ଭୁବନେଶ୍ୱର : ବଢୁଛି କୋଟିଆ ବିବାଦ । ଦିନ ଗଡିବା ସହ ବଢିଚାଲିଛି ରାଜନୀତି । କୋଟିଆକୁ ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।ସେ କହିଛନ୍ତି ଯେ, ଉପଯୁକ୍ତ ଆଇନଗତ ଏବଂ ପ୍ରଶାସନିକ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏହି ନିର୍ବାଚନ ଘୋଷଣା ବିରୋଧରେ ତୁରନ୍ତ ଆଲୋଚନା ଓ ପ୍ରକ୍ରିୟା ଆରମ୍ଭ କରାଯାଉ। କୋଟିଆରେ ଓଡ଼ିଶା ପ୍ରଶାସନର ଉପସ୍ଥିତିକୁ ଆହୁରି ମଜବୁତ କରାଯାଉ । ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସେବା ତଥା କଲ୍ୟାଣକାରୀ ଯୋଜନାଗୁଡ଼ିକର ନିରନ୍ତର ଯୋଗାଣ ସୁନିଶ୍ଚିତ କରାଯାଉ।
୨୦୨୫ ମସିହାରେ ଗଠିତ ହୋଇଥିବା ୧୬ ଜଣିଆ କୋଟିଆ କମିଟିର ସୁପାରିଶ ଗୁଡ଼ିକୁ ସ୍ପଷ୍ଟ କରାଯାଉ । ପ୍ରଚଳିତ ନିୟମ ଅନୁଯାୟୀ ଏହାର କାର୍ଯ୍ୟକାରିତାର ସ୍ଥିତି ସାର୍ବଜନୀନ କରାଯାଉ। ଏକ ସମୟ ସୀମାଭିତ୍ତିକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ବିଭାଗ, କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଉ।କୋଟିଆବାସୀଙ୍କ ସମସ୍ୟାର ସମାଧାନ ପାଇଁ ଏବଂ ଓଡ଼ିଶା ପ୍ରଶାସନ ଉପରେ ସେମାନଙ୍କର ଆସ୍ଥା ବୃଦ୍ଧି କରିବା ପାଇଁ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ କୋଟିଆ ଗସ୍ତ କରନ୍ତୁ। ରାଜ୍ୟର ଆଞ୍ଚଳିକ ସ୍ୱାର୍ଥ ରକ୍ଷା ପାଇଁ ନିଆଯାଉଥିବା ଆଇନଗତ, ପ୍ରଶାସନିକ ଏବଂ କୂଟନୈତିକ ପଦକ୍ଷେପ ବାବଦରେ ଓଡ଼ିଶାବାସୀଙ୍କୁ ଏକ ସ୍ପଷ୍ଟ ବିବୃତି ଦିଆଯାଉ।










