ଭୁବନେଶ୍ୱର: ଦରବୃଦ୍ଧିରୁ ସାଧାରଣ ଲୋକଙ୍କ ଆୟ ଓ ସଂଚୟକୁ ସୁରକ୍ଷା ଦେବା ପାଇଁ ଅକ୍ଟୋବର ୭ରେ ରିଜର୍ଭ ବ୍ୟାଙ୍କ ନେଇଥିବା ମୁଦ୍ରାନୀତି ପଦକ୍ଷେପକୁ ଓଡ଼ିଶା ବିଜେପି ସ୍ୱାଗତ କରିଛି । ରେପୋ ହାରକୁ ୦.୨୫ ପ୍ରତିଶତାଙ୍କ ବଢ଼ାଇ ୫.୫୦ ପ୍ରତିଶତ କରିବା ଏବଂ ମାପିଚୁପି ମୁଦ୍ରାନୀତି କଠୋର କରିବାର (କାଲିବ୍ରେଟେଡ୍) ଆଭିମୁଖ୍ୟ ଗ୍ରହଣ କରିବା ଏକ ପ୍ରତିରୋଧାତ୍ମକ ଆଗୁଆ ନିଷ୍ପତି । ଦରଦାମ ଅନିୟନ୍ତ୍ରିତ ହେବା ପୂର୍ବରୁ ପଦକ୍ଷେପ ନେବା ଦାୟିତ୍ୱଶୀଳ ଅର୍ଥନୈତିକ ପରିଚାଳନାର ପରିଚୟ ବୋଲି ଏକ ପ୍ରେସ୍ ବିବୃତିରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କର ନିଜସ୍ୱ ପୂର୍ବାନୁମାନରେ ଅଗଷ୍ଟର ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତ ଥିଲାବେଳେ ବର୍ଷ ଶେଷକୁ ତାହା ୫.୨ ପ୍ରତିଶତ ଛୁଇଁ ପାରେ । ଏପରି ଆକଳନ ପରେ ରିଜର୍ଭ ବ୍ୟାଙ୍କର ନିଷ୍କ୍ରିୟତା ଆଦୌ ଉଚିତ୍ ନଥିଲା । ସୁଧହାର ଏକାକୀ ଖାଦ୍ୟ ଉତ୍ପାଦନ କରିବ ନାହିଁ କିମ୍ବା ଇନ୍ଧନର ଯୋଗାଣ ବଢ଼ାଇବ ନାହିଁ । କିନ୍ତୁ ଦରବୃଦ୍ଧିର ଚାପ ବ୍ୟାପକ ଓ ସ୍ଥାୟୀ ହେବାର ବିପଦ କମାଇପାରିବ । ଦ୍ରୁତ ଅଭିବୃଦ୍ଧି ହାର, ଶ୍ରମ ବଜାରର ଦୃଢତା, ବ୍ୟାଙ୍କିଂ ବ୍ୟବସ୍ଥାର ଉତମ ସ୍ୱାସ୍ଥ୍ୟ, ସ୍ଥାୟୀ ପୁଞ୍ଜି ଗଠନ ଓ ଭିତିଭୂମି କ୍ଷେତ୍ରରେ ନିବେଶର ଉନ୍ନତି ସମ୍ଭାବ୍ୟ ଦରଦାମ ବୃଦ୍ଧି ବିରୋଧରେ ରିଜର୍ଭ ବ୍ୟାଙ୍କକୁ ଏପରି ସମୟୋଚିତ ନୀତି ନିର୍ଦ୍ଧାରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛି ।
