ଗଞ୍ଜାମ: ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁଁ ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପଳାସପୁର ନିକଟ ଘୋଡ଼ାହାଡ଼ ବ୍ରିଜ୍ ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି ।ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଦିଗପହଣ୍ଡିରୁ ଆସିକାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି । ଏହାଦ୍ୱାରା ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ରିଜ୍ ନିକଟରେ ବ୍ୟାରିକେଡ୍ ଲଗାଇଛି । ଏଥିସହ ବନ୍ୟାଜଳ ମଧ୍ୟରେ ବ୍ରିଜ୍ ପାର ନହେବାକୁ ଲୋକଙ୍କୁ ସତର୍କ କରାଯାଇଛି । ଜଳସ୍ତର ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବା ଜରୁରୀ ।










