କଟକ : ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆଇକନିକ୍ ଟାୱାର’କୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଥିଲେ।ସମାବେଶରେ ଉଦବୋଧନ ଦେଇ ଉପ-ରାଷ୍ଟ୍ରପତି କହିଥିଲେ, ଏହି ସମାରୋହ ଗୋଟିଏ ଅଟ୍ଟାଳିକାର ଉଦଘାଟନ ଠାରୁ ଊର୍ଦ୍ଧ୍ୱରେ, କାରଣ ଏହା ଏକ ଦୃଷ୍ଟିକୋଣ, ଶିକ୍ଷାର ଏକ ପ୍ରେରଣାଦାୟକ ଦର୍ଶନ, ଭାରତର ଗୌରବମୟ ସାଂସ୍କୃତିକ ଐତିହ୍ୟ ଏବଂ ଭାରତର ଭବିଷ୍ୟତ ଗଠନ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଏକ ଅସାଧାରଣ ଦୂରଦୃଷ୍ଟିର ପ୍ରତିଫଳନ ବୋଲି ଉପ-ରାଷ୍ଟ୍ରପତି ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଶିକ୍ଷାକୁ ନେଇ ଗୁରୁଦେବଙ୍କ ଦୃଷ୍ଟିକୋଣ ପାରମ୍ପରିକ ଶିକ୍ଷାଗତ ସୀମାବଦ୍ଧତାଠାରୁ ବହୁ ଊର୍ଦ୍ଧ୍ୱରେ । ପ୍ରାଚ୍ୟ ଜ୍ଞାନ ଏବଂ ପାଶ୍ଚାତ୍ୟ ବିଜ୍ଞାନର ଏକ ସମାଗମ ଭାବରେ ପରିକଳ୍ପିତ ଏହି ବିଶ୍ୱବିଦ୍ୟାଳୟ ୨୦୧୨ ମସିହାରେ ନିଜର ଶିକ୍ଷାଦାନ ଯାତ୍ରା ଆରମ୍ଭ କରିଥିଲା। ଏହାର ମୂଳ ଦର୍ଶନ ଥିଲା, ପ୍ରକୃତ ଶିକ୍ଷା ବ୍ୟକ୍ତିର ଚରିତ୍ର, ଚେତନା ଏବଂ କରୁଣାଭାବକୁ ବିକଶିତ କରିବା ଉଚିତ୍ । ବର୍ତ୍ତମାନର ସମୟରେ ଏହି ଦୃଷ୍ଟିକୋଣର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଶିକ୍ଷା ଯୁବପିଢ଼ିଙ୍କୁ କେବଳ ଶିକ୍ଷାଗତ ସଫଳତା ପାଇଁ ପ୍ରସ୍ତୁତ କରିବା ଉଚିତ୍ ନୁହେଁ, ବରଂ ସମାଜରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ଏବଂ ବିଶ୍ୱର ଦାୟିତ୍ୱବାନ ନାଗରିକ ହେବା ପାଇଁ ମଧ୍ୟ ସକ୍ଷମ କରିବା ଉଚିତ୍ ।
‘ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ’ ପରିସରକୁ ‘‘ବିଶ୍ୱର ସବୁଠାରୁ ଆନନ୍ଦପୂର୍ଣ୍ଣ ପରିବେଶ ଥିବା କ୍ୟାମ୍ପସ୍’’ ରୂପେ ଘୋଷଣା କରାଯାଇଥିବାରୁ ଉପ-ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ, ସମଗ୍ର ମାନବଜାତି ସୁଖ ପାଇବାକୁ ଆଶା ରଖିଥାଏ ଏବଂ ଏହି ସୁଖ ଭାରତର ସଂସ୍କୃତି ଓ ପରମ୍ପରାରେ ଗଭୀର ଭାବରେ ନିହିତ ରହିଛି । ଏହି ଚିରନ୍ତନ ସାଂସ୍କୃତିକ ମୂଲ୍ୟବୋଧଗୁଡ଼ିକୁ ପ୍ରୋତ୍ସାହିତ କରିବା ଦିଗରେ ବିଶ୍ୱବିଦ୍ୟାଳୟ ନେଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।
