ଉତ୍ତର କୋରିଆର ଶାସକ ଯେପରି ଜିତିଲେ ଯାଇ ନିର୍ବାଚନ କରନ୍ତି, ଓଡ଼ିଶାର ବିଜେପି ସରକାର କଲେଜ ନିର୍ବାଚନକୁ ମଧ୍ୟ ସେଭଳି ସ୍ଥିତିକୁ ଆଣିଲେଣି। ଯେଉଁ ଯେଉଁ କଲେଜରେ ବିଜେପି ସମର୍ଥିତ ଏବିଭିପି ପ୍ରାର୍ଥୀ ନାହାନ୍ତି କିମ୍ବା ଥିଲେ ମଧ୍ୟ ଜିତିବା ସମ୍ଭାବନା କମ୍ ସେହି କଲେଜମାନଙ୍କରେ କିଛି ନା କିଛି ଆଳ ଦେଖାଇ ନିର୍ବାଚନକୁ ବାତିଲ କରିଦେଉଛନ୍ତି। ଯଦି ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଲା, ପ୍ରଥମରୁ ୨୦୨ କଲେଜରେ ନିର୍ବାଚନ ବାତିଲ କଲେ। ଏବେ ବିଭିନ୍ନ ଆଳ ଦେଖାଇ ଗୋଟିଏ ପରେ ଗୋଟିଏ କଲେଜରେ ନିର୍ବାଚନ ବନ୍ଦ କରାଯାଉଛି। ଏହା ଅଗଣତାନ୍ତ୍ରିକ ବୋଲି ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଛାତ୍ରକଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର ବର୍ଷିଛନ୍ତି। ସେ କହିଛନ୍ତି, ନର୍ଲା, ବାଙ୍କୀ ପରି ନିର୍ବାଚନମଣ୍ଡଳୀ, ଯେଉଁଠାରେ ବିଜେପି ତିନି ନମ୍ବର ସ୍ଥାନରେ ଅଛି, ସେ ସବୁ କଲେଜର ନିର୍ବାଚନକୁ ବାତିଲ କରାଯାଇଥିବା ଉଦାହରଣ ସ୍ପଷ୍ଟ। ଅନ୍ୟ ପକ୍ଷରେ ୨୪ ବର୍ଷ ଏକାଦିକ୍ରମେ କ୍ଷମତାରେ ବିଜେଡି ରହିବା ସତ୍ତ୍ବେ ଶିକ୍ଷା ପାଇଁ କିଛି ନ କରି ଏବେ ବିଜୁ ଛାତ୍ର ଜନତା ଦଳ ପାଇଁ ଇସ୍ତାହାର ପ୍ରକାଶ କରିବା ହାସ୍ୟାସ୍ପଦ।
ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ଏନଏସୟୁଆଇର ଇସ୍ତାହାର ଉନ୍ମୋଚନ କରି ଶ୍ରୀ ମହାପାତ୍ର କହିଥିଲେ, ରାଜ୍ୟର ସବୁଠୁ ଗୌରବମୟ ଉଚ୍ଚ ଶିକ୍ଷାନୁଷ୍ଠାନ ବାଣୀବିହାର ଅଶାନ୍ତ ହେଉଛି କାହିଁକି? ଆମ ଇସ୍ତାହାର ତାଙ୍କ ବିଫଳତାକୁ ଦର୍ଶାଉଛି। ହଷ୍ଟେଲରେ ଯେପରି ଭଲ ଖାଦ୍ୟ ମିଳିବ, ଇ-ଲାଇବ୍ରେରୀ ବ୍ୟବସ୍ଥା ସହଜ ହେବ, ବାଣୀବିହାର ଛାତ୍ରଛାତ୍ରୀ ଯେଭଳି ନିଃଶୁଳ୍କ ଯାତାୟାତ କରିପାରିବେ ସେଥିପାଇଁ ବସ୍ ବ୍ୟବସ୍ଥା, କ୍ରୀଡ଼ାର ଉନ୍ନତି ପାଇଁ ବ୍ୟବସ୍ଥା ଆଦି ଉକ୍ତ ଇସ୍ତାହାରରେ ସ୍ଥାନ ପାଇଛି। ଏହାଛଡ଼ା, କ୍ୟାମ୍ପସରେ ହାଇସ୍ପିଡ୍ ଓ୍ବାଇଫାଇ ବ୍ୟବସ୍ଥା, ଆବଶ୍ୟକ ସ୍ଥଳେ ଷ୍ଟାରଲିଙ୍କ ବ୍ୟବସ୍ଥା କରାଇବା ପାଇଁ ଛାତ୍ରକଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଥିଲେ। ଯୁଗ ଆସିକି କୋଉଠି ହେଲାଣି; ଅଥଚ ଆମ ଇଣ୍ଟରନେଟର ଚକ୍ରି ଘୂରୁଛି ଯେ ଘୂରୁଛି। ଯଦି ବଡ଼ବଡ଼ ଟାଓ୍ବର ବସାଇ ହାଇସ୍ପିଡ୍ ଇଣ୍ଟରନେଟ ଦିଆଯାଇପାରୁନି, ସାଟେଲାଇଟ ଜରିଆାରେ ତାହା କରାଯାଇପାରିବ ବୋଲି ସେ କହିଥିଲେ। ପ୍ରତ୍ୟେକ କ୍ୟମ୍ପସ କପଲ୍-ଫ୍ରେଣ୍ଡଲି ହେବ ଓ ୧୪ ଫେବ୍ରୁଆରି ଭାଲେଣ୍ଟାଇନ୍ସ-ଡେ’ରେ ବଜରଂଗ ଦଳ ପୁଅଝିଅଙ୍କୁ ଏକାଠି ଦେଖିଲେ ମାଡ଼ ମାରିବା ବନ୍ଦ କରାଯିବ। ପୁଅଝିଅଙ୍କ ସମ୍ପର୍କକୁ କଦର୍ଥ କରି ସେମାନଙ୍କୁ ମାଡ଼ ମାରିବା ଅଧିକାର କିଏ ଦେଲା? ତିନିବର୍ଷ ତଳେ କେନ୍ଦ୍ରାପଡ଼ାରେ ପୁଅଝିଅଙ୍କୁ କିଭଳି ମାଡ଼ ମରାଯିବା ଘଟଣାକୁ ସେ ମନେ ପକେଇଦେଇଥିଲେ।