ଦରବୃଦ୍ଧି ଗରିବ ଓ ମଧ୍ୟବିତ ପରିବାରର ରୋଜଗାର ଓ ସଂଚୟକୁ ନିରବରେ ହ୍ରାସ କରିଥାଏ । ଆୟ ସମାନ ରହେ, କିନ୍ତୁ ସେହି ଟଙ୍କାରେ କମ୍ ଜିନିଷ ମିଳେ । ସଂଚିତ ଅର୍ଥର କ୍ରୟଶକ୍ତି ମଧ୍ୟ ପ୍ରଭାବିତ ହୁଏ । ତେଣୁ ଦରଦାମ ନିୟନ୍ତ୍ରଣ ଜନସାଧାରଣଙ୍କ ଆର୍ôଥକ ସୁରକ୍ଷାର ପ୍ରଶ୍ନ । ଆଜିର ରିଜର୍ଭ ବ୍ୟାଙ୍କ ସତର୍କତା ଦେଶର ସାଧାରଣ ଖାଉଟିକୁ ଆଗାମୀ ଦିନର ବଡ଼ବୋଝରୁ ରକ୍ଷା କରିପାରିବ । ଏହି ନିଷ୍ପତିର ମୁଖ୍ୟ ସଙ୍କେତ ହେଉଛି, ସୁଧହାର ବଢ଼ାଇବା ସହ ରିଜର୍ଭ ବ୍ୟାଙ୍କ ୨୦୨୬–୨୭ର ବିକାଶ ପୂର୍ବାନୁମାନକୁ ୬.୭ ପ୍ରତିଶତରୁ ୭.୧ ପ୍ରତିଶତକୁ ବଢ଼ାଇଛି । ପୂର୍ବାନୁମାନ ନିଶ୍ଚିତ ପରିଣାମ ନୁହେଁ; ତଥାପି ଏହା ଭାରତର ବିକାଶ ସାମର୍ଥ୍ୟ ପ୍ରତି ବିଶ୍ୱାସ ଦର୍ଶାଏ । ଭାରତ ଦୁର୍ବଳତାରୁ ନୁହେଁ, ସୁଦୃଢ଼ ଅର୍ଥନୈତିକ ଭିତିରୁ ମୁଦ୍ରାସ୍ଫୀତିର ମୁକାବିଲା କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏପ୍ରିଲ୍-ଜୁନ୍ ୨୦୨୬ରେ ବାସ୍ତବ ଜିଡିପି ୭.୮ ପ୍ରତିଶତ, ସ୍ଥାୟୀ ପୁଞ୍ଜି ଗଠନ ୧୧.୯ ପ୍ରତିଶତ ଏବଂ ପରିବାରର ବାସ୍ତବ ଉପଭୋକ୍ତା ବ୍ୟୟ ୭.୧ ପ୍ରତିଶତ ବଢ଼ିଛି । କାରଖାନା, ଯନ୍ତ୍ରପାତି ଓ ଭିତିଭୂମିରେ ନିବେଶ ଆଗାମୀ ଉତ୍ପାଦନକୁ ଶକ୍ତି ଦେଉଛି । ଘରୋଇ ଚାହିଦା ମଧ୍ୟ ବିକାଶକୁ ସମର୍ଥନ କରୁଛି । ଏହି ସାମର୍ଥ୍ୟ ଦରବୃଦ୍ଧି ବିରୋଧରେ ଆଗୁଆ ପଦକ୍ଷେପ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ଅଗଷ୍ଟ ୨୦୨୬ର ପିଏଲ୍ଏଫ୍ଏସ୍ ଅନୁସାରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବେକାରି ହାର ୫ ପ୍ରତିଶତ, କାର୍ଯ୍ୟରତ ଜନସଂଖ୍ୟା ଅନୁପାତ ୫୨.୮ ପ୍ରତିଶତ ଏବଂ ଶ୍ରମଶକ୍ତିରେ ଅଂଶଗ୍ରହଣ ୫୫.୬ ପ୍ରତିଶତ ରହିଛି । ମଜୁରି ଓ କାମର ଗୁଣବତା ସମ୍ପର୍କିତ ଆହ୍ୱାନ ରହିଥିଲେ ମଧ୍ୟ ଏହି ତଥ୍ୟ ଶ୍ରମବଜାରର ସାମଗ୍ରିକ ସ୍ଥିରତା ସୂଚାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବ୍ୟାଙ୍କିଂ ବ୍ୟବସ୍ଥାର ସୁଧାର ଆଉ ଏକ ନିର୍ଣ୍ଣାୟକ ଶକ୍ତି । ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ମୋଟ ଅନାଦେୟ ଋଣ ଅନୁପାତ ମାର୍ଚ୍ଚ ୨୦୧୮ର ୧୧.୧୮ ପ୍ରତିଶତରୁ ସେପ୍େଟମ୍ବର ୨୦୨୫ରେ ୨.୦୫ ପ୍ରତିଶତକୁ କମିଛି । ନିଟ୍ ଅନାଦେୟ ଋଣ ୫.୯୪ ପ୍ରତିଶତରୁ ୦.୪୮ ପ୍ରତିଶତକୁ ହ୍ରାସ ପାଇଛି । ପୁଞ୍ଜି ପର୍ଯ୍ୟାପ୍ତତା ବା କ୍ୟାପିଟାଲ ଆଡିକ୍ୱେସି ହାର ୧୩.୮୫ ପ୍ରତିଶତରୁ ୧୭.୨୪ ପ୍ରତିଶତକୁ ବଢ଼ିଛି । ଏହା ସମ୍ଭାବ୍ୟ କ୍ଷତି ସହ୍ୟ କରିବା ପାଇଁ ବ୍ୟାଙ୍କର ନିଜସ୍ୱ ପୁଞ୍ଜିର ସୁରକ୍ଷାକୁ ମାପ କରିଥାଏ । ମୋଦୀ ସରକାରଙ୍କ ବ୍ୟାଙ୍କିଙ୍ଗ୍ ସଂସ୍କାର, ଭିତିଭୂମି ନିର୍ମାଣ ଓ ପୁଞ୍ଜିନିବେଶ ଏହି ସାମର୍ଥ୍ୟକୁ ଶକ୍ତି ଦେଇଛି । ଅଟକିଥିବା ପ୍ରକଳ୍ପ ଓ ଅନାଦେୟ ଋଣର ବୋଝ ଥିଲେ କେବଳ ଶସ୍ତା ଋଣ ସ୍ଥାୟୀ ବିକାଶ ଆଣିପାରେ ନାହିଁ । ସୁସ୍ଥ ବ୍ୟାଙ୍କ ଓ ଉତ୍ପାଦନଶୀଳ ନିବେଶ ହିଁ ବିକାଶର ଦୃଢ଼ ଆଧାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଋଣଖର୍ଚ୍ଚ ବୃଦ୍ଧିର ପ୍ରଭାବକୁ ଗୁରୁତ୍ୱ ଦେଇ ମାପିଚୁପି ପଦକ୍ଷେପ, ଯୋଗାଣର ସୁଧାର ଓ ଦକ୍ଷ ଯୋଜନା କାର୍ଯ୍ୟାନ୍ୱୟନ ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଓଡ଼ିଶାର ପରିବାର, ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ସ୍ଥିର ଦରଦାମ ଏବଂ ନିର୍ଭରଯୋଗ୍ୟ ଋଣ ଉଭୟ ଜରୁରୀ । ଏବଂ ରାଜ୍ୟ ସରକାର ଏଥିପ୍ରତି ସଜାଗ ରହିଛନ୍ତି । ରିଜର୍ଭ ବ୍ୟାଙ୍କର ସ୍ୱାଧୀନ, ତଥ୍ୟଭିତିକ ନିଷ୍ପତିକୁ ସମର୍ଥନ କରି ଦଳ କହିଛି ଯେ ଦରବୃଦ୍ଧିକୁ ଲଗାମ ଦେବା ଦ୍ୱାରା ହିଁ ବିକାଶର ସୁଫଳକୁ ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ରଖି ପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।










