ନୂଆଦିଲ୍ଲୀ : ଆଜି ଅକ୍ଟୋବର ୯ ତାରିଖ, ବିଶ୍ୱ ଅଣ୍ଡା ଦିବସ । ଶରୀରକୁ ସୁସ୍ଥ ରଖିବା ସହ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାର ଏହି ଦିବସ ପାଳନ କରାଯାଏ । ୧୯୯୬ ମସିହାରେ ଭିଏନାଠାରେ ଏହି ଦିବସ ପାଳନର ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ଏହାର ୩୦ତମ ବାର୍ଷିକୀ ପାଳନ କରାଯାଉଛି । ଏହା ପ୍ରୋଟିନ୍ ଯାହା ଆମ ଶରୀରକୁ ଶକ୍ତି ଦିଏ ।
ଅଣ୍ଡାକୁ ପୁଷ୍ଟିର ଏକ ଉତ୍କୃଷ୍ଟ ଉତ୍ସ ଭାବେ ବିବେଚନା କରାଯାଏ । ଏଥିରେ ଉଚ୍ଚମାନର ପ୍ରୋଟିନ୍ ସହ ଭିଟାମିନ୍ ଡି, ଭିଟାମିନ୍ ବି୧୨ ରହିଛି । ଏହା ଶରୀରର ବୃଦ୍ଧି, ମାଂସପେଶୀର ବିକାଶ, ମସ୍ତିଷ୍କର କାର୍ଯ୍ୟକ୍ଷମତା ଓ ରୋଗପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ । ବିଶେଷକରି ବଢ଼ୁଥିବା ବୟସର ପିଲାମାନଙ୍କ ପାଇଁ ଅଣ୍ଡା ଏକ ଉପଯୋଗୀ ଖାଦ୍ୟ । ତେବେ ଏହା ସହିତ ଶସ୍ୟ, ଡାଲି, ପନିପରିବା ଓ ଫଳ ଭଳି ଅନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଆବଶ୍ୟକ ।ଅଣ୍ଡାରେ ଥିବା ଉଚ୍ଚମାନର ପ୍ରୋଟିନ୍ ଶିଶୁଙ୍କ ମାଂସପେଶୀ ଏବଂ ହାଡ଼ ବିକାଶଠାରୁ ଆରମ୍ଭ କରି ଜ୍ଞାନାତ୍ମକ କାର୍ଯ୍ୟକୁ ବିକଶିତ କରେ। ଯେଉଁ ପିଲାମାନେ ଅଣ୍ଡା ଯୁକ୍ତ ଜଳଖିଆ ଭଳି ଅଧିକ ପ୍ରୋଟିନ୍ ଯୁକ୍ତ ଜଳଖିଆ ଖାଆନ୍ତି, ସେମାନେ ଅଧିକ ସମୟ ପାଇଁ ପେଟ ପୁରିଲା ଭଳି ଅନୁଭବ କରିପାରନ୍ତି।ଅଣ୍ଡାକୁ B12ର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । ଏହା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ। ଦୁଇଟି ଅଣ୍ଡା ଶରୀରକୁ ୪୬ ପ୍ରତିଶତ ପର୍ଯ୍ୟନ୍ତ ଭିଟାମିନ୍ B12 ଯୋଗାଇଥାଏ।










