ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆକ୍ସନ ମୋଡ୍ରେ ପ୍ରଶାସନ। ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱରରେ ଜୋରଦାର ହୋଇଛି ପ୍ରସ୍ତୁତି। ଜରୁରୀ ବୈଠକ ଡାକି ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ସମସ୍ତ ବିଏମ୍ସି ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା କଲେ JE ଓ AEଙ୍କ ବିରୋଧରେ ନିଲମ୍ବନ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।
ବାତ୍ୟା ସମୟରେ ଜଳବନ୍ଦୀ ସମସ୍ୟା ଓ ରାସ୍ତା ଅବରୋଧ ରୋକିବା ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ତୋରଣ, ରାସ୍ତା ମଝିରେ ଥିବା ବାଉଁଶ ଏବଂ ଅସ୍ଥାୟୀ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପମ୍ପ ଓ ଅପରେଟର ମୁତୟନ ସହ ରାତିରେ ମଧ୍ୟ ପମ୍ପ ଚାଲୁ ରଖିବାକୁ କୁହାଯାଇଛି। ପ୍ରତି ୱାର୍ଡରେ ଜଣେ ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମୁଖ୍ୟ ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ତୁରନ୍ତ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।










