ଭୁବନେଶ୍ୱର: କୋଟିଆକୁ ନେଇ ରାଜ୍ୟ ରାଜନୀତି ସରଗରମ । ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଶାସକ- ବିରୋଧୀ ମୁହାଁମୁହିଁ । କୋଟିଆ ପ୍ରସଙ୍ଗରେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସୋସିଆଲ ମିଡିଆରେ ଏହାର ଜବାବ ରଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଏହା କୌଣସି ଦଳର ପ୍ରସଙ୍ଗ ନୁହେଁ, ବରଂ ସବୁ ଦଳ ମିଶି ଏହି ସମସ୍ୟାକୁ ସମାଧାନ କରିବା ଦରକାର । ତେବେ ରାଜନୀତି ଏତିକିରେ ଥମିନାହିଁ । ବିଜେଡିର ଏକ ପ୍ରତିନିଧି ଦଳ ଆଜି କୋଟିଆରେ ପହଞ୍ଚିଛନ୍ତି । ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପର ବିରୋଧ କରିବା ଉଦ୍ଦେଶ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିଛିନ୍ତି । ଏହି ଟିମ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ନବୀନଙ୍କୁ ପ୍ରଦାନ କରିବେ । ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଜେଡି ନେତା ମନୋହର ରନ୍ଧାରୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ରମେଶ ମାଝୀ ପ୍ରମୁଖ ରହିଛନ୍ତି । ସେପଟେ ବିଜେପି ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି, ରାଜ୍ୟର ଇଞ୍ଚେ ଜାଗା କାହାକୁ ଦିଆଯିବ ନାହିଁ । ଏଥିପାଇଁ ବିଜେପି ଓ ରାଜ୍ୟ ସରକାର ସଂକଳ୍ପବଦ୍ଧ ।