ଓଡ଼ିଶାର ସମୃଦ୍ଧ ସ୍ଥାପତ୍ୟ ଓ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଥିଲେ, ଏହି ରାଜ୍ୟରେ ସ୍ଥାପତ୍ୟ ନିର୍ମାଣ କେବଳ ଭୌତିକ ପରିସର ନିର୍ମାଣଠାରୁ ଠାରୁ ଊର୍ଦ୍ଧ୍ୱରେ ବୋଲି ପ୍ରମାଣିତ କରିଆସିଛି । ଏଠାକାର ମନ୍ଦିରଗୁଡ଼ିକ କଳାତ୍ମକ ଉତ୍କର୍ଷ, ବୈଜ୍ଞାନିକ ଜ୍ଞାନ, ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ସ୍ଥାୟିତ୍ୱର ଏକ ଚିରନ୍ତନ ପ୍ରତୀକ ଭାବରେ ରହିଆସିଛି । ଏହି ପରିପ୍ରେକ୍ଷୀରେ ସେ ପୁରୀର ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ମନ୍ଦିର ସମୂହ ଏବଂ କୋଣାର୍କ ମନ୍ଦିରର ଭବ୍ୟତାକୁ ଉଲ୍ଲେଖ କରିଥିଲେ । କଳିଙ୍ଗ ସ୍ଥାପତ୍ୟ ପରମ୍ପରା ଭାରତୀୟ ସଭ୍ୟତାର ଅସାଧାରଣ ସୃଜନଶୀଳ ପ୍ରତିଭାର ପ୍ରମାଣ ବହନ କରେ ବୋଲି ସେ କହିଥିଲେ ।
ଉପରାଷ୍ଟ୍ରପତି କହିଥିଲେ, ଏହି ଆଇକନିକ ଟାୱାର୍ ଉକ୍ତ ସମୃଦ୍ଧ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ । ଏହାର ଉର୍ଦ୍ଧ୍ୱମୁଖୀ ଢାଞ୍ଚା ଜ୍ଞାନର ଭିତ୍ତିଭୂମିରୁ ପ୍ରଜ୍ଞା ଓ ଆତ୍ମଜ୍ଞାନର ଶିଖର ଆଡ଼କୁ ମାନବୀୟ ଆକାଂକ୍ଷାର ଯାତ୍ରାକୁ ପ୍ରତିପାଦିତ କରୁଛି ।
ବୃହତ୍ତର ଜାତୀୟ ଆକାଂକ୍ଷା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି । ଏହି ପ୍ରେରଣାଦାୟୀ ଦୃଷ୍ଟିକୋଣ ଏକ ଏପରି ବିକଶିତ ଭାରତର ପରିକଳ୍ପନା କରେ, ଯାହା ଆତ୍ମବିଶ୍ୱାସ, ସାମର୍ଥ୍ୟ ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ସହିତ ନିଜ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରୁଥିବ । ସେ କହିଥିଲେ, ଏହି ଜାତୀୟ ଲକ୍ଷ୍ୟକୁ ସାକାର କରିବାରେ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପାନ୍ତରକାରୀ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ବହୁବାର ଗୁରୁତ୍ୱାରୋପ କରିଛନ୍ତି ବୋଲି ସେ କହିଥିଲେ ।
ଗତ ବାର ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପରାଷ୍ଟ୍ରପତି ଆଲୋକପାତ କରିଥିଲେ । ସେ କହିଥିଲେ, ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୨୦୧୪-୧୫ ମସିହାର ୭୬୦ରୁ ବୃଦ୍ଧି ପାଇ ଆଜି ୧,୪୦୦ରୁ ଅଧିକ ହୋଇଛି। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ଗୁଡ଼ିକର ସଂଖ୍ୟା ୨୦୧୪ ପୂର୍ବର ୧୬ରୁ ବୃଦ୍ଧି ପାଇ ୨୩ ହୋଇଛି, ଏବଂ ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ) ସଂଖ୍ୟା ୧୩ରୁ ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। ସେହିପରି ଏମ୍ସ ସଂଖ୍ୟା ୨୦୧୪ ପୂର୍ବର ୭ରୁ ବୃଦ୍ଧି ପାଇ ୨୦ ହୋଇଛି । ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୨୦୧୪-୧୫ ମସିହାର ୩.୪୨ କୋଟିରୁ ବୃଦ୍ଧି ପାଇ ୪.୫୦ କୋଟିରୁ ଅଧିକ ହୋଇଛି ।
