ପୁରୀ : ପୁଣ୍ୟର ମାସ କାର୍ତ୍ତିକ ଆରମ୍ଭ ହୋଇସାରିଥିବା ବେଳେ ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଳନ ପାଇଁ ଏବେ ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳୀଙ୍କ ପ୍ରବଳ ଭିଡ। ପୁରୀକୁ ଆସିଥିବା ହବିଷ୍ୟାଳୀ ମାନେ ଆଜି ସକାଳୁ ସଂକଳ୍ପ ନେବା ପରେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପ୍ରାତଃ ସମୟରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ହବିଷ୍ୟାଳୀ ମାନେ ଚଉଁରା ନିକଟରେ ରାଧାଦାମୋଦର ପୂଜା କରିଛନ୍ତି। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ହୋଇଥିବା ମୋଟ ତିନୋଟି ହବିଷ୍ୟାଳୀ ଶିବିରରେ ଦୁଇ ହଜାର ଚାରିଶହ ହବିଷ୍ୟାଳୀଙ୍କୁ ରଖିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଜଗନ୍ନାଥ ଦର୍ଶନ ସହିତ ମହାପ୍ରସାଦ ସେବନ ଏବଂ ସୁବିଧାରେ ରହଣୀ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ତେବେ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବ ବିଭୋର ହୋଇଛନ୍ତି ବ୍ରତ ପାଳନ କରୁଥିବା ହବିଷ୍ୟାଳି ମାନେ।










