ମାଲକାନଗିରି : ଆନ୍ଧ୍ର ଜଙ୍ଗଲରୁ ଓଡ଼ିଶାକୁ ପଶିଆସିଛି ମହାବଳ ବାଘ । ମାଲକାନଗିରି ମୋଟୁ ବନାଞ୍ଚଳରେ ଘୁରି ବୁଲୁଛି ୪ ବର୍ଷର ରୟାଲ ବେଙ୍ଗଲ ଟାଇଗର ‘ଏକ୍ସପ୍ଲୋରର’ । ବାଘର ବେକରେ ଲାଗିଛି ରେଡିଓ କଲାର । ସାଟେଲାଇଟ୍ ଓ ଭିଏଚ୍ଏଫ୍ ମାଧ୍ୟମରେ ବାଘର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ବର୍ଷା ଭିତରେ ମହାବଳ ବାଘର ଖୋଜା । ଜଙ୍ଗଲରେ ଏପଟେ ସେପଟେ ଘୁରି ବୁଲୁଛି ବାଘ । ଆଉ ବାଘର ଗତିବିଧି ଉପରେ ନଜର ରଖିବାକୁ ତତ୍ପର ହୋଇପଡ଼ିଛି ବନ ବିଭାଗ । ଆନ୍ଧ୍ରପ୍ରଦେଶର ପାପିକୋଣ୍ଡାଲୁ ଜାତୀୟ ଉଦ୍ୟାନରୁ ଓଡ଼ିଶାର ମାଲକାନଗିରି ମୋଟୁ ବନାଞ୍ଚଳକୁ ପଶିଆସିଛି ଏହି ମହାବଳ ବାଘ ।ବାଘର ନାଁ ହେଉଛି ‘ଏକ୍ସପ୍ଲୋରର’ । ବୟସ ପ୍ରାୟ ୪ ବର୍ଷ । ଆଉ ଏହାର ଯାତ୍ରା ମଧ୍ୟ କିଛି କମ୍ ରୋଚକ ନୁହେଁ । ମହାରାଷ୍ଟ୍ରର ନାଗପୁରସ୍ଥିତ ତାଡୋବା ଜଙ୍ଗଲରୁ ଯାତ୍ରା ଆରମ୍ଭ କରି ବିଭିନ୍ନ ଜଙ୍ଗଲ ଅତିକ୍ରମ କରି ଆନ୍ଧ୍ରର ପାପିକୋଣ୍ଡାଲୁରେ ପହଞ୍ଚିଥିଲା ଏହି ବାଘ ।