ଓଡ଼ିଶାର ବିପୁଳ ଜନଜାତି ଜନସଂଖ୍ୟା ବିଷୟରେ ଉଲ୍ଲେଖ କରି ଉପରାଷ୍ଟ୍ରପତି ଓଡ଼ିଶାର ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟକୁ ଆଦିବାସୀ ପିଲାମାନଙ୍କ ପାଇଁ ସ୍କୁଲ କନେକ୍ଟ କାର୍ଯ୍ୟକ୍ରମ ପ୍ରଚଳନ କରିବାକୁ ଆହ୍ୱାନ କରିଥିଲେ ଯାହା ଦ୍ୱାରା ସେମାନେ ଅଧାରୁ ପାଠପଢ଼ା ଛାଡିବେ ନାହିଁ ଏବଂ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ ହେବେ ।
ଭାରତର ସାଂସ୍କୃତିକ ପରିଚୟ ଏବଂ ଜାତୀୟ ଶକ୍ତି ଉପରେ ଗୁରୁତ୍ୱାରୋପ କରି ଉପରାଷ୍ଟ୍ରପତି କହିଥିଲେ, ଦେଶର ଭବିଷ୍ୟତ ଗଠନରେ ଭାରତର ସଂସ୍କୃତି ଓ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତ ଏକ ଶକ୍ତିଶାଳୀ ଏବଂ ସକ୍ଷମ ରାଷ୍ଟ୍ର ହେବାକୁ ଆକାଂକ୍ଷା ପୋଷଣ କରୁଛି, ଯାହା ଦ୍ୱାରା କେହି ଏହା ଉପରେ ଆଧିପତ୍ୟ ଜାହିର କରିପାରିବେ ନାହିଁ । ଦେଶର ସ୍ୱାଧୀନତା, ମର୍ଯ୍ୟାଦା ଏବଂ ସ୍ୱାର୍ଥକୁ ସୁରକ୍ଷା ଦେବାରେ ଜାତୀୟ ଶକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଜଣେ ବ୍ୟକ୍ତିଙ୍କ ପ୍ରକୃତ ଉଚ୍ଚତା ତାଙ୍କ ଜ୍ଞାନର ଗଭୀରତା, ଚରିତ୍ରର ଦୃଢ଼ତା ଏବଂ କରୁଣାର ବ୍ୟାପକତା ଦ୍ୱାରା ମାପ କରାଯାଏ ବୋଲି ଛାତ୍ରଛାତ୍ରୀଙ୍କୁ ଉପ-ରାଷ୍ଟ୍ରପତି ସ୍ମରଣ କରାଇ ଦେଇଥିଲେ। ପିଲାମାନଙ୍କୁ ନିଜର ଚିନ୍ତାଧାରା ଓ କାର୍ଯ୍ୟରେ ସର୍ବଦା ‘‘ରାଷ୍ଟ୍ର ପ୍ରଥମ’’ ଭାବନାକୁ ଅଗ୍ରାଧିକାର ଦେବା ଏବଂ ନିଶା ଠାରୁ ଦୂରେଇ ରହିବାକୁ ସେ ଆହ୍ୱାନ ଜଣାଇଥିଲେ ।
‘ଆଇକନିକ୍ ଟାୱାର’ ଦ୍ୱାରା ପ୍ରତିପାଦିତ ଆଦର୍ଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇବା ଲାଗି ବିଶ୍ୱବିଦ୍ୟାଳୟ ପରିବାରକୁ ଆହ୍ୱାନ ଦେଇ ଉପ-ରାଷ୍ଟ୍ରପତି କହିଥିଲେ ଯେ, ଜ୍ଞାନକୁ ଆଧାର, ବିବେକକୁ ମାର୍ଗଦର୍ଶୀ ଆଲୋକ, ନବସୃଜନକୁ ସାଧନ, କରୁଣାକୁ ଶକ୍ତି ଏବଂ ସେବାକୁ ପରମ ଉଦ୍ଦେଶ୍ୟ ରୂପେ ଗ୍ରହଣ କରିବା ଉଚିତ୍ । ଏହି ଟାୱାର ପିଢ଼ି ପରେ ପିଢ଼ି ପାଇଁ ଜ୍ଞାନର ଆଲୋକସ୍ତମ୍ଭ, ଆକାଂକ୍ଷାର ପ୍ରତୀକ ଏବଂ ଓଡ଼ିଶାର ଚିରନ୍ତନ ଚେତନାର ଏକ ଉତ୍ସବ ଭାବରେ ଛିଡ଼ା ହେବ । ଏହା ଛାତ୍ରଛାତ୍ରୀଙ୍କ ପରବର୍ତ୍ତୀ ପିଢ଼ିଗୁଡ଼ିକୁ ଏକ ଆତ୍ମବିଶ୍ୱାସୀ, ସମୃଦ୍ଧ, କରୁଣାମୟ ଏବଂ ବିକଶିତ ଭାରତ ଗଠନ ଦିଗରେ ଅବଦାନ ଦେବା ପାଇଁ ଅନୁପ୍ରାଣିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଉପ-ରାଷ୍ଟ୍ରପତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ନବନିର୍ମିତ ‘ଆଇକନିକ୍ ଟାୱାର’ରେ ଥିବା ଅତ୍ୟାଧୁନିକ ପ୍ଲାନେଟାରିୟମ୍ ପରିଦର୍ଶନ କରିଥିଲେ । ଏହା ବୈଜ୍ଞାନିକ ଜିଜ୍ଞାସା, ଆବିଷ୍କାର ଏବଂ ଉଦ୍ଭାବନର ଭାବନାକୁ ଉତ୍ସାହିତ କରିଥାଏ।










