତ୍ତ ହେଉଛି, ସମ୍ପୃକ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଗାଡ଼ି ମାଲିକ ଏହାର ସୁବିଧା ପାଇବେ । ତେବେ ପୌରପାଳିକା କିମ୍ବା ସହର ସୀମା ବାହାରେ ଥିବା ଟୋଲ୍ ପ୍ଲାଜା ପାଇଁ ଏହି ପାସ୍ର ମୂଲ୍ୟ ୧୫୦୦ ଟଙ୍କା ରହିବ । ଅନ୍ୟପଟେ, ପୌରପାଳିକା କିମ୍ବା ସ୍ଥାନୀୟ ସହର ସୀମା ମଧ୍ୟରେ ଥିବା ଟୋଲ୍ ପ୍ଲାଜା ପାଇଁ ୩୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ପାସ୍ର ବୈଧତା ଏକ ବର୍ଷ ରହିବ ।










